୬ଟି ଜିଲ୍ଲାରେ ଏସ୍‌ଏଚ୍‌ଜିର ଡିଜିଟାଇଜେସନ୍‌

ଭୁବନେଶ୍ୱର: ରାଜ୍ୟରେ ଥିବା ୬ଟି ଜିଲ୍ଲାରେ ନାବାର୍ଡ ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠି (ଏସ୍‌ଏଚଜି)ଗୁଡ଼ିକର ଡିଜିଟାଲକରଣ (ଡିଜିଟାଇଜେସନ୍‌) କରାଯିବ। ସେହି ଜିଲ୍ଲାଗୁଡ଼ିକ ହେଉଛି ରାୟଗଡ଼ା, ସମ୍ବଲପୁର, କଟକ, ଭଦ୍ରକ, ଯାଜପୁର ଏବଂ ଢ଼େଙ୍କାନାଳ। ଆଜି ନାବାର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଏ ନେଇ ଇ-ଶକ୍ତି ପ୍ରକଳ୍ପକୁ ପଞ୍ଚାୟତିରାଜ ସଚିବ ଡି କେ ସିଂହ ଉନ୍ମୋଚନ କରିଛନ୍ତି। ଏସ୍‌ଏଚ୍‌ଜିଗୁଡ଼ିକର ହିସାବ ଖାତା ଏବଂ ରେଜିଷ୍ଟର୍‌ର ଡିଜିଟାଲ୍‌କରଣ ପାଇଁ ନାବାର୍ଡ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହାକୁ ସେ ପ୍ରଶଂସା କରିଛନ୍ତି। ଇ-ଶକ୍ତି ପ୍ରକଳ୍ପର ଏହା ତୃତୀୟ ପର୍ଯ୍ୟାୟ। ୨୦୧୫ରେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ଦୁଇଟି ଜିଲ୍ଲାରେ ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ଆଉ ୨୩ଟି ଜିଲ୍ଲାକୁ ସାମିଲ କରାଯାଇଥିଲା ଯେଉଁଥିରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକ୍‌ ସାମିଲ ଥିଲା। ୨୦୧୭ ସେପ୍ଟେମ୍ବର ସୁଦ୍ଧା ୧୦,୪୩୨ ଏସ୍‌ଏଚ୍‌ଜିର ଡିଜିଟାଲକରଣ କରାଯାଇଛି। ଇ-ଶକ୍ତି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ୭୫ଟି ଜିଲ୍ଲାକୁ ସାମିଲ କରାଯାଇଛି, ଯେଉଁଥିରେ ଓଡ଼ିଶାର ୬ଟି ଜିଲ୍ଲା ରହିଛି। ଏହି ଅବସରରେ ନାବାର୍ଡର ସିଜିଏମ୍‌ ଡକ୍ଟର କେ ସି ପାଣିଗ୍ରାହୀ, ଆର୍‌ବିଆଇ, ଏସ୍‌ଏଲ୍‌ବିସି ଏବଂ ଆର୍ଥିକ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର