ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ସ୍ବିଜରଲ୍ୟାଣ୍ଡର କିଛି କମ୍ପାନିକୁ ପ୍ରଭାବିତ କରିବା ପରେ ଭାରତ ଓ ସ୍ବିଜରଲ୍ୟାଣ୍ଡ ବାଣିଜ୍ୟ ସମ୍ପର୍କ ଖରାପ ହୋଇଛି। ନେସ୍ଲେ ବିରୋଧରେ କୋର୍ଟ ଦେଇଥିବା ରାୟରେ ଅସନ୍ତୁଷ୍ଟ ହୋଇ ସ୍ବିଜରଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଭାରତକୁ ଦିଆଯାଇଥିବା ସବୁଠୁ ଅନୁଗୃହୀତ ଦେଶ (ଏମ୍ଏଫ୍ଏନ୍) ମାନ୍ୟତାକୁ ପ୍ରତ୍ୟାହାର କରିଛନ୍ତି। ତେଣୁ, ୨୦୨୫ ଜାନୁଆରିରୁ ସ୍ବିଜରଲ୍ୟାଣ୍ଡ୍ରେ ବ୍ୟବସାୟ କରୁଥିବା ଭାରତୀୟ କମ୍ପାନିଗୁଡ଼ିକୁ ଆୟ ଉପରେ ଅଧିକ ଟିକସ ଗଣିବାକୁ ପଡ଼ିବ। ସ୍ବିଜରଲ୍ୟାଣ୍ଡ ଏକ ବିଜ୍ଞପ୍ତି ଜାରି କରି ଜଣାଇଛି ଯେ ସ୍ବିସ୍ ମହାସଂଘ ଓ ଭାରତ ସରକାରଙ୍କ ମଧ୍ୟରେ ଏମ୍ଏଫ୍ଏନ୍ ମାନ୍ୟତାକୁ ନେଇ ହୋଇଥିବା ଚୁକ୍ତିକୁ ପ୍ରତ୍ୟାହାର କରାଯାଉଛି। ନେସ୍ଲେ ବିରୋଧରେ ଭାରତର ସୁପ୍ରିମ୍କୋର୍ଟ ଦେଇଥିବା ରାୟ ଲାଗି ଏଭଳି କଠୋର ପଦକ୍ଷେପ ନିଆଯାଇଛି। ଏହାର ପ୍ରଭାବରେ ନୂଆବର୍ଷଠାରୁ ଭାରତୀୟ କମ୍ପାନିଗୁଡ଼ିକୁ ସ୍ବିଜରଲ୍ୟାଣ୍ଡରେ ମିଳୁଥିବା ଲାଭାଂଶ ଉପରେ ୧୦ ପ୍ରତିଶତ ଟିକସ ଗଣିବାକୁ ପଡ଼ିବ।
ସୁପ୍ରିମ୍କୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ
ଭାରତୀୟ ସଂସ୍ଥା ଗଣିବେ ୧୦% ଟିକସ
ଗତବର୍ଷ ସୁପ୍ରିମ୍କୋର୍ଟ ଏକ ରାୟ ଦେଇଥିଲେ ଯାହା ନେସ୍ଲେ ଭଳି ସ୍ବିଜରଲ୍ୟାଣ୍ଡର କମ୍ପାନିଗୁଡ଼ିକୁ ଭାରତରେ ହେଉଥିବା ଆୟ ଉପରେ ଅଧିକ ଟିକସ ଦେବାକୁ ବାଧ୍ୟ କରିଥିଲା। କମ୍ପାନିଗୁଡ଼ିକ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍କୋର୍ଟ ବଦଳାଇ ଦେଇଥିଲେ। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଏମ୍ଏଫ୍ଏନ୍ ମାନ୍ୟତାକୁ ସ୍ବିଜରଲ୍ୟାଣ୍ଡ୍ ପ୍ରତ୍ୟାହାର କରିଥିବାରୁ ପ୍ରାୟ ୧୦,୦୦୦ କୋଟି ଡଲାରର ପୁଞ୍ଜିନିବେଶ ପ୍ରଭାବିତ ହେବ। ଚଳିତ ବର୍ଷ ମାର୍ଚ୍ଚରେ ଚାରିଟି ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡ, ଲିଚେନଷ୍ଟିନ୍, ନରୱେ ଓ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ୧୫ ବର୍ଷରେ ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବା ଲାଗି ରାଜିନାମା ସ୍ବାକ୍ଷର କରାଯାଇଥିଲା।
ସ୍ବିଜରଲ୍ୟାଣ୍ଡ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଅନ୍ୟ ଦେଶଗୁଡ଼ିକୁ ଦ୍ବେତ ଟିକସ ଏଡାଇବା ଚୁକ୍ତି (ଡିଟିଏଏ)ରେ ଭାରତ ଯେଉଁ ସୁବିଧା ଦେଉଛି, ତାହା ସ୍ବିଜରଲ୍ୟାଣ୍ଡକୁ ଦେଉନାହିଁ। ସ୍ବିଜରଲ୍ୟାଣ୍ଡ ଭାରତ ବିରୋଧରେ ପାତରଅନ୍ତର ଅଭିଯୋଗ ଆଣିଛି। ଏହି ପଦକ୍ଷେପ ଦ୍ବାରା ଦୁଇ ଦେଶର ଟିକସ ବ୍ୟବସ୍ଥା ସମାନ ସ୍ତରକୁ ଚାଲିଆସିଛି ବୋଲି ସ୍ବିଜରଲ୍ୟାଣ୍ଡ କହିଛି। ୨୦୨୧ ଅଗଷ୍ଟରେ ଭାରତକୁ ସ୍ବିଜରଲ୍ୟାଣ୍ଡ ପକ୍ଷରୁ ଏମ୍ଏଫ୍ଏନ୍ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହା ଦ୍ବାରା ଲାଭାଂଶ ଉପରେ ଟିକସ ପରିମାଣ ୫ ପ୍ରତିଶତକୁ ହ୍ରାସ ପାଇଥିଲା। ସେହି ନିୟମକୁ ପିଛିଲା ଭାବେ ୨୦୧୮ ଜୁଲାଇ ୫ରୁ ଲାଗୁ କରାଯାଇଥିଲା। କିନ୍ତୁ ୨୦୨୩ରେ ଭାରତୀୟ ସୁପ୍ରିମକୋର୍ଟ ଦେଇଥିବା ରାୟ ତାହାର ବିରୋଧାଭାସ କରିଥିଲା।