ଫେବ୍ରୁଆରି‌ ୧ରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା: ଜୋତା, ଖେଳନା ମହଙ୍ଗା ହୋଇପାରେ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି‌ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଏଥର ‌ଅନେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇବା ଉପରେ ସରକାର ବିଚାର କରୁଛନ୍ତି। ବିଶେଷ କରି ଜୋତା, କାଗଜ, ଆସବାବପତ୍ର, ରବର ସାମଗ୍ରୀ ଓ ଖେଳନା ଆଦିର ଆମଦାନି ଶୁଳ୍କ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି। ଏହି ସବୁ ସାମଗ୍ରୀର ଆମଦାନି ଶୁଳ୍କ ବଢ଼ାଇବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି।

ଭାରତର ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ରହିଛି। ସେହି ଦେଶଗୁଡ଼ିକ ଜରିଆରେ ଚୀନ୍‌ ଏହାର ଶସ୍ତା ଓ ନିମ୍ନ ମାନର ସାମଗ୍ରୀଗୁଡ଼ିକୁ ଆଣି ଭାରତରେ ପହଞ୍ଚାଉଛି ବା ଡମ୍ପ୍ କରୁଛି। ଆମଦାନି ଶୁଳ୍କରେ ବୃଦ୍ଧି ଘଟିଲେ ଏହି ସମସ୍ୟା ଉପରେ ଅଙ୍କୁଶ ଲଗାଯାଇପାରିବ ବୋଲି ସରକାର ଭାବୁଛନ୍ତି। ପ୍ରାୟ ୩୦୦ ପ୍ରକାର ସାମଗ୍ରୀର ଆମଦାନି ଶୁଳ୍କ ବଢ଼ାଇବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ସେହି ସାମଗ୍ରୀଗୁଡ଼ିକ ହେଉଛି ଆସବାବପତ୍ର ସମେତ ରାସାୟନିକ ପଦାର୍ଥ, କୋଟେଡ କାଗଜ, ପେପର ବୋର୍ଡ ଇତ୍ୟାଦି। ଧାତବ, ପ୍ଲାଷ୍ଟିକ ଓ କାଠ ଖେଳନାର ଆମଦାନି ଉପରେ ଏବେ ୨୦% ଶୁଳ୍କ ଲାଗୁଛି। ତାହାକୁ ୧୦୦% ପର୍ଯ୍ୟନ୍ତ ବଢ଼ାଇବାକୁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ୨୦୧୮-୧୯ରେ ଦେଶକୁ ୩୦.୨ କୋଟି ଡଲାରର ଖେଳନା ଆମଦାନି କରାଯାଇଥିଲା। ସେଥି ମଧ୍ୟରୁ ୨୮.୧୮ କୋଟି ଡଲାରର ଖେଳନା କେବଳ ଚୀନ୍ ଓ ହଂକଂରୁ ଆସିଥିଲା। କାଗଜ ଉପରେ ୨୦% ଆମଦାନି ଶୁଳ୍କ ଲଗାଇବାକୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର