ବ୍ୟାଙ୍କ, ଏଟିଏମ୍‌ରେ ରହିବ ସାନିଟାଇଜର୍, ସାବୁନ, ଲାଗିବ କରୋନା ସଚେତନତା ପୋଷ୍ଟର୍‌

କର୍ମଚାରୀମାନେ ମାସ୍କ ପିନ୍ଧି‌ବେ

ଭୁବନେଶ୍ବର: କରୋନା ଭୂତାଣୁକୁ ନେଇ ସବୁ ବର୍ଗ ଓ ସବୁ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି କରୁଥିବା ରାଜ୍ୟ ସରକାରଙ୍କ ତରଫରୁ ଆଜି ବ୍ୟାଙ୍କଗୁଡ଼ିକ ନିମନ୍ତେ ମାର୍ଗଦଶିକା ଜାରି କରାଯାଇଛି। ଶାଖା ଓ ଏଟିଏମ୍‌ଗୁଡ଼ିକରେ କରୋନା ସଚେତନତା ପୋଷ୍ଟର ଲଗାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବ୍ୟାଙ୍କର ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ମାସ୍କ ପିନ୍ଧିବେ। ୱାସ୍‌ ରୁମ୍ ବା ଶୌଚାଳୟରେ ପର୍ଯ୍ୟାପ୍ତ ପରିମାଣର ହାଣ୍ଡ୍‌ ସାନିଟାଇଜର୍‌ ଓ ହାତ ଧୋଇବା ଲାଗି ସାବୁନ ରଖିବେ। ନିୟମିତ ବ୍ୟବଧାନରେ ହାଣ୍ଡ୍ ସାନିଟାଇଜର କିମ୍ବା ସାବୁନରେ ହାତ ଧୋଇବା ଲାଗି ବ୍ୟାଙ୍କଗୁଡ଼ିକ ନିଜ କର୍ମଚାରୀମାନଙ୍କୁ କହିବେ। ଏଟିଏମ୍‌ଗୁଡ଼ିକରେ ହାଣ୍ଡ୍‌ ସାନିଟାଇଜର୍‌ ରଖିବା ଲାଗି ମଧ୍ୟ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିବା ବେଳେ ଟଙ୍କା ଉଠାଇବା ଲାଗି ଆସୁଥିବା ଗ୍ରାହକମାନଙ୍କୁ ତାହା ବ୍ୟବହାର କରିବା ଲାଗି କହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଶାଖା ଭିତରେ ଭିଡ଼ କମ୍ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। କମ୍ ସଂଖ୍ୟକ ଲୋକଙ୍କୁ ପର୍ଯ୍ୟାୟକ୍ରମେ ଶାଖା ଭିତରୁ ଛାଡ଼ିବା ଓ ଅଧିକ କାଉଣ୍ଟର୍‌ ଖୋଲିବା ଲାଗି ସେମାନଙ୍କୁ କୁହାଯାଇଛି। ଏଟିଏମ୍‌ ଭିତରୁ ଥରକେ ମାତ୍ର ଜଣେ ଗ୍ରାହକଙ୍କୁ ପ୍ରବେଶ ଅନୁମତି ମିଳିବ। କୌଣସି ପରିସ୍ଥିତିରେ ଏଟିଏମ୍ କାଉଣ୍ଟର୍‌ ଭିତରେ ଦୁଇ ଜଣ ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ।

ଗ୍ରାହକମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ କରୋନା ସଚେତନତା ବାର୍ତା ପଠାଇବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଅତି ଦରକାର ନପଡ଼ିଲେ ଶାଖା କିମ୍ବା ଏଟିଏମ୍‌କୁ ନଆସିବା ଲାଗି ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ କହିବେ। ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌କୁ ଅଧିକ ମାତ୍ରାରେ ବ୍ୟବହାର କରିବା ଲାଗି ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ ପରାମର୍ଶ ଦେବେ। ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ଲାଗି ଶାଖାକୁ ନଆସି କିଭଳି ତାହାର ସମାଧାନ ହୋଇପାରିବ ସେଥିପାଇଁ ଗ୍ରାହକଙ୍କ ନିମନ୍ତେ ଉତ୍ସଗୀକୃତ ଫୋନ୍ ନମ୍ବର ଜାରି କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବ୍ୟାଙ୍କିଙ୍ଗ୍‌ କରେସ୍‌ପଣ୍ଡେଣ୍ଟ୍‌ ବା ବିସି ମାନଙ୍କୁ ମଧ୍ୟ ପାଖରେ ହାଣ୍ଡ ସାନିଟାଇଜର ରଖିବା ଓ ମାସ୍କ ପିନ୍ଧିବା ଲାଗି କୁହାଯାଇଛି। ଯେଉଁ ଗ୍ରାମାଞ୍ଚଳଗୁଡ଼ିକରେ ହାଣ୍ଡ୍ ସାନିଟାଇଜର୍‌ ଉପଲବ୍ଧ ହେଉନାହିଁ ସେଠାରେ ଉଭୟ ବିସି ଓ ଗ୍ରାହକମ‌ାନେ ଡେଟଲ୍ ଓ ସାଭଲନ୍ ଆଦିକୁ ବ୍ୟବହାର କରିପାରିବେ ବୋଲି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକାରେ କୁହାଯାଇଛି।

ସମ୍ବନ୍ଧିତ ଖବର