ଭୁବନେଶ୍ବର: ରାଜ୍ୟ ସରକାର ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ କମ୍ପାନିଗୁଡ଼ିକ ସହିତ ଏମଓୟୁ କରିଚାଲିଛନ୍ତି। ଇସ୍ପାତ ଉତ୍ପାଦନରେ ଓଡ଼ିଶାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଏଥିପାଇଁ ସଠିକ୍ ରୋଡ୍ମ୍ୟାପ୍ ନାହିଁ। ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ ରାଉରକେଲାକୁ ଉଠାଇ ନେବାକୁ ଇସ୍ପାତ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଆସନ୍ତା ଅଗଷ୍ଟରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ର ଏକ କ୍ବାର୍ଟର୍ସରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ନାମକୁ ମାତ୍ର କାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ରାଜନେତା ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅଗଷ୍ଟରେ କଳିଙ୍ଗନଗରରୁ ରାଉରକେଲା ଚାଲିଯିବ
ଏକ କ୍ବାର୍ଟର୍ସରେ କାମ କରିବ
ସ୍ମରଣଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ୨୦୦୧ରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୦୪ରେ ଏହି ପ୍ରତିଷ୍ଠାନ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପରେ ପୁରୀଠାରେ କାର୍ଯ୍ୟକ୍ଷମ ହୋଇଥିଲା। ଇସ୍ପାତ ରାଜଧାନୀ ଭାବେ ପରିଚିତ କଳିଙ୍ଗନଗରରେ ୧୩ଟି ଇସ୍ପାତ କାରଖାନା ଗଢିଉଠି୨ା ପରେ ୨୦୨୧ରେ ପୁରୀରୁ ଏହି ପ୍ରତିଷ୍ଠାନକୁ କଳିଙ୍ଗନଗରକୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ସ୍ଥାନାନ୍ତର କରିଥିଲେ। ଗତ ୪ବର୍ଷ ହେଲା କଳିଙ୍ଗନଗରର ଜେସିଡିଏଲ୍ ପରିସରରେ ଏହି କାର୍ଯ୍ୟାଳୟ କାମ କରୁଛି। ପ୍ରତିଷ୍ଠାନର କଳେବର ବୃଦ୍ଧି ପାଇଁ ଇଡ୍କୋ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୨୫ଏକର ଓ ସିଟି କାର୍ଯ୍ୟାଳୟ ପାଇଁ ଭୁବନେଶ୍ବର ବାଲିଅନ୍ତାଠାରେ ୫ଏକର ଜମି ସରକାର ଯୋଗାଇ ଦେଇଛନ୍ତି। ଏହି ପ୍ରତିଷ୍ଠାନ ଦ୍ବାରା ଇସ୍ପାତ କାରବାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ରହିଛି। ଅଥଚ ସେଥିପ୍ରତି ଗୁରୁତ୍ବ ଦେବା ପରିବର୍ତ୍ତେ ରାଉରକେଲାଠାରେ ଏକ କ୍ବାର୍ଟର୍ସକୁ ପ୍ରତିଷ୍ଠାନର କାର୍ଯ୍ୟାଳୟ ସ୍ଥାନାନ୍ତର କରିବା ସହିତ ସରକାର ଯୋଗାଇ ଥିବା ଜମି ଫେରାଇ ଦେବାକୁ କୁହାଯାଇଛି। ଏହି ପ୍ରତିଷ୍ଠାନର ସ୍ଥାୟୀ ନିର୍ଦ୍ଦେଶକ ନାହାନ୍ତି। ଅଥଚ ପ୍ରତିଷ୍ଠାନକୁ ବିଶ୍ବ ସ୍ତରୀୟ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଘୋଷଣା କରିଥିଲେ। ଏହି ପ୍ରତିଷ୍ଠାନକୁ ଅଧିକ ବ୍ୟାପକ କରିବା ସହିତ ଶ୍ରୀହୀନ ନକରିବା ପାଇଁ ଯାଜପୁର ସାଂସଦ ରବିନାରାୟଣ ବେହେରା ଓ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।