ସିଦ୍ଧୁ-ଚନ୍ନି ଆଲୋଚନା: ୧୩ ସୂତ୍ରୀ କାର୍ଯ୍ୟକ୍ରମ ଚୂଡ଼ାନ୍ତ

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ରବିବାର ପରସ୍ପରକୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ପରସ୍ପର ଭିତରେ କେଶାକେଶୀ ଛାଡ଼ି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମିଳିତ ଭାବେ ପ୍ରସ୍ତୁତ ହେବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେବା ପରେ କିଛିଦିନର ବିବାଦ ପରେ ଦୁଇ ବନ୍ଧୁଙ୍କର ପୁନର୍ମିଳନ ଦେଖିବାକୁ ମିଳିଥିଲା।

ଚଣ୍ଡୀଗଡ଼ରେ ଉଭୟଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଏଆଇସିସି ପର୍ଯ୍ୟବେକ୍ଷକ ହରିଶ ରାୱତ, ଏଆଇସିସି ଯୁଗ୍ମ ସଚିବ କ୍ରିଷ୍ଣା ଆଲ୍ଲାବରୁ ଏବଂ ପଞ୍ଜାବ ମନ୍ତ୍ରୀ ତଥା ପିପିସିସି ସାଧାରଣ ସମ୍ପାଦକ ପାରଗତ ସିଂହ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନି ତାଙ୍କ ସହ ପରାମର୍ଶ ନ କରି ଆଡ୍‌ଭୋକେଟ୍ ଜେନେରାଲ (ଏଜି) ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିଯୁକ୍ତି ଦେଇଥିବାରୁ ଅପମାନିତ ମନେକରି ନିକଟରେ ସିଦ୍ଧୁ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବାର ଦିନକ ପରେ ଚନ୍ନି ତାଙ୍କ ପାଖରେ ପହଞ୍ଚି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେମାନେ ଏକ ପାର୍ଟି ଗଭର୍ଣ୍ଣମେଣ୍ଟ କୋ-ଅର୍ଡିନେଶନ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଅକ୍ଟୋବର ୧୪ରେ ହରିଶ ରାୱତ ଓ କେସି ବେଣୁଗୋପାଳ ଏବଂ ୧୫ରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ୍ କରିବା ପରେ ସିଦ୍ଧୁ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଥିଲେ। ପ୍ରାପ୍ତ ସୂଚନା ଅନୁସାରେ ଦଳ ହାଇକମାଣ୍ଡ ରାଜ୍ୟ ନେତାମାନଙ୍କ ସହ ନିୟମିତ ଯୋଗାଯୋଗରେ ରହୁଛନ୍ତି ଏବଂ ପରିସ୍ଥିତିକୁ ନଜରରେ ରଖିଛନ୍ତି। ଦଳ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ନ ଥିବା ନେଇ ବିରୋଧୀ ଦଳ ପକ୍ଷରୁ ଆକ୍ରମଣ କରାଯାଉଥିବା ବେଳେ ଅନ୍ତର୍ଦ୍ବନ୍ଦ୍ବ ଯୋଗୁ ରାଜ୍ୟ କଂଗ୍ରେସ କିଛିଦିନ ହେଲା ଅତ୍ୟନ୍ତ ଅସମ୍ଭାଳ ପରିସ୍ଥିତି ଦେଇ ଗତି କରିଆସୁଛି।

ପଞ୍ଜାବର ଉନ୍ନତି ପାଇଁ ସିଦ୍ଧୁ କେତେକ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଅବସରରେ ସେ ଅପବିତ୍ରୀକରଣ ମାମଲାରେ ତ୍ବରିତ ନ୍ୟାୟ ପ୍ରଦାନ ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ହାଇକମାଣ୍ଡଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହଙ୍କୁ ୧୮ ସୂତ୍ରୀ କାର୍ଯ୍ୟକ୍ରମର ଦାୟିତ୍ବ ଦିଆଯାଇଥିବା ବେଳେ ପରେ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ୫ ସୂତ୍ରୀ ପ୍ରାଥମିକତା କାର୍ଯ୍ୟସୂଚୀ ହସ୍ତାନ୍ତର କରିଥିଲେ। କିନ୍ତୁ ସେଗୁଡ଼ିକ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। ସିଦ୍ଧୁ ବର୍ତ୍ତମାନ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ୧୮ଟିରୁ ୫ଟି ବାଦ୍ ଦେଇ କେବଳ ୧୩ଟି ପଏଣ୍ଟକୁ ଗୁରୁତ୍ବ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାୟିତ୍ବ ଦେଇଛନ୍ତି। ଚନ୍ନିଙ୍କ ପାଇଁ ଏହା ଏକ ବଡ଼ ଆହ୍ବାନ କାରଣ ଏଥିରେ କେତେକ ବିବାଦୀୟ ପ୍ରସଙ୍ଗ ବି ରହିଛି।

ଲୁଧିଆନା ରେଞ୍ଜ୍‌ର କମିସନର ଗୁରପ୍ରୀତ ସିଂହ ଭୁଲ୍ଲରଙ୍କ ନେତୃତ୍ବରେ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି। ଅପବିତ୍ରୀକରଣ ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସେମାନଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟ ଡିଜିପି ଇକବାଲ ପ୍ରୀତ ସିଂହ ସହୋଟା କମିଟିର ଦୈନନ୍ଦିନ କାର୍ଯ୍ୟ ତଦାରଖ କରିବେ। ସିଦ୍ଧୁ ଯେଉଁ ପ୍ରସଙ୍ଗକୁ ସବୁଠୁ ବେଶି ଗୁରୁତ୍ବ ଦେଇଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି: ଅପବିତ୍ରୀକରଣ ମାମଲାରେ ପୀଡ଼ିତଙ୍କୁ ନ୍ୟାୟ ଦେବା, ନିଶା କାରବାର, କୃଷି ପ୍ରସଙ୍ଗ, ଶସ୍ତା ବିଜୁଳି, ତ୍ରୁଟିପୂର୍ଣ୍ଣ ଶକ୍ତିକ୍ରୟ ଚୁକ୍ତିନାମାକୁ ବାତିଲ କରିବା, ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କ କଲ୍ୟାଣ, ସଶକ୍ତୀକରଣ, ମଦ ବେପାର, ବାଲି ଚାଲାଣ, ପରିବହନ ଓ କେବୁଲ ମାଫିଆ। ଏସବୁ କାର୍ଯ୍ୟକ୍ରମ ଉପରେ ତୁରନ୍ତ କାର୍ଯ୍ୟ ନ କଲେ ରାଜ୍ୟରେ ଦଳର ସ୍ଥିତି ଦୁର୍ବଳରୁ ଦୁର୍ବଳତର ହୋଇପଡ଼ିବ ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିବ।

ସମ୍ବନ୍ଧିତ ଖବର