କାର୍ ବିକ୍ରିରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଗାଡ଼ି ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଡିଳରସିପ୍‌ଗୁଡ଼ିକ ବନ୍ଦ ରହିବାରୁ ଗାଡ଼ି ବିକ୍ରି କିମ୍ବା ଡେଲିଭରି ଗୁରୁତର ଭାବେ ବ୍ୟାହତ ହୋଇଥିଲା। ସେଥିପାଇଁ ଦେଶର ଅନେକ ପ୍ରମୁଖ କଂପାନିର ଗାଡ଼ି ବିକ୍ରି ଏହି ମାସରେ ହ୍ରାସ ପାଇଛି। ଦେଶର ସବୁଠୁ ବଡ଼ କାର୍‌ ନିର୍ମାତା ମାରୁତି ସୁଜୁକିର ବିକ୍ରି ମେ’ ମାସରେ ୭୧% ହ୍ରାସ ପାଇଛି। ଏହି ମାସରେ କଂପାନି ମାତ୍ର ୪୬,୫୫୫ଟି ଗାଡ଼ି ବିକ୍ରି କରିଛି। ଗତବର୍ଷ ମେ’ରେ କଂପାନି ୧,୫୯,୬୯୧ଟି ଗାଡ଼ି ବିକିଥିଲା।

ଦେଶରେ ଅକ୍ସିଜେନ୍ ସଙ୍କଟ ଦେଖାଦେବାରୁ କଂପାନି ଏହାର କାରଖାନାରେ ଉତ୍ପାଦନକୁ ମେ’ ୧ରୁ ୧୬ ପର୍ଯ୍ୟନ୍ତ ବନ୍ଦ କରି ମେଡିକାଲ୍ ଅକ୍ସିଜେନ୍ ଉତ୍ପାଦନ କରିଥିଲା। ମାରୁତି ସୁଜୁକିର ଡିଲର୍‌ଗୁଡ଼ିକ ଦେଶ ଭିତରେ ଗତ ଏପ୍ରିଲ୍ ମାସରେ ୩୫,୨୯୩ଟି ଗାଡ଼ି ଡେଲିଭରି ଦେଇଥିଲେ। ୨୦୨୦ର ୧,୪୨,୪୫୪ଟି ଗାଡ଼ିର ଡେଲିଭରି ତୁଳନାରେ ତାହା ୭୫% କମ୍ ଥିଲା। ଅନ୍ୟତମ ପ୍ରମୁଖ କାର୍ ନିର୍ମାତା ହୁଣ୍ଡାଇ ମୋଟର ଇଣ୍ଡିଆର ବିକ୍ରି ମେ’ ମାସରେ ୪୮% ହ୍ରାସ ପାଇଛି। କଂପାନି ଏହି ମାସରେ ୩୦,୭୦୩ଟି ଗାଡ଼ି ବିକିଛି। ଦେଶ ଭିତରେ ବିକ୍ରି ୪୯% ହ୍ରାସ ପାଇ ୨୫,୦୦୧ ୟୁନିଟ୍ ହୋଇଛି। ଏହି ମାସରେ କଂପାନିର ରପ୍ତାନି ମଧ୍ୟ ୪୪% ହ୍ରାସ ପାଇ ୫,୭୦୨ ୟୁନିଟ୍ ହୋଇଛି। ଗତ ଏପ୍ରିଲ୍‌ରେ କଂପାନି ୫୯,୨୦୩ଟି ଗାଡ଼ି ବିକିଥିଲା। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ବିକ୍ରି ୫୨% ହ୍ରାସ ପାଇଛି।

କଂପାନି ୧୭,୪୪୭ଟି ଗାଡ଼ି ବିକିଛି। କଂପାନି ୮୦୦୪ଟି ଯାତ୍ରୀବାହୀ ଯାନ ବିକିଛି ଯାହା ଏପ୍ରିଲ୍ ମାସ ତୁଳନାରେ ୫୬% କମ୍। କଂପାନିର ବାଣିଜ୍ୟିକ ଯାନ ବିକ୍ରି ୫୩% ହ୍ରାସ ପାଇ ୭୫୦୮ ୟୁନିଟ୍ ରହିଛି। ମହିନ୍ଦ୍ରା ୧୯୩୫ଟି ଗାଡ଼ି ରପ୍ତାନି କରିଛି। ମେ’ ମାସରେ ଟାଟା ମୋଟର୍ସର ବିକ୍ରି ୩୮% ହ୍ରାସ ପାଇଛି। କଂପାନି ୨୪,୫୫୨ଟି ଗାଡ଼ି ବିକିଛି। ଚଳିତ ବର୍ଷ ଏପ୍ରିଲ୍‌ରେ କଂପାନି ୩୯,୫୩୦ଟି ଗାଡ଼ି ବିକିଥିଲା। କଂପାନିର ଯାତ୍ରୀବାହୀ ଯାନ ବିକ୍ରି ୪୦% ହ୍ରାସ ପାଇ ୧୫,୧୮୧କୁ ଖସି ଆସିଛି। ଏହି ମାସରେ ଟାଟାର ବାଣିଜ୍ୟିକ ଯାନ ବିକ୍ରି ୩୫ ପ୍ରତିଶତ ହ୍ରାସ ପାଇ ୯୩୭୧ ୟୁନିଟ୍ ହୋଇଛି।

ଦୁଇ ଚକିଆ ଯାନ କଂପାନି ମଧ୍ୟରେ ବଜାଜ ଅଟୋ ମେ’ ମାସରେ ଜବରଦସ୍ତ ପ୍ରଦର୍ଶନ କରିଛି। କଂପାନି ଏହି ମାସରେ ୨,୭୧,୮୬୨ଟି ଗାଡ଼ି ବିକ୍ରି କରିଛି। ଗତବର୍ଷର ଏହି ମାସ ତୁଳନାରେ କଂପାନି ୧୧୪% ବୃଦ୍ଧି ହାସଲ କରିଛି। ଦେଶ ଭିତରେ କଂପାନି ୫୨% ବୃଦ୍ଧି ସହ ୬୦,୮୩୦ଟି ଗାଡ଼ି ବିକିଛି। ସେହି ସମୟରେ ୨,୧୧,୦୩୨ଟି ଗାଡ଼ି ରପ୍ତାନି କରିଛି। ମେ’ ମାସରେ କଂପାନି ୩୧,୩୦୮ଟି ତିନିଚକିଆ ଯାନ ବିକ୍ରି କରିଛି।

ସମ୍ବନ୍ଧିତ ଖବର