ଶ୍ରୀଲଙ୍କା ନରସଂହାର ପରେ, ୨୦୦ ମୁସଲିମ୍‌ ଧର୍ମଗୁରୁ ଦେଶରୁ ବହିଷ୍କାର

କଲମ୍ବୋ: ଇଷ୍ଟର୍‌ ଦିନ ସିରିଜ୍‌ ବୋମା ବିସ୍ଫୋରଣରେ ୨୫୭ ଜଣ ନିହତ ହେବା ପରେ ଶ୍ରୀଲଙ୍କା ସରକାର ରବିବାର ଦିନ ଏକ କଠୋର ପଦକ୍ଷେପ ନେଇଛନ୍ତି। ଶ୍ରୀଲଙ୍କା ୨୦୦ ମୁସଲିମ ଧର୍ମଗୁରୁଙ୍କ ସମେତ ୬୦୦ ବିଦେଶୀଙ୍କୁ ଦେଶରୁ ବହିଷ୍କାର କରିଛି। ଶ୍ରୀଲଙ୍କା ଗୃହ ମନ୍ତ୍ରୀ ବାଜିରା ଅବେୱର୍ଦନେ ସୂଚନା ଦେଇ କହିଛନ୍ତି, ଦେଶରୁ ବହିଷ୍କାର ହୋଇଥିବା ଧର୍ମଗୁରୁମାନେ ଆଇନ ମୁତାବକ ଶ୍ରୀଲଙ୍କା ଆସିଥିଲେ ମଧ୍ୟ ସେମାନଙ୍କ ଭିସା ସମୟସୀମା ଶେଷ ହେଲା ପରେ ମଧ୍ୟ ରହିଛନ୍ତି। ବର୍ତ୍ତମାନର ପରିସ୍ଥିତରେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଦେଶରୁ ବିଦା କରାଯାଇଛି। ଇଷ୍ଟର୍‌ ନରସଂହାର ପରେ ବର୍ତ୍ତମାନ ଭିସା ନିୟମର ସମୀକ୍ଷା କରାଯିବା ସହ ଧର୍ମଗୁରୁମାନଙ୍କ ଭିସା କଟକଣା ଉପରେ ବିଚାର କରାଯାଉଥିବା ଅବେୟୱର୍ଦନେ ସୂଚନା ଦେଇଛନ୍ତି। ବହିଷ୍କାର ହୋଇଥିବା ଧର୍ମଗୁରୁମାନେ ସେମାନଙ୍କ ନାଗରିକତା ସଂପର୍କରେ ବିଶେଷ ତଥ୍ୟ ଦେଇନଥିଲେ ମଧ୍ୟ ଅଧିକାଂଶ ବାଂଲାଦେଶ, ଭାରତ, ମାଳଦୀପ ଏବଂ ପାକିସ୍ତାନରୁ ଆସି ଦେଶରେ ଅଧିକ ସମୟ ଧରି ରହିଆସିଛନ୍ତି। ବହୁ ଧାର୍ମିକ ସଂସ୍ଥା ବାହାର ଦେଶରୁ ଧର୍ମଗୁରୁଙ୍କୁ ଶ୍ରୀଲଙ୍କାରେ ନିୟୋଜିତ କରୁଛନ୍ତି। ଏଭଳି ସଂସ୍ଥାଗୁଡିକ ଛତୁ ଫୁଟିଲା ଭଳି ଦେଶରେ କାୟା ବିସ୍ତାର କରୁଛନ୍ତି। ଏହାରି ଉପରେ ବର୍ତ୍ତମାନ ଧ୍ୟାନ ଦିଆଯାଉଛି ବୋଲି ଅବେୱର୍ଦନେ ସ୍ପଷ୍ଟ କରିଛନ୍ତି।

ସୂଚନା ଥାଉକି, ଇଷ୍ଟର୍‌ ଦିନ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣ ପଛରେ ଜଣେ ଧର୍ମଗୁରୁଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଉକ୍ତ ଧର୍ମଗୁରୁ ଜଣକ ଭାରତରୁ ଯାଇ ଶ୍ରୀଲଙ୍କାରେ ଜିହାଦି ସଂଗଠନ କରି ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ ଯେଉଁଥିରେ ୨୫୭ ଜଣ ନିହତ ହେବା ସହ ୫୦୦ରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର