ଭୁବନେଶ୍ବର: ରାଜ୍ୟରେ‌ ସେମିକଣ୍ଡକ୍ଟର ଉତ୍ପାଦନର ଭିତ୍ତି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏଠାରେ ଅତ୍ୟାଧୁନିକ ଉତ୍ପାଦ ନିର୍ମାଣ କରାଯିବା ସହ ଏହି ପ୍ରକଳ୍ପ ରାଜ୍ୟର ପ୍ରତିଭାବାନ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଓଡ଼ିଶା ହେଉଛି ଦେଶର କିଛି ହାତଗଣତି ରାଜ୍ୟ ମଧ୍ୟରୁ ଅନ୍ୟତମ ଯାହା ସେମିକଣ୍ଡକ୍ଟର ନୀତି ପ୍ରଣୟନ କରିଛି। ଏହା ଓ-ଚିପ୍ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛି।

Advertisment

କାରଖାନା ସ୍ଥାପନ କରୁଥିବା ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଖୁବ୍‌ଶୀଘ୍ର ଆଇଆଇଟି ଭୁବନେଶ୍ବର ସହିତ ବୈଷୟିକ ଓ ଗବେଷଣା ସହ‌ଯୋଗିତା ସ୍ଥାପନ କରିବାକୁ ଯାଉଛି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ସ୍ବତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ଶ୍ରୀପଦ କର୍ମାକର, ଆର୍‌ଆଇଆର୍‌ର ଅଧ୍ୟକ୍ଷ ଡ. ହର୍ଷଦ ମେହଟ୍ଟା, ଭାବନା ଏଚ୍‌ ମେହଟ୍ଟା ଉପସ୍ଥିତ ଥିଲେ।