ଭୁବନେଶ୍ବର: ଓଡ଼ିଶାରେ ୧୫୦ ମିମି ସିଲିକନ କାର୍ବାଇଡ୍ ଉତ୍ପାଦନ ଆରମ୍ଭ ହେବ। ଆମେରିକାର ସିଲିକନ ପାୱାର ଗ୍ରୁପ୍ ଭାରତରେ ଥିବା ନିଜର ସହଯୋଗୀ ସଂସ୍ଥା ଆରଆଇଆର ପାୱାର ଇଲେକଟ୍ରୋନିକ୍ସ ସହାୟତାରେ ଏହାକୁ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ କମ୍ପାନି ହଜାର କୋଟି ନିବେଶ କରିବ। ଆମେରିକା ଗସ୍ତରେ ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳକୁ ଆରଆଇଆର ପାୱାର କମ୍ପାନିର ମାଲିକ ହର୍ଷଦ ମେହଟା ଏଲ୍ଓଆଇ(ଲେଟର ଅଫ ଇଣ୍ଟେଣ୍ଟ) ପ୍ରଦାନ କରିଛନ୍ତି। ରାଜ୍ୟରେ ପ୍ରଥମଥର ଲାଗି ଏଭଳି ଉତ୍ପାଦନ ସୁବିଧା ଆରମ୍ଭ ହେବାକୁ ଯାଉଛି। ଯାହାକି ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ଶ୍ରୀ ମେହଟା ୧୯୯୪ ମସିହାରେ ଏହି କମ୍ପାନିକୁ ପ୍ରତିଷ୍ଠା କରିଥିଲେ।
ସିଲିକନ ପାୱାର ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ସଂସ୍ଥା। ଆସନ୍ତା ୧ମାସ ଭିତରେ ଶ୍ରୀ ମେହଟାଙ୍କ ସମେତ ଏକ ଟିମ୍ ଓଡ଼ିଶା ପରିଦର୍ଶନ କରିବେ। ଆସନ୍ତା ୧୮-୨୪ ମାସ ଭିତରେ କମ୍ପାନି ପକ୍ଷରୁ ଉତ୍ପାଦନ ଆରମ୍ଭ ହେବ। ଓଡ଼ିଶାର ପ୍ରତିନିଧି ଦଳ ସହିତ କମ୍ପାନି କର୍ତୃପକ୍ଷଙ୍କ ଏକ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ, ବିଭିନ୍ନ ନୀତି ଅନୁଯାୟୀ ମିଳୁଥିବା ପ୍ୟାକେଜ୍ ଆଦି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ମିଡିଅମ ଭୋଲଟେଜ୍, ସବ-ସାଇକେଲ ସ୍ବିଚିଂ ଟେକ୍ନୋଲୋଜିରେ ସିଲିକନ୍ ପାୱାର ଏକ ଅଗ୍ରଣୀ ସଂସ୍ଥା। ସହଯୋଗୀ ସଂସ୍ଥା ଆରଆଇଆର ପାୱାର ଇଲେକଟ୍ରୋନିକ୍ସ ଜରିଆରେ ଏହା ଭାରତରେ ଇନୋଭା ପାୱାର ସଲ୍ୟୁସନ ଗ୍ରୁପ୍ କାର୍ଯ୍ୟ କରୁଛି। ଆରଆଇଆର ଶିଳ୍ପ, ବୈଦ୍ୟୁତିକ ଉପଯୋଗୀତା, ରେଳବାଇ, ପତିରକ୍ଷା ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି।
୪୦ ସିଇଓଙ୍କୁ ଭେଟିଲେ
ଭୁବନେଶ୍ବର/ ପାଲୋ ଆଲ୍ଟୋ: ଆମେରିକାର ସିଲିକନ୍ ଭାଲି ଗସ୍ତରେ ଥିବା ଓଡ଼ିଶା ପ୍ରତିନିଧି ଦଳ ଆଜି ବିଶ୍ବର ପ୍ରମୁଖ ପ୍ରଯୁକ୍ତି କଂପାନି ମେଟା, ଗୁଗୁଲ୍, ଡେଲ୍, ଇଣ୍ଟେଲ୍, ସୋନି, ଫାଲ୍କନ୍ ଏକ୍ସ, ଆମାଜନ ଏଡବ୍ଲୁଏସ୍ ଆଦିର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ଆଡ୍ଭାନ୍ସଡ୍ ସେମିକଣ୍ଡକ୍ଟର ଇଞ୍ଜିନିୟରିଂ (ଏଏସ୍ଇ)ର ବରିଷ୍ଠ ଉପସଭାପତି ୟିନ୍ ଚାଙ୍ଗଙ୍କୁ ଭେଟିଛନ୍ତି। ଏଏସ୍ଇ ଟିମ୍ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛି। ଏହି ଅବସରରେ ଅନୁଷ୍ଠିତ ଡିପ୍-ଟେକ୍ ରାଉଣ୍ଡ୍ଟେବୁଲ୍ କାର୍ଯ୍ୟକ୍ରମରେ ୪୦ ସିଇଓ ଯୋଗଦେଇଥିଲେ।
ଓଡ଼ିଶା ପ୍ରତିନିଧି ଦଳ ଇଣ୍ଟେଲ୍ର ଜିଏମ୍ ହୁମା ଆବିଦି, ଟାକ୍ୟୁମ୍ର ସହ ପ୍ରତିଷ୍ଠାତା ରାଡୋ ଡାନିଲାକ୍, ୩ଡି ଗ୍ଲାସ୍ ସଲ୍ୟୁସନ୍ସର ସିଇଓ ବାବୁ ମଣ୍ଡାଭା, କାଜ୍ ଭେଞ୍ଚର୍ସର ମ୍ୟାନେଜିଂ ପାର୍ଟନର ବି ଭି ଜଗଦ୍ଦୀଶ, ଗ୍ରାନାଇଟ୍ ହିଲ୍ କ୍ୟାପିଟାଲ୍ ପାର୍ଟନର୍ସର ସହ ପ୍ରତିଷ୍ଠାତା ଶୈଳେଶ ମେହ୍ଟ୍ଟା, ନ୍ୟୁମେମ୍ର ସିଇଓ ଜ୍ୟାକ୍ ଗୁଡେଜ୍ଙ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାରରେ ଗ୍ରାମୀଣ ଓ ଆଦିବାସୀ ବାଳିକାଙ୍କ ଶିକ୍ଷାରେ ସହଯୋଗ ପ୍ରଦାନ କରିବାକୁ ଇଣ୍ଟେଲ୍ର ହୁମା ଆବିଦି ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅବସରରେ ସିଲିକନ ଭାଲିର ଯୁବବର୍ଗଙ୍କୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାରତ ଓ ଓଡ଼ିଶା ସହ ସମ୍ପର୍କ ଥିବା ବହୁ ଲୋକ ଏଥିରେ ଯୋଗଦେଇଥିଲେ। ଓଡ଼ିଶାର ଅଭିବୃଦ୍ଧି କାହାଣୀ ସହ ପ୍ରବାସୀଙ୍କୁ ଯୋଡ଼ିବାର ସମ୍ଭାବନା ବିଷୟରେ ଆଲୋଚନା ହୋଇଥିଲା।