ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଉପସ୍ଥିତିରେ ସିଲ୍କ୍ୟାରା ସୁଡ଼ଙ୍ଗର ବ୍ରେକ୍ଥ୍ରୁ ସେରେମନି (ପ୍ରଗତି ସମାରୋହ) ଅନୁଷ୍ଠିତ ହୋଇଯାଇଛି। ୨୦୨୩ରେ ଏହି ସୁଡ଼ଙ୍ଗରେ ୪୧ ଜଣ ଶ୍ରମିକ ୧୭ ଦିନ ପର୍ଯ୍ୟନ୍ତ ଫସି ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ସେମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ୪.୫୩ କିଲୋମିଟର ତଥା ଦୁଇଲେନ୍ ବିଶିଷ୍ଟ ସିଲ୍କ୍ୟାରା ସୁଡ଼ଙ୍ଗ ହେଉଛି ଏକ ୮୫୩ କୋଟି ଟଙ୍କାର ପ୍ରକଳ୍ପ।
ଏହା ଦ୍ବାରା ଗଙ୍ଗୋତ୍ରୀରୁ ଯମୋନୋତ୍ରୀ ଧାମକୁ ଦୂରତା ୨୬ କିଲୋମିଟର କମିଯିବ। ଏହି ଅବସରରେ ଶ୍ରୀ ଧାମି ଉଦ୍ଧାରକାରୀ ଦଳ, ରୢାଟ୍ ମାଇନର୍, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଓ ଉଦ୍ଧାର କାର୍ଯ୍ୟରେ ଜଡ଼ିତ ଥିବା ସମସ୍ତ ଏଜେନ୍ସି ପ୍ରତି କୃତଜ୍ଞତା ଜଣାଇଥିଲେ। ଏଥି ସହିତ ସେ ବାବା ଭୌଖନାଗ ମନ୍ଦିରର ଅଭିଷେକ ସମାରୋହରେ ସାମିଲ ହୋଇଥିଲେ। ସିଲ୍କ୍ୟାରା ସୁଡ଼ଙ୍ଗର ନାମ ବାବା ଭୌଖନାଗଙ୍କ ନାମରେ ନାମିତ ହେବ ବୋଲି ସେ ଘୋଷଣା କରିଛନ୍ତି। ଭୌଖନାଗ ଟିବାକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ। ସ୍ୟାଲନା ନିକଟରେ ଏକ ହେଲିପ୍ୟାଡ୍ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି।