ଭୁବନେଶ୍ବର: ରୁପା ଦର ନିଆଁ ଲାଗିବା ଭଳି ବଢ଼ିଚାଲିଛି। ବୁଧବାର ଭୁବନେଶ୍ବରରେ ରୁପା କେଜି ୨୯୦୦ ଟଙ୍କା ବୃଦ୍ଧି ପାଇ ୧,୭୦,୦୦୦ ଟଙ୍କା ହୋଇଛି। ଖୁବ୍ କମ୍ ସମୟ ଭିତରେ ରୁପାରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି। କେବଳ ଚଳିତ ମାସର ପ୍ରଥମ ସପ୍ତାହରେ ରୁପା ମୂଲ୍ୟରେ ପ୍ରାୟ ୧୧ ହଜାର ଟଙ୍କାର ବୃଦ୍ଧି ହୋଇଥିବାରୁ ତାହା ଏଭଳି ଚିନ୍ତାଜନକ ସ୍ତରକୁ ବୃଦ୍ଧି ପାଇଛି। ଇଲେକ୍ଟ୍ରିକ୍ ଯାନଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ କାର୍ଯ୍ୟରେ ରୁପା ବ୍ୟବହାର ହେଉଥିବାରୁ ତାହାର ଚାହିଦା ବଢ଼ିବାରେ ଲାଗିଛି। ଏହା ବ୍ୟତୀତ ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ମଧ୍ୟ ରୁପା ଆଗରେ ରହିଛି। ସେଥିପାଇଁ ବହୁ ସଂଖ୍ୟାରେ ନିବେଶକ ରୁପାରେ ନିବେଶ କରିବାକୁ ଆଗେଇ ଆସିଥିବାରୁ ତାହାର ଚାହିଦା ବଢ଼ିଛି।
ଅନ୍ୟ ପକ୍ଷରେ, ଗତ ତିନି ଦିନ ହେଲାଣି ସୁନା ଦର ମଧ୍ୟ ଲଗାତାର ଭାବେ ବଢ଼ୁଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ବୁଧବାର ୧୭୫୦ ଟଙ୍କା ବୃଦ୍ଧି ହୋଇଥିବାରୁ ତାହାର ଦର ୧,୧୩,୬୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ୧୯୧୦ ଟଙ୍କା ବଢ଼ି ୧,୨୩,୯୩୦ ଟଙ୍କା ହୋଇଛି। ୧୮ କ୍ୟାରେଟ୍ ସୁନା ଦାମ୍ ୧୪୩୦ ଟଙ୍କା ବଢ଼ି ୯୨,୯୫୦ ଟଙ୍କା ହୋଇଛି। ଚଳିତ ସପ୍ତାହର ସୋମବାର ୨୨ କ୍ୟାରେଟ୍ ସୁନା ଦର ୧୨୫୦ ଟଙ୍କା, ମଙ୍ଗଳବାର ୧୧୫୦ ଟଙ୍କା ଓ ବୁଧବାର ୧୭୫୦ ଟଙ୍କା ବଢ଼ିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ଏହି ତିନି ଦିନରେ ଯଥାକ୍ରମେ ୧୩୭୦ ଟଙ୍କା, ୧୨୫୦ ଟଙ୍କା ଓ ୧୯୧୦ ଟଙ୍କା ବୃଦ୍ଧି ପାଇଛି। ତିନି ଦିନରେ ୨୨ କ୍ୟାରେଟ୍ ସୁନା ଦର ୪୫୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୪୫୩୦ ଟଙ୍କା ବଢ଼ିଛି।
ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୦୦୦ ଡଲାରରୁ ଅଧିକ ହେବା ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହୁଥିବାରୁ ସୁନା ଓ ରୁପା ମହଙ୍ଗା ହେଉଛି। କେବଳ ଓଡ଼ିଶା ନୁହେଁ ସାରା ବିଶ୍ବରେ ସୁନା ଦର ବଢ଼ୁଛି। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟ ୫୬ ପ୍ରତିଶତ ଓ ରୁପା ଦରରେ ୬୯ ପ୍ରତିଶତର ବୃଦ୍ଧି ହୋଇଛି। ଗୋଟିଏ ପଟେ ନିବେଶକମାନଙ୍କ ଲାଗି ଏହି ଦୁଇ ଧାତୁ ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଗହଣା ବିକ୍ରେତା ଓ ଗ୍ରାହକମାନଙ୍କ ପାଇଁ ଏହାର ଦର ଚିନ୍ତାର କାରଣ ପାଲଟିଛି। ଏଭଳି ଚଢ଼ା ଦରରେ ଗହଣା କିଣିବା ଅନେକ ଗ୍ରାହକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।