ଭୁବନେଶ୍ବର: ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି। ସେହିଭଳି ୨୪ କ୍ୟାରେଟ୍ ସୁନା ଦାମ୍ ୮୭୦ ଟଙ୍କା ବଢ଼ି ୧,୧୧,୯୩୦ ଟଙ୍କାରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ ସୁନା ମହଙ୍ଗା ହୋଇଛି।
ସର୍ବଭାରତୀୟ ସରାଫା ସଂଘ ସୂଚନା ଅନୁସାରେ ଦିଲ୍ଲୀରେ ୯୯.୫ ଶୁଦ୍ଧତାର ସୁନାର ୧୦ ଗ୍ରାମ ପିଛା ଦାମ୍ ୧୮୦୦ ଟଙ୍କା ବୃଦ୍ଧି ପାଇବା ସହ ଟିକସକୁ ମିଶାଇ ୧,୧୪,୬୦୦ ଟଙ୍କା ହୋଇଛି। ରୁପା ଦାମ୍ ମଧ୍ୟ ୫୭୦ ଟଙ୍କା ବୃଦ୍ଧି ପାଇ ୧,୩୨,୮୭୦ ଟଙ୍କା ହୋଇଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଯାଉଥିବାରୁ ସୁନା ଦର ବଢ଼ୁଛି। ଏହା ବ୍ୟତୀତ ଦୁର୍ବଳ ଡଲାର ମଧ୍ୟ ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୩,୭୩୬.୯୭ ଡଲାରରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/18/goldsilver-2025-07-18-02-03-37.jpg)