ପାକିସ୍ତାନ ଭଳି ସ୍ଥିତି: ମାନ୍ଦାବସ୍ଥା କବଳରେ ଜର୍ମାନୀ, ଉଭୟ ଦେଶର ଅଭିବୃଦ୍ଧି ୦.୩%

ଭାରତ ଅନ୍ୟମାନଙ୍କୁ ପଛରେ ପକାଇବ: ନାଗେଶ୍ବରନ

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଅର୍ଥନୈତିକ ମହାଶକ୍ତି ଭାବେ ପରିଗଣିତ ଜର୍ମାନୀର ଅବସ୍ଥା ପାକିସ୍ତାନ ଭଳି ଖରାପ ‌ହୋଇଯାଇଛି। ଆର୍ଥିକ ସଙ୍କଟର ମୁକାବିଲା କରିବାରେ ବିଫଳ ହୋଇଥିବା ଏହି ଦୁଇ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ହାର ୦.୩%କୁ ହ୍ରାସ ପାଇଛି। ୟୁରୋପର ପ୍ରଥମ ଦେଶ ଭାବେ ଜର୍ମାନୀ ମାନ୍ଦାବସ୍ଥା କବଳରେ ପଡ଼ିଛି। ସେହିପରି, ପାକିସ୍ତାନ ଇତିହାସର ଅନ୍ୟତମ ସବୁଠୁ ଖରାପ ସମୟ ଦେଇ ଗତି କରୁଛି।

ୟୁ‌ରୋପର ସବୁଠୁ ବିତ୍ତଶାଳୀ ଦେଶ ଜର୍ମାନୀର ଅର୍ଥନୈତିକ ଅଭିବୃଦ୍ଧି ଗତ କିଛି ମାସ ହେଲାଣି ହ୍ରାସ ପାଉଥିଲା। ଚଳିତ ବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୈମାସିକରେ ଜର୍ମାନୀର ଅଭିବୃଦ୍ଧି ୦.୩% ହେବା ପରେ ଏହା ମାନ୍ଦାବସ୍ଥା ଦେଇ ଗତି କରୁଥିବା ନିଶ୍ଚିତ ହୋଇଛି। ୨୦୨୨ ଅକ୍ଟୋବର-ଡିସେମ୍ବରରେ ବି ଏହି ଦେଶର ଅର୍ଥନୀତି ମାତ୍ର ୦.୫% ହାରରେ ଆଗକୁ ବଢ଼ିଥିଲା। ଜର୍ମାନୀରେ ଦୁଇଟି ତ୍ରୈମାସିକରେ ଅଭିବୃଦ୍ଧି କମ୍ ରହିଲେ ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବା ବିଚାର କରାଯାଏ। ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ୟୁରୋପରେ ଶକ୍ତି ସଙ୍କଟ ଦେଖାଦେଇଛି। ଏହା ରୁଷ୍‌ଠାରୁ ତୈଳ ଓ ଗ୍ୟାସ୍‌ ମଗାଇପାରୁନଥିବାରୁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଛି। ରୁଷ୍‌ର ବିକଳ୍ପ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ସଙ୍କଟ ପ୍ରଭାବରେ ବିଭିନ୍ନ ସାମଗ୍ରୀର ଦାମ୍‌ ଉଚ୍ଚ ସ୍ତରରେ ରହିଛି। ଶେଷ ଥର ଲାଗି କୋଭିଡ୍‌ ମହାମାରୀ ସମୟରେ ଜର୍ମାନୀରେ ମାନ୍ଦାବସ୍ଥା ଦେଖାଦେଇଥିଲା।

ଅନ୍ୟ ପକ୍ଷରେ ଗମ୍ଭୀର ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଅର୍ଥନୀତିର ଅବସ୍ଥା ଆହୁରି ଖରାପ ହୋଇଛି। ପାକିସ୍ତାନର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୧୦ ପ୍ରତିଶତରୁ ହ୍ରାସ ପାଇ ମାତ୍ର ୦.୨୯% ହୋଇଛି। ଏହି ଦେଶ ଏହାର ଇତିହାସରେ ପୂର୍ବରୁ ଏଭଳି ସ୍ଥିତିକୁ କେବେ ଦେଖିନଥିଲା। ଅଭିବୃଦ୍ଧି ହାର ୫% ରହିବ ବୋଲି ପାକିସ୍ତାନ ସରକାର ପୂର୍ବରୁ ଆକଳନ କରିଥିଲେ। ମାତ୍ର ଗତବର୍ଷ ସେଠାରେ ଦେଖାଦେଇଥିବା ପ୍ରଳୟଙ୍କରୀ ବାତ୍ୟାରେ ବ୍ୟାପକ ଧନ ଜୀବନ ନଷ୍ଟ ହେବା ପରେ ଅଭିବୃଦ୍ଧି ୨.୩ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବାସ୍ତବ ସ୍ଥିତି ଆହୁରି ସାଂଘାତିକ ହୋଇଛି। ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ତଥ୍ୟ ଅନୁସାରେ ୧୯୫୨ ପରେ ପଞ୍ଚମ ଥର ଲାଗି ପାକିସ୍ତାନର ଅଭିବୃଦ୍ଧି ହାର ୧ ପ୍ରତିଶତରୁ କମ୍ ରହିଛି। ଶେଷ ଥର ପାଇଁ କୋଭିଡ୍ ମହାମାରୀ ବେଳେ ପାକିସ୍ତାନ ଏଭଳି ଖରାପ ସମୟ ସାମ୍ନା କରିଥିଲା। ଘୋର ଆର୍ଥିକ ସଙ୍କଟରୁ ମୁକୁଳିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ଠାରୁ ପାଣ୍ଠି ହାସଲ କରିବାରେ ଶାହବାଜ ସରିଫ୍‌ଙ୍କ ସରକାର ବିଫଳ ହୋଇଛି। ଆମଦାନି କରିବା ଲାଗି ବିଦେଶୀ ପାଣ୍ଠିର ଅଭାବ ଥିବାରୁ ବିଭିନ୍ନ କଳକାରଖାନାରେ ଉତ୍ପାଦନ ବନ୍ଦ ରହିଛି। ଗତବର୍ଷର ବନ୍ୟା ପାଇଁ କୃଷି ଉତ୍ପାଦନ ମଧ୍ୟ କମିଛି। ଇତି ମଧ୍ୟରେ ବିଶ୍ବବ୍ୟାଙ୍କ, ଏସିଆନ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ ପାକିସ୍ତାନ ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରିଛନ୍ତି।

ଭାରତ ଅନ୍ୟମାନଙ୍କୁ ପଛରେ ପକାଇବ: ନାଗେଶ୍ବରନ
ନୂଆଦିଲ୍ଲୀ: ବିଶ୍ବର ଅନେକ ଦେଶ ଆର୍ଥିକ ସଙ୍କଟ ଓ ବେଲଗାମ ଦରଦାମ୍ ଭଳି ସମସ୍ୟା ଦେଇ ଗତି କରୁଥିବା ବେଳେ ଭାରତ ଏଭଳି ଏକ ରାଷ୍ଟ୍ର ଭାବେ ଉଭା ହୋଇଛି ଯାହା ଅଭିବୃଦ୍ଧିରେ ବିଶ୍ବର ଅନ୍ୟ ସବୁ ଦେଶକୁ ପଛରେ ପକାଇବ। ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନଙ୍କ ମତରେ ମୌସୁମୀ ବର୍ଷା ଓ ଭୂ-ରାଜନୈତିକ ସମସ୍ୟାକୁ ବାଦ ଦେଲେ ଭାରତୀୟ ଅର୍ଥନୀତି ପାଇଁ ଆଉ କିଛି ବଡ଼ ବିପଦ ନାହିଁ। ଅର୍ଥନୀତି ଏବେ ଅଟୋ-ପାଇଲଟ୍‌ ମୋଡ୍‌ରେ ଆଗକୁ ବଢ଼ିଛି। ବିଭିନ୍ନ କ୍ଷେତ୍ରରେ ସବୁ କିଛି ଠିକ୍‌ ଚାଲିଥିବା ମନେ ହେଉଛି। ଭାରତୀୟ ଅର୍ଥନୀତି ଏବେ ପ୍ରାୟ ସନ୍ତୁଳିତ ରହିଛି। ତେଣୁ ବିଶ୍ବର ଯେକୌଣସି ଦେଶଠାରୁ ଭାରତ ଆଗରେ ରହିପାରେ ବୋଲି ସେ କହିଛନ୍ତି। ସେ ପ୍ରସ୍ତୁତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୨-୨୩‌ରେ ଭାରତର ଅଭିବୃଦ୍ଧି ୬.୫% ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ଏହି ସଂଖ୍ୟା ପ୍ରତି ରୁଷ୍‌-ୟୁକ୍ରେନ ଯୁଦ୍ଧ ଓ ଦରଦାମ୍ ସ୍ଥିତି ବଡ଼ ବିପଦ ଥିଲା। ଏବେ କିନ୍ତୁ ଏହି ସଂଖ୍ୟା ସୁରକ୍ଷିତ ରହିଛି ଓ ତାହା ବଢ଼ିପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର