ଓଡ଼ିଆ ଉଦ୍ୟୋଗୀଙ୍କ କଂପାନିରେ ପୁଞ୍ଜି ଖଟାଇଲେ ସିଙ୍ଗାପୁର ସଂସ୍ଥା

ଭୁବନେଶ୍ୱର: ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରିୟମ ମହାନ୍ତି ସ୍ଥାପନ କରିଥିବା ଏରୋସ୍ପେସ୍ ଓ ପ୍ରତିରକ୍ଷା ଷ୍ଟାର୍ଟଅପ୍ ସଂସ୍ଥା ‘ଟିଜାର୍‌ ଏରୋସ୍ପେସ୍‌ ରିସର୍ଚ ଲ୍ୟାବ୍’ରେ ସିଙ୍ଗାପୁର ଦୁଇଟି କଂପାନି ୧୫ ବିଲିଅନ ଡଲାର ନିବେଶ କରିଛନ୍ତି। ସେହି ଦୁଇ କଂପାନିର ନାମ ହେଉଛି ଟିଆଣ୍ଡଏ କ୍ୟାପିଟାଲସ୍‌ ଓ ଡ୍ରିମ୍‌ଭିଜନ୍ ଓଭରସିଜ୍।
ଓଡ଼ିଶାର ଏକ ଷ୍ଟାର୍ଟଅପ୍ ଭାବେ ପ୍ରତିଷ୍ଠା ହୋଇଥିବା ଟିଜାର୍‌ ଏରୋସ୍ପେସ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହା ମାନବବିହୀନ ହାଇପରସୋନିକ ରିସର୍ଚ ଏୟାରକ୍ରାଫ୍ଟର ନମୁନା ଡିଜାଇନ ଓ ବିକଶିତ କରିବା ଓ ଡ୍ରୋନ ନିର୍ମାଣ କାମ କରୁଛି। ଏହା ସାଧାରଣ ଗ୍ରାହକ ଓ ବାଣିଜ୍ୟିକ ଗ୍ରାହକଙ୍କୁ ଏରୋସ୍ପେସ୍ ସମାଧାନ ପ୍ରଦାନ କରିବାର ବିଭିନ୍ନ ଦିଗ ଉପରେ କାମ କରୁଛି। ଏହି ଅବସରରେ ପ୍ରିୟମ୍ କହିଛନ୍ତି ଯେ, ଏରୋସ୍ପେସ ବଜାରରେ ସଫଳତାର ସହ ପ୍ରବେଶ କରିପାରିଛୁ ଯାହା ଖୁସି ଓ ଗର୍ବର ବିଷୟ। ନିବେଶ ବାବଦରେ ଆସୁଥିବା ପୁଞ୍ଜି ୫ଟି ଭର୍ଟିକାଲ୍ ଓ ୫ଟି କାର୍ଯ୍ୟରେ ଖର୍ଚ ହେବ। ତାହା ହେଉଛି ଏରୋସ୍ପେସ୍, ମହାକାଏ ପ୍ରତିରକ୍ଷା, ଶକ୍ତି ଏବଂ ବିଜନେସ୍ କନ୍‌ସଲ୍‌ଟିଂ। ଉତ୍ପାଦ, ବୈଷୟିକ ଜ୍ଞାନ, ଶିକ୍ଷା ଓ ତାଲିମ, ଇଞ୍ଜିନିୟରିଂ ସେବା ଏବଂ ବଜାର ସହାୟତା ପାଇଁ ମଧ୍ୟ ଏହି ପୁଞ୍ଜି ବିନିଯୋଗ ହେବ।
ଟିଜାର୍‌ ଏରୋସ୍ପେସ୍ ନିକଟରେ ଭୁବନେଶ୍ୱରସ୍ଥିତ ସିଟିଟିସି ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛି। କଂପାନି ଏରୋସ୍ପେସ ଓ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ବ ସ୍ତରରେ ଏକ ଅଗ୍ରଣୀ କଂପାନି ହେବାକୁ ଲକ୍ଷ୍ୟ ରଖିଛି। ୩୬ ବର୍ଷୀୟ ପ୍ରିୟମ ମଣିପାଳ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ଏବଂ ବ୍ରିଟେନ୍‌ର କ୍ରାନଫିଲ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ବେଳେ ଏରୋସ୍ପେସ ଇଞ୍ଜିନିୟରିଂରେ ସଫଳତାର ସହ ୭୦ରୁ ଉର୍ଦ୍ଧ୍ୱ ତାଲିମ ନେଇଛନ୍ତି।

ସମ୍ବନ୍ଧିତ ଖବର