ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଆସନ୍ତା ବର୍ଷ ଜାନୁଆରି ୨୮-୨୯ରେ ଆୟୋଜନ କରିବାକୁ ଯାଉଛି ଏହାର ପ୍ରଥମ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫’। ଏହି କନ୍‌କ୍ଲେଭ୍‌ର ପ୍ରଥମ ସହଯୋଗୀ ରାଷ୍ଟ୍ର ହୋଇଛି ସିଙ୍ଗାପୁର। ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରିବା ଅବସରରେ ସିଙ୍ଗାପୁର ଉଚ୍ଚାୟୁକ୍ତ ସିମନ୍ ୱଙ୍ଗ ଏହି ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ସାନମୁଗରତ୍ନମ୍‌ ଓଡ଼ିଶା ଆସିବେ ବୋଲି ମଧ୍ୟ ସେ କହିଛନ୍ତି। କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ଗସ୍ତ ସମୟରେ ରା‌ଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବା ଲାଗି ଆମନ୍ତ୍ରଣ କରିଥିଲେ। ତାଙ୍କ ଅନୁରୋଧକୁ ରକ୍ଷା କରି ରାଷ୍ଟ୍ରପତି ଓଡ଼ିଶା ଆସିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ୱଙ୍ଗ୍ ଜଣାଇଛନ୍ତି।

Advertisment

ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ରହିଥିବା ସୁଯୋଗ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋକପାତ କରିଛନ୍ତି। ପେଟ୍ରୋକେମିକାଲ୍‌, ସହରାଞ୍ଚଳ ଯୋଜନା, ପର୍ଯ୍ୟଟନ, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ଆହୁରି ଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ଉଭୟଙ୍କ ମଧ୍ୟରେ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ବିକାଶ, ଶିଳ୍ପ ପାର୍କ ଯୋଜନା, ନୂତନ ଶକ୍ତି ଅଭିଯାନ, ସୂଚନା ପ୍ରଯୁକ୍ତି, ଦକ୍ଷତା ବିକାଶ, ପର୍ଯ୍ୟଟନ ଓ ସାଂସ୍କୃତିକ ଭାବ ବିନିମୟ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗିତା ବଢ଼ାଇବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀ ୱଙ୍ଗ୍‌ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁର କୂଟନୈତିକ ସମ୍ପର୍କର ୬୦ତମ ବର୍ଷକୁ ପାଳନ କରୁଥିବାରୁ ରାଷ୍ଟ୍ରପତି ଶ୍ରୀ ସାନଗୁମରତ୍ନମ ଭାରତ ଆସି‌ବେ। ତାଙ୍କ ଗସ୍ତ ସମୟରେ ସେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଗସ୍ତ କରିବେ। ଓଡ଼ିଶାରେ ପେଟ୍ରୋକେମିକାଲ୍‌, ସବୁଜ ଶକ୍ତି ଓ ଦକ୍ଷତା ବିକାଶରେ ବିପୁଳ ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁର ଉଚ୍ଚାୟୁକ୍ତ
ଜାନୁଆରିରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ଟିମ୍‌ ସିଙ୍ଗାପୁର ଗସ୍ତ କରି ବିଭିନ୍ନ ବନ୍ଦର, ଭିତ୍ତିଭୂମି ଓ ସଂସ୍ଥାର କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଶିଳ୍ପପତି ଓ ନିବେଶକମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ସେ ପ୍ରବାସୀ ଓଡ଼ିଆମାନଙ୍କୁ ମଧ୍ୟ ଭେଟିଥିଲେ। ସେମାନଙ୍କୁ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବା ଲାଗି ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଉପ ଉଚ୍ଚାୟୁକ୍ତ ଆଲିସ୍ ଚେଙ୍ଗ୍‌ ଉପସ୍ଥିତ ଥିଲେ।