ସିନେମା ସୁଟିଂ ପାଇଁ ସିଙ୍ଗିଲ୍‌ ୱିଣ୍ଡୋ

ଶୀଘ୍ର ଆସିିବ ଓଡ଼ିଆ ସିନେମା ନୀତି

ଭୁବନେଶ୍ବର: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଓଡ଼ିଆ ସିନେମା ନୀତି ଘୋଷଣା କରିବେ। ଶିଳ୍ପ ସଚିବ ସଂଜୀବ ଚୋପ୍ରା ଆଜି ଏହି ଘୋଷଣା କରିଛନ୍ତି। ମିଡିଆ ଓ ମନୋରଂଜନ ଉପରେ ଆୟେ‌ାଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା ଚାଲିଛି। ଦେଶର ଏକ ବଳିଷ୍ଠ ସିନେମା ନୀତି ଆଣିବାକୁ ରାଜ୍ୟ ସରକାର ଚାହୁଁଛନ୍ତି, ଯାହା ସମସ୍ତଙ୍କୁ ସୁହାଇବ। ଶ୍ରୀ ଚୋପ୍ରା କହିଛନ୍ତି ଯେ, ନୂଆ ନୀତିରେ ଅନେକ ବ୍ୟବସ୍ଥା ରହିବ। ସିନେମା ସୁଟିଂ ଅନୁମତି ପ୍ରଦାନ କରିବା ନିମନ୍ତେ ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବ। ସିନମୋ ପ୍ରଯୋଜକମାନେ କିଭଳି ପୁଲିସ, ମୁନସିପାଲିଟି ଓ ଗୃହ ଓ ସହରାଚଂଳ ବିକାଶ ବିଭାଗର ଅନୁମତି ସହଜରେ ହାସଲ କରିପାରିବେ ସେ ବ୍ୟବସ୍ଥା କରାଯିବ। ରାଜ୍ୟରେ ସିନେମା ହଲ୍ ସଂଖ୍ୟା କିଭଳି ବଢ଼ିପାରିବ ସେ ନେଇ ମଧ୍ୟ ନୂଆ ନୀତିରେ ବ୍ୟବସ୍ଥା କରାଯିବ। କାର୍ନିଭାଲ୍ ସିନେମା ରାଜ୍ୟର ସବୁ ଜିଲ୍ଲାରେ ମଲ୍ଟିପ୍ଲେକ୍ସ ଖୋଲିବାକୁ ଚାହୁଁଛି। ମଲ୍ଟିପ୍ଲେକ୍ସ ଖୋଲିବାକୁ ଚାହୁଁଥିବା ନିବେଶକମାନଙ୍କୁ ଇଡ୍‌କୋ ଜରିଆରେ ସୁଲଭ ମୂଲ୍ୟରେ ଜମି ଯୋଗାଇ ଦିଆଯିବ। ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ଜରିଆରେ ସିନେମା ହଲ୍ ପାଇଁ ଜମି ପ୍ରଦାନ କରାଯିବ। ‌ସେହିପରି, ୮ କିଲୋମିଟର ଭିତରେ ନୂଆ ହଲ୍ ହୋଇପାରିବ ନାହିଁ ବୋଲି ଯେଉଁ ପୁରୁଣା ନୀତି ରହିଛି ତାହାକୁ ବଦଳାଇ ଦିଆଯିବ ‌ବୋଲି ସେ କହିଛନ୍ତି। ସିନେମା ସୁଟିଂ ପାଇଁ ରାଜ୍ୟର ମାର୍କେଟିଂ କରାଯିବ। ଦେଶର ଅନ୍ୟ ପ୍ର୍ରାନ୍ତ ଓ ଆସିଆନ୍ ଦେଶଗୁଡ଼ିକର ପ୍ରଯୋଜକମାନେ ଆସି ଓଡ଼ିଶାରେ ଯେଭଳି ସିନେମା ସୁଟିଂ କରିପାରିବେ ସେଥିପାଇଁ ରାଜ୍ୟର ଜୋରଦାର ମାର୍କେଟିଂ କରାଯିବ। ଏ ନେଇ ନିର୍ଦିଷ୍ଟ ଫ୍ରେମୱର୍କ (ରୂପରେଖ) ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ପ୍ରତିଭାବାନ ସିନେମା ନିର୍ମାତାମାନଙ୍କୁ ପାଣ୍ଠି ପ୍ରଦାନ କରାଯିବ। ନୂଆ ସିନେମା ନୀତିରେ ଏହି ସବୁ ବ୍ୟବସ୍ଥା ରହିବ। ରାଜ୍ୟରେ ବର୍ଷକୁ ୩୦-୪୦ ଗୁଣାତ୍ମକ ସିନେମା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ସୁବିଧାରେ ପୁଲିସ, ମୁନିସପାଲିଟି ଅନୁମତି ମିଳିବ
ପ୍ରତିଭାବାନ ନିର୍ମାତାଙ୍କୁ ସରକାର ‌ଦେବେ ପାଣ୍ଠି
ଇଡ୍‌କୋ ଜରିଆରେ ସିନେମା ହଲ୍ ପାଇଁ ଜମି ଦିଆଯିବ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ‌‌ଯେ, ଓଡ଼ିଆ ସିନେମା ଶିଳ୍ପର ବିକାଶ ପାଇଁ ରୂପରେଖ ପ୍ରସ୍ତୁତ କରିବା ନିମନ୍ତେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି। ସେଥିରେ ଶିଳ୍ପମନ୍ତ୍ରୀ ଓ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମଧ୍ୟ ସଦସ୍ୟ ଅଛନ୍ତି। ଚଳିତ ନଭେମ୍ବର କିମ୍ବା ଡିସେସ୍ବର ଭିତରେ ଆମେ ସିନେମା ନିର୍ମାତାମାନଙ୍କ ସହ ଆଲୋଚନା କରିବୁ ଓ ସେମାନଙ୍କ ପରାମର୍ଶଗୁଡ଼ିକୁ ସିନେମା ନୀତିରେ ସ୍ଥାନ ଦେବୁ ବୋଲି ‌ସେ କହିଛନ୍ତି। ଆମେ ଓଡ଼ିଆ ସିନେମା ଶିଳ୍ପକୁ ହିନ୍ଦୀ ସିନେମା ସ୍ତର ପର୍ଯ୍ୟନ୍ତ ନେବାକୁ ପ୍ର୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ‌ତଥା ଫିକି କମିଟିର ବରିଷ୍ଠ ସଦସ୍ୟା ମୋନିକା ନୈୟର ପଟ୍ଟନାୟକ କହିଛନ୍ତି ଯେ, ଭାରତର ମନୋରଞ୍ଜନ ଓ ମିଡିଆ ଶିଳ୍ପର ବାର୍ଷିକ ଅଭିବୃଦ୍ଧି ହାର ୧୩% ରହିଛି ଓ ୨୦୨୦ ସୁଦ୍ଧା ଏହି ଶିଳ୍ପର ଆକାର ଦୁଇ ଟ୍ରିଲିଅନ୍‌ରୁ ଅଧିକ ହୋଇଯିବ। ଯେହେତୁ ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡ଼ିଶା ଆଗରେ ରହିଛି, ତେଣୁ ଓଡ଼ିଶାରେ ଏହି କ୍ଷେତ୍ର ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ। ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ଚଢ଼ା ଦରର ଟିକସ, ନିୟାମକ ବ୍ୟବସ୍ଥାର ଅଭାବ ରାଜ୍ୟର ମନୋରଂଜନ ଓ ମିଡିଆ ଶିଳ୍ପର ବିକାଶରେ ବାଧକ ସାଜିଛି। ମେକ୍ ଇନ୍ ଓଡ଼ିଶା କନ୍‌‌କ୍ଲେଭ ୨୦୧୮ ଭଳି ବଡ଼ ମଂଚରେ ମିଡିଆ ଓ ମନୋରଂଜନ ଶିଳ୍ପକୁ ନେଇ ଆଲୋଚନା ହେଉଥିବାରୁ ଏହି ଶିଳ୍ପର ବିଶ୍ବାସ ବଢ଼ିବ। ମିଡିଆ ଶିଳ୍ପକୁ ଏକ ରୂପ ପ୍ରଦାନ କରିବା ଦିଗରେ ରାଜ୍ୟ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସିନେମା ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ଯେ, ସିନେମା ଶିଳ୍ପର ବିକାଶ ପାଇଁ ଯେତେ କଠିନ ପ୍ରସ୍ତାବ ସବୁ ଆସୁ ନା କାହିଁକି ତାହାକୁ ଆମେ କାର୍ଯ୍ୟକାରୀ କରିବୁ। ଓଏଫ୍‌ଡିସିର ଗୌରବ ଫେରାଇ ଆଣିବାକୁ ଉଦ୍ୟମ କରାଯିବ। ଏହି ଅବସରରେ ଓଏଫ୍‌ଡିସିର ଏମ୍‌ଡି ପି କେ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର