କୋଇଲା ପାଇଁ ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ୍‌, ୧୯ ପ୍ରକାର ମଞ୍ଜୁରି ସହଜରେ ମିଳିବ

ଚଳିତ ମାସରେ ପୁଣି ଖଣି ନିଲାମ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଇଲା କ୍ଷେତ୍ର ଲାଗି ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହା ଦ୍ବାରା କୋଇଲା ଖଣି ସଞ୍ଚାଳନ ଲାଗି ମଞ୍ଜୁରିଗୁଡ଼ିକ ଶୀଘ୍ର ଓ ସହଜରେ ମିଳିବ। କୋଇଲା ଖଣି ଆରମ୍ଭ କରିବା ପୂର୍ବରୁ ୧୯ଟି ପ୍ରମୁଖ ଅନୁମୋଦନ ଦରକାର। ସେଗୁଡ଼ିକ ହେଉଛି ଖଣି ଯୋଜନା ଓ ଖଣି ବନ୍ଦ ଯୋଜନା, ଖଣି ଲିଜ୍‌ ମଞ୍ଜୁର କରିବା, ଜଙ୍ଗଲ ଓ ପରିବେଶ ମଞ୍ଜୁରି, ବନ୍ୟଜନ୍ତୁ ମଞ୍ଜୁରି, ସୁରକ୍ଷା, ପରିବେଶ, ପ୍ରକଳ୍ପ ଦ୍ବାରା ପ୍ରଭାବିତ ପରିବାରର ଥଇଥାନ ବାବଦ ମଞ୍ଜୁରି, କର୍ମଚାରୀଙ୍କ କଲ୍ୟାଣ ବାବଦ ମଞ୍ଜୁରି ଇତ୍ୟାଦି। ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ୍ ଆରମ୍ଭ ହୋଇଥିବାରୁ ଏହି ସବୁ ମଞ୍ଜୁରି ମିଳିବା ସହଜ ହେବ। ‌ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ଯୋଗୁଁ କୋଇଲା ଖଣି ଆରମ୍ଭ କରିବାରେ ଯେଉଁ ସମସ୍ୟା ରହୁଥିଲା ତାହା ଦୂର ହେବ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ପେ‌ଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହା ଦ୍ବାରା ଓଡ଼ିଶା ସମେତ ସାରା ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି ପାଇବ।

ନିକଟରେ ଯେଉଁ ୧୯ଟି କୋଇଲା ଖଣି ନିଲାମ ହୋଇଥିଲା ସେଥିପାଇଁ ସଫଳ ବିଡ୍‌ ଦାଖଲ କରିଥିବା ସଂସ୍ଥା ଯଥା ବେଦାନ୍ତ, ଜେଏସ୍‌ପିଏଲ୍‌, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଆଦି ସହିତ ଚୁକ୍ତି କାର୍ଯ୍ୟକାରୀ କରାଯାଇଛି। ପରର୍ବତୀ କୋଇଲା ଖଣି ନିଲାମ ଚଳିତ ମାସରେ ଆରମ୍ଭ ହେବ ବୋଲି ଶ୍ରୀ ଯୋଶୀ କହିଛନ୍ତି। ୧୯ଟି କୋଇଲା ଖଣି ନିଲାମ ହୋଇଥିବାରୁ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହରାଷ୍ଟ୍ର ବର୍ଷକୁ ୬୬୫୬ କୋଟି ଟଙ୍କାର ରାଜସ୍ବ ପାଇବେ।

ସମ୍ବନ୍ଧିତ ଖବର