ସିଙ୍ଗିଲ୍ ୱିଣ୍ଡୋ: ୨,୦୭୧ କୋଟିର ନିବେଶ ପ୍ରସ୍ତାବ ମଞ୍ଜୁର

ସ୍ବସ୍ତି ପ୍ରିମିୟମ୍ ସ୍ଥାପନ କରି ଗୋପାଳପୁର ପାମ୍ ରିସୋର୍ଟସ୍‌, ପୁରୀରେ ନିର୍ମାଣ ହେବ ରିସୋର୍ଟସ୍‌ ଓ ସ୍ପା

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କର୍ତ୍ତୃପକ୍ଷ ଆଜି ୨,୦୭୧ କୋଟି ଟଙ୍କା ମୂଲ୍ୟର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୩,୫୩୫ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତ ୧୧୦ ଦିନରେ ରାଜ୍ୟରେ ୩,୭୭୦.୧୦ କୋଟି ଟଙ୍କା ମୂଲ୍ୟର ୨୮ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୧୬,୮୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟଟନ, ଆତିଥେୟତା, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍‌ଚରିଂ, ପଶୁ ସମ୍ପଦ ପାଇଁ ଖାଦ୍ୟ ଉତ୍ପାଦନ, ଇସ୍ପାତ, ଆନୁଷଙ୍ଗିକ ଶିଳ୍ପ, ଲଜି‌ଷ୍ଟିକ୍ ପାର୍କ ଓ ଲୁହା ପଥର ବେନିଫିକେସନ କ୍ଷେତ୍ରର ନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରକଳ୍ପଗୁଡ଼ିକର ଜମି ଓ ଜଳ ଆବଶ୍ୟକତାର ବାସ୍ତବ ଆକଳନ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବିଭାଗଗୁଡ଼ିକୁ ନିର୍ଦେଶକ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୫,୮୪୧.୪୦ କୋଟି ଟଙ୍କା ମୂଲ୍ୟର ୪୦ ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ଆଜି ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୯୫ କୋଟି ଟଙ୍କା ବିନିଯୋଗରେ ଗଞ୍ଜାମ ଜିଲ୍ଲାରେ ସ୍ବସ୍ତି ପ୍ରିମିୟମ୍ ସ୍ଥାପନ କରିବାକୁ ଥିବା ଗୋପାଳପୁର ପାମ୍ ରିସୋର୍ଟ। ପୁଷ୍ପମ ରିଅଲ୍‌ଟି ପୁରୀ ଜିଲ୍ଲାରେ ୬୭.୨୭ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ଓ ସ୍ପା ସ୍ଥାପନ କରିବ। ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ୍‌ କନଷ୍ଟ୍ରକ୍ସନ ପକ୍ଷରୁ ଖୋର୍ଦ୍ଧାରେ ୫୯.୩୩ କୋଟି ଟଙ୍କା ବିନିଯୋଗରେ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରାଯିବ। ଶ୍ରୀ ମେଟାଲିକ୍ସ ପକ୍ଷରୁ କେନ୍ଦୁଝରରେ ଏକ ଲୁହାପଥର ବେନିଫିକେସନ ଓ ପେଲେଟ୍‌ ତିଆରି କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୬୫୦ କୋଟି ଟଙ୍କା ନିବେଶ କରିବ। ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ୍ ପକ୍ଷରୁ କେନ୍ଦୁଝରରେ ୩୦୮ କୋଟି ଟଙ୍କା ନିବେଶରେ ଏକ ବିଲେଟ୍‌ ଓ ପେଲେଟ୍‌ କାରଖାନା ସ୍ଥାପନ କରାଯିବ। ପଞ୍ଚବଟୀ ଷ୍ଟିଲ୍‌ ୨୦୩ କୋଟି ଟଙ୍କା ନିବେଶରେ କେନ୍ଦୁଝରରେ ଏକ ସ୍ପଞ୍ଜ ଆଇରନ୍ ଓ ଷ୍ଟିଲ୍‌ ବିଲେଟ୍‌ କାରଖାନା ସ୍ଥାପନ କରିବ। ଜେକେ ବାୟୋଟେକ୍ ପକ୍ଷରୁ କଟକ ଜିଲ୍ଲାରେ ୨୧୫ କୋଟି ଟଙ୍କା ନିବେଶରେ ଏକ ଇଥାନଲ୍ ଓ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏଲ୍‌ଏମ୍‌ବି କଙ୍ଗିମେରାଟ୍ ପକ୍ଷରୁ ୧୪୮ କୋଟି ଟଙ୍କା ନିବେଶରେ ସୁନ୍ଦରଗଡ଼ରେ ଏକ ଇଥାନଲ୍‌ କାରଖାନା ସ୍ଥାପନ କରାଯିବ। ରାଉରକେଲା ସ୍ପଞ୍ଜ ଏଲ୍‌ଏଲ୍‌ପି ୧୩୫ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଇଥାନଲ୍ କାରଖାନା ସ୍ଥାପନ କରିବ। ଉତ୍କଳ ଫିଡ୍‌ସ ପକ୍ଷରୁ ୫୪.୧୭ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଓ ଢେଙ୍କାନାଳରେ ହାଚେରି, ବ୍ରିଡର ପ୍ୟାରେଣ୍ଟ୍‌ ୟୁନିଟ୍ ଓ ଏଗ୍ ଲେୟର ୟୁନିଟ୍ ସ୍ଥାପନ କରାଯିବ। ସ୍ପିନୋ ପେପର ଆଣ୍ଡ୍ ବୋର୍ଡସ୍‌ ପକ୍ଷରୁ କଟକ ଜିଲ୍ଲାରେ ୫୬.୧୭ କୋଟି ଟଙ୍କା ବିନିଯୋଗରେ ଏକ କ୍ରାଫ୍ଟ ପେପର ଓ ଡୁପ୍ଲେକ୍ସ ୟୁନିଟ୍ ସ୍ଥାପନ କରାଯିବ। ହିନ୍ଦୁସ୍ତାନ ଆକ୍ବା ପକ୍ଷରୁ ୮୦ କୋଟି ଟଙ୍କା ନିବେଶରେ ପୁରୀରେ ଏକ ଲଜିଷ୍ଟିକ୍ ପାର୍କ ସହିତ ଶୀତଳଭଣ୍ଡାର, ଫୁଡ୍ କୋର୍ଟ ଆଦି ସ୍ଥାପନ କରାଯିବ।

 

ସମ୍ବନ୍ଧିତ ଖବର