ନୂଆଦିଲ୍ଲୀ: କଳାଟଙ୍କା ଉପରେ ରୋକ୍ ଲଗାଇବା ପାଇଁ ଏସଆଇଟି ପକ୍ଷରୁ ସରକାରଙ୍କ ସମ୍ମୁଖରେ କିଛି ସୁପାରିସ ନିକଟରେ ରଖାଯାଇଛି। ଏ ସଂକ୍ରାନ୍ତରେ ଏସଆଇଟି ପକ୍ଷରୁ କରାଯାଇଥିବା ସୁପାରିସକୁ ସରକାର ଗ୍ରହଣ କରିଲେ ଲୋକମାନେ ୩ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ନଗଦ ରାଶି କାରବାର କରିପାରିବେ ନାହିଁ। କେବଳ ନଗଦ ଅର୍ଥ କାରବାର ଉପରେ କଟକଣା ଲାଗିବ ନାହିଁ। ଲୋକମାନେ ନିଜ ପାଖରେ ୧୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମଧ୍ୟ ରଖିପାରିବେ ନାହିଁ। ଏସଆଇଟି ପକ୍ଷରୁ ଅର୍ଥ ମନ୍ତ୍ରାଳୟକୁ ଏକ ଚିଠି ଲେଖାଯାଇଛି। ଏହି ଚିଠିରେ ଏସଆଇଟି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ କଳାଟଙ୍କା ଏବଂ ଏହାର ଉତ୍ସ ଉପରେ ଲଗାମ ଲଗାଇବା ପାଇଁ ହେଲେ ନଗଦ ରଖିବା ସମେତ ନଗଦ ଅର୍ଥର କାରବାର ଉପରେ ତୁରନ୍ତ କଟକଣା ଲଗାଯିବାର ଆବଶ୍ୟକତା ରହିଛି। ତେବେ ଏସଆଇଟିର ଏହି ସୁପାରିସକୁ ଆସନ୍ତା ଲୋକସଭା ନିର୍ବାଚନ ସହ ବିଶେଷଜ୍ଞମାନେ ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ଏସଆଇଟି ପକ୍ଷରୁ କରାଯାଇଥିବା ସୁପାରିସ ଉପରେ ଅର୍ଥ ମନ୍ତ୍ରାଳୟ ବିଚାର କରୁଛି। କିନ୍ତୁ ଏବେ ଲୋକସଭା ନିର୍ବାଚନ ପାଇଁ କମ୍ ସମୟ ରହିଛି। ତେଣୁ ଏଭଳି ପରିସ୍ଥିତିରେ ଏସଆଇଟିର ସୁପାରିସ ଉପରେ କେତେ ଶୀଘ୍ର ନିଷ୍ପତ୍ତି ନିଆଯାଇ ପାରିବ ସେ ନେଇ କିଛି କହି ହେବନାହିଁ ବୋଲି ଅଧିକାରୀମାନେ ମତ ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp