୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ

ବ୍ଲକ୍ ସ୍ତରରେ ଗୋଦାମ ଘର ନିର୍ମାଣ କରାଯିବ

କୃ‌ଷି କ୍ଷେତ୍ରର ଉନ୍ନତି ଓ କୃଷକଙ୍କ ଆୟ ବଢ଼ାଇବା ଲାଗି ୧୬ ସୂତ୍ରୀ ଯୋଜନା ବିଷୟରେ ବଜେଟ୍‌ରେ ଘୋଷଣା କରାଯାଇଛି। ଉଦ୍ୟାନ କୃଷି, ଖାଦ୍ୟଶସ୍ୟ ଭଣ୍ଡାର ଏବଂ ନୀଳ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବା ଲାଗି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ କୁସୁମ୍ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ଯୋଜନା ରଖାଯାଇଛି। ଏହା ବ୍ୟତୀତ ୧୫ ଲକ୍ଷ ଅନ୍ୟ ଚାଷୀଙ୍କୁ ବିଦ୍ୟୁତ ଓ ସୌର ଚାଳିକ ପମ୍ପ୍ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଲାଗି ସବୁ ପ୍ରକାର ଉର୍ବରକର ସନ୍ତୁଳିତ ବ୍ୟବହାର ଏବଂ ଜିରୋ ବଜେଟ୍ ପ୍ରାକୃତିକ ଚାଷ କାର୍ଯ୍ୟ ଉପରେ ବଜେଟ୍‌ରେ ଜୋର୍‌ ଦିଆଯାଇଛି। ଜଳସେଚିତ କ୍ଷେତ୍ରରେ ଏକୀକୃତ ଚାଷକୁ ପ୍ରୋତ୍ସାହିତ କରାଯିବ। ବୃହତ୍ ଆକାରରେ ଫସଲ କରିବା, ମହୁମାଛି ପାଳନ ଏବଂ ସୌର ଶକ୍ତି ଉତ୍ପାଦନ କରିବା ଲାଗି ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି। ଜୈବିକ ଚାଷକୁ ନେଇ ଥିବା ରାଷ୍ଟ୍ରୀୟ ପୋର୍ଟାଲ୍‌କୁ ଆହୁରି ମଜଭୁତ କରାଯିବ। ଜଳ ସଙ୍କଟ ସମସ୍ୟା ଦେଇ ଗତି କରୁଥିବା ଦେଶର ୧୦୦ ଜିଲ୍ଲାରୁ ଏହି ସମସ୍ୟା ଦୂର କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ଖାଦ୍ୟଶଦ୍ୟ ଅପଚୟକୁ ରୋକିବା ଲାଗି ଏବଂ ଗୋଦାମ ଘର ସଂଖ୍ୟା ବଢ଼ାଇବା ପାଇଁ ବଜେଟ୍‌ରେ ସାର୍ବଜନୀନ ଘରୋଇ ସହାଯୋଗିତା ଜରିଆରେ ବ୍ଲକ୍ ସ୍ତରରେ ଗୋଦାମ ଘର ନିର୍ମାଣ କରାଯିବ। ଭାରତୀୟ ଖାଦ୍ୟ ନିଗମ ଓ ସେଣ୍ଟ୍ରାଲ୍ ଓୟାରହାଉସିଂ କର୍ପୋରେସନ୍‌ ମଧ୍ୟ ନିଜ ଜମିରେ ଏଭଳି ଗୋଦାମ ଘର ନିର୍ମାଣ କରିପାରି‌େବ। ଦୁଗ୍ଧ ଓ ମାଂସ ଭଳି ଶୀଘ୍ର ଖରାପ ହୋଇଯାଉଥିବା ସାମଗ୍ରୀଗୁଡ଼ିକ ପାଇଁ ଏକ ରାଷ୍ଟ୍ରୀୟ ଅବାଧ ଶୀତତାପ ସଂଗ୍ରହ ଶୃଙ୍ଖଳା ପ୍ରସ୍ତୁତ କରାଯିବ। ଭାରତୀୟ ରେଳ ଘରୋଇ ସରକାରୀ ସହଭାଗିତା ଜରିଆରେ କିଷାନ ରେଳ ଚଳାଚଳ ଆରମ୍ଭ କରିବ। ଉତ୍ତର ପୂର୍ବାଞ୍ଚଳ ଏବଂ ଜନଜାତି ବସବାସ କରୁଥିବା ଜିଲ୍ଲାଗୁଡ଼ିରେ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକୁ ଉନ୍ନତ ମୂଲ୍ୟ ପ୍ରଦାନ କରିବା ଲାଗି ନାଗରିକ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ କୃଷି ଉଡ଼ାଣ ଯୋଜନା ଆରମ୍ଭ କରାଯିବ। ପଶୁପାଳନ କ୍ଷେତ୍ରକୁ ଆଗକୁ ବଢ଼ାଇବା ଲାଗି ୨୦୨୦ ସୁଦ୍ଧା ପଶୁମାନଙ୍କ ଖୁରା ଏବଂ ମୁହଁରେ ହେଉଥିବା ରୋଗକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୫ ସୁଦ୍ଧା ଦେଶର ଦୁଗ୍ଧ କ୍ଷମତାକୁ ୫୩.୫ ନିୟୁତ ଟନ୍‌ରୁ ବଢ଼ାଇ ୧୦୮ ନିୟୁତ ଟନ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଋଣ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପିଏମ୍ କିଷାନ ଯୋଜନାର ହିତାଧିକାରୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଯୋଜନାରେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର