୬ ଏୟାରବ୍ୟାଗ୍‌ ମହଲତ ବର୍ଷେ ବଢ଼ିଲା: ୨୦୨୩ ଅକ୍ଟୋବର ୧ରୁ ଲାଗୁ‌ ହେବ, କାର୍‌ ଦାମ୍ ୩୦,୦୦୦ ଟଙ୍କା ବଢ଼ିବ

ନୂଆଦିଲ୍ଲୀ: କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବର ୧ରୁ ତାହା ଲାଗୁ କରିବାକୁ ସରକାର ‌ଲକ୍ଷ୍ୟ ରଖିଥିଲେ। କାର୍‌ କଂପାନିଙ୍କ ଅନୁରୋଧକୁ ରକ୍ଷା କରି ଏହାର ମହଲତକୁ ସରକାର ଆଉ ଏକ ବର୍ଷ ବଢ଼ାଇ ଦେଇଛନ୍ତି। ୨୦୨୩ ଅକ୍ଟୋବର ୧ରୁ କାର୍‌ରେ ୬ ଏୟ‌ାରବ୍ୟାଗ୍ ବାଧ୍ୟତାମୂଳକ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଆଜି କହିଛନ୍ତି। ଏୟାରବ୍ୟାଗ୍‌ ହେଉଛି ଏକ ବେଲୁନ୍ ଭଳି ସୁରକ୍ଷା ବ୍ୟବସ୍ଥା ଯାହା ଦୁର୍ଘଟଣା ସମୟରେ ବାହାରକୁ ବାହାରି ଆସେ ଏବଂ ଗାଡ଼ିରେ ବସିଥିବା ଲୋକଙ୍କୁ ଗୁରୁତର ଆଘାତରୁ ସୁରକ୍ଷା ଦେଇଥାଏ। ଦାମୀ ଗାଡ଼ିର ଦୁଇ ସାମ୍ନା ସିଟ୍‌ରେ ଦୁଇ ଅଲଗା ଏୟାରବ୍ୟାଗ୍ ସହିତ ଦୁଇଟି ଟର୍ସୋ ଏୟାରବ୍ୟ‌ାଗ୍ ଏବଂ ଦୁଇଟି ସାଇଡ୍‌ କର୍ଟେନ୍‌/ ଟ୍ୟୁବ୍ ଏୟାରବ୍ୟାଗ୍‌ ରହୁଛି। ୬ଟି ଏୟାରବ୍ୟାଗ୍‌ ଥିବା ଗାଡ଼ିରେ ଯାତ୍ରା କରୁଥିବା ପ୍ରାୟ ସବୁ ଯାତ୍ରୀଙ୍କ ପ୍ରତି ସୁରକ୍ଷା ବ୍ୟବସ୍ଥା ରହିଛି। ୨୦୨୩ରୁ ଦେଶରେ ତିଆରି ହେବାକୁ ଥିବା ସବୁ ନୂଆ ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ରହିବ।

ଚଳିତ ବର୍ଷ ଅକ୍ଟୋବରରୁ ୬ ଏୟାରବ୍ୟାଗ୍‌ ନିୟମ ବାଧ୍ୟତାମୂଳକ କରିବା ଲାଗି ଗତ ଜାନୁଆରି ୧୪ରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳରେ ଦେଖାଦେଇଥିବା ସମସ୍ୟା ପାଇଁ ଏହି ନିଷ୍ପତ୍ତିକୁ ଟାଳିବା ଲାଗି ଗାଡ଼ି କଂପାନିଗୁଡ଼ିକ ସରକାରଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ କହିଥିଲେ ଯେ ଏୟାରବ୍ୟାଗ୍‌ ଆମଦାନି କରିବା କିମ୍ବା ତାହାକୁ ଭାରତରେ ତିଆରି କରିବା ଲାଗି ସରଞ୍ଜାମ ମଗାଇବା ଏବେ ଏକ କଷ୍ଟକର ବ୍ୟାପାରରେ ପରିଣତ ହୋଇଛି। ଦ୍ବିତୀୟରେ ପ୍ରତି କାର୍‌ରେ ୬ଟି ଲେଖାଏଁ ଏୟାରବ୍ୟାଗ୍‌ ଲଗାଇଲେ ଗାଡ଼ିର ଦାମ୍ ବଢ଼ିଯିବ। ତେବେ ଦାମ୍ ବଢ଼ିଯିବା ଦାବିକୁ ମନ୍ତ୍ରୀ ଗଡ଼କରୀ ଗ୍ରହଣ କରୁନଥିଲେ। ବାହାରକୁ ରପ୍ତାନି କରାଯାଉଥିବା ଗାଡ଼ିରେ ୬ ଏୟାରବ୍ୟାଗ୍‌ ଲଗାଯାଉଥିବା ବେଳେ ଦେଶ ଭିତରେ ବିକ୍ରି ହେଉଥିବା ମଡେଲ୍‌ରେ କାହିଁକି ସେଭଳି ସୁରକ୍ଷା ବ୍ୟବସ୍ଥା ରହୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଭାରତରେ କାର୍ ବ୍ୟବହାର କରୁଥିବା ଲୋକମାନଙ୍କ ସୁରକ୍ଷା ବିଷୟରେ ଗାଡ଼ି କଂପାନିଗୁଡ଼ିକ କାହିଁକି ଚିନ୍ତା କରୁନାହାନ୍ତି ବୋଲି ଗଡ଼କରୀ ପ୍ରଶ୍ନ କରିଥିଲେ।

କାର୍‌ ଦାମ୍ ୩୦,୦୦୦ ଟଙ୍କା ବଢ଼ିବ
ନୂତନ ଭାବେ ତିଆରି କରାଯାଉଥିବା କାର୍‌ ପାଇଁ ଦୁଇଟି ଏୟାରବ୍ୟାଗ୍‌କୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଆଉ ଚାରିଟି ଅତିରିକ୍ତ ଏୟାରବ୍ୟାଗ୍‌ ଲଗାଇଲେ ପାଇଁ ୮୦୦୦-୧୦,୦୦୦ ଟଙ୍କା ଅଧିକ ଦରକାର ପଡ଼ିବ। ଏୟାରବ୍ୟାଗ୍‌ର ମୂଲ୍ୟ ୧୮୦୦-୨୦୦୦ ଟଙ୍କା ମଧ୍ୟରେ ରହିଛି। ତାହାକୁ ଲଗାଇବା ପାଇଁ ଗାଡ଼ିରେ ଯେଉଁ ପରିବର୍ତ୍ତନ କରିବାକୁ ହେବ ସେଥିପାଇଁ ୨୦୦୦ ଟଙ୍କା ଖର୍ଚ୍ଚ ହେବ। ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ଲାଗିଲେ ତାହାର ମୂଲ୍ୟ ଅତିକମ୍‌ରେ ୩୦ ହଜାର ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର