୪ ମାସ ପରେ ମୋବାଇଲ୍‌ ଗ୍ରାହକ ସଂଖ୍ୟା ବଢ଼ିଲା, ଜୁଲାଇରେ ଓଡ଼ିଶା ଯୋଡ଼ିଲା ଲକ୍ଷାଧିକ ଗ୍ରାହକ

ମାର୍ଚ୍ଚ ପରଠୁ ହ୍ରାସ ପାଉଥିଲା

ଭୁବନେଶ୍ବର: କରୋନା ମହାମାରୀ ପ୍ରଭାବରେ ଓଡ଼ିଶା ଚାରି ମାସ ଭିତରେ ୨ ଲକ୍ଷ ୮୨ ହଜାରରୁ ଅଧିକ ମୋବାଇଲ୍ ଗ୍ରାହକ ହରାଇଛି। ଚଳିତ ବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା। ସ୍ବାଭାବିକ ଭାବେ ପ୍ରତି ମାସରେ ନୂଆ ଗ୍ରାହକ ରାଜ୍ୟର ଟେଲିକମ୍ ନେଟ୍‌ୱର୍କରେ ଯୋଡ଼ି ଦେଉଥିଲେ। ମାତ୍ର କରୋନା ମହାମାରୀ ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ଟେଲିକମ୍ ବଜାର ସ୍ଥିତି ଖରାପ ହୋଇଥିଲା। ପ୍ରତି ମାସରେ ହଜାର ହଜାର ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କ ବାହାରକୁ ଚାଲିଯାଇଥିଲେ। ଅଧିକାଂଶ ଗ୍ରାହକ ନିଜ ନମ୍ବରକୁ ବ୍ୟବହାର କରିବା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏହି ଭଳି ଭାବେ ଚାରି ମାସ ଭିତରେ ଓଡ଼ିଶା ୩ ଲକ୍ଷ ପାଖାପାଖି ମୋବାଇଲ୍‌ ଗ୍ରାହକ ହରାଇଥିଲା।

ଗତ ଜୁଲାଇ ମାସରେ ସ୍ଥିତିରେ ସୁଧାର ଘଟିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ ଜାରି କରାଯାଇଥିବା ଜୁଲାଇର ଗ୍ରାହକ ତଥ୍ୟ ରିପୋର୍ଟରୁ ଏହାର ସଙ୍କେତ ମିଳିଛି। ଲକ୍‌ଡାଉନ୍‌ ଘୋଷଣା ପରେ ପ୍ରଥମ ଥର ଲାଗି ରାଜ୍ୟରେ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜୁଲାଇରେ ୧,୨୩,୯୩୧ ଜଣ ନୂଆ ମୋବାଇଲ୍ ଗ୍ରାହକ ଟେଲିକମ୍ ନେଟ୍‌ୱର୍କ ସହ ଯୋଡ଼ିହୋଇଛନ୍ତି। ଏହି ମାସରେ ଏୟାରଟେଲ୍‌ ୪୨,୨୧୬ ଓ ଭୋଡାଫୋନ୍ ଆଇଡିଆ ୯୦,୮୧୪ ଜଣ ଗ୍ରାହକଙ୍କୁ ହରାଇଛି। ସେହି ସମୟରେ ରିଲାଏନ୍ସ ଜିଓ ସର୍ବାଧିକ ୨ ଲକ୍ଷ ୧୫ ହଜାର ୯୫୧ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ୪୧,୦୦୫ ନୂଆ ଗ୍ରାହକ ଯୋଡ଼ିଛି। ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୦ ଲକ୍ଷରୁ ଅଧିକ ହୋଇଛି। ଗତ ଫେବ୍ରୁଆରିରେ ଏହି ସଂଖ୍ୟା ୩ କୋଟି ୩୩ ଲକ୍ଷରୁ ଅଧିକ ଥିଲା। ଜୁଲାଇ ସୁଦ୍ଧା ଏୟାରଟେଲ୍‌ ପାଖରେ ରାଜ୍ୟର ୧ କୋଟି ୭ ଲକ୍ଷ ୨୭ ହଜାର ୮୯୯ ଜଣ ଗ୍ରାହକ ଥିବା ବେଳେ ଭୋଡାଫୋନ୍ ଆଇଡିଆ ପାଖରେ ୨୭ ଲକ୍ଷ ୬୦ ହଜାର ୯୯୨ ଜଣ, ଜିଓ ପାଖରେ ୧ କୋଟି ୩୨ ଲକ୍ଷ ୧୧ ହଜାର ୯୨୮ ଓ ବିଏସ୍‌ଏନ୍‌ଏଲ୍‌ ପାଖରେ ୬୩ ଲକ୍ଷ ୯୫ ହଜାର ୩୩୭ ଜଣ ଗ୍ରାହକ ରହିଛନ୍ତି।

ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ଜୁଲାଇରେ ୩୪ ଲକ୍ଷ ୭୨ ହଜାରରୁ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ି ହୋଇଛନ୍ତି। ୪୦ କୋଟିରୁ ଅଧିକ ଗ୍ରାହକ ଥିବା ଦେଶର ପ୍ରଥମ ଟେଲିକମ୍ କଂପାନି ଭାବେ ଜିଓ ଉଭା ହୋଇଛି। ଜୁଲାଇରେ ଏୟାରଟେଲ୍‌ ଦେଶରେ ୩୨ ଲକ୍ଷ ୬୦ ହଜାର ୫୩୬ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଜିଓ ୩୫ ଲକ୍ଷ ୫୪ ହଜାରରୁ ଅଧିକ, ବିଏସ୍‌ଏନ୍‌ଏଲ୍‌ ୩ ଲକ୍ଷ ୮୮ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛନ୍ତି। ଭୋଡାଫୋନ୍ ଆଇଡିଆ ଏହି ମାସରେ ୩୭ ଲକ୍ଷ ୨୬ ହଜାର ୧୨୧ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛି। ଦେଶରେ ମୋଟ୍ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧୧୪ କୋଟିରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର