ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା କର୍ପୋରେଟ୍ ଜଗତକୁ ଆବଶ୍ୟକ ହେଉଥିବା ଜରୁରୀକାଳୀନ ଆଶ୍ବସ୍ତି ପ୍ରଦାନ କରିବା ଲାଗି ଇନସଲ୍‌ଭନ୍ସେି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ସଂଶୋଧନ ଅଣାଯାଇଛି। ପୂର୍ବରୁ ଏନେଇ ଏକ ଅଧ୍ୟାଦେଶ ଆସିଥିଲା। କରୋନା ମହାମାରୀକୁ ନଜରରେ ରଖି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଛଅ ମାସର ଆଶ୍ବସ୍ତି ଦେବା ଲାଗି ସେଥିରେ ବ୍ୟବସ୍ଥା ରହିଥିଲା। ସେହି ଅଧ୍ୟଦେଶକୁ ବିଲ୍‌ରେ ପରିଣତ କରି ଆଜି ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ବାଚନିକ ଭୋଟ୍‌ରେ ତାହା ଗୃହୀତ ହୋଇଛି। କରୋନା ମହାମାରୀର ପ୍ରଭାବକୁ ବିଚାରକୁ ନେଇ ଆଇବିସି କୋଡ୍‌ର ଧାରା ୭,୯ ଓ ୧୦କୁ ବାତିଲ କରାଯାଇଛି। ଏହି ତିନି ଧାରା ଋଣ ଦେଇଥିବା ଆର୍ଥିକ ସଂସ୍ଥାଗୁଡ଼ିକୁ ଗ୍ରାହକଙ୍କ ବିରୋଧରେ ଦେବାଳିଆ ବା ଇନସଲଭେନ୍ସି ମାମଲା ଆରମ୍ଭ କରିବାର କ୍ଷମତା ଦେଇଥିଲା। ଏଥି ସହିତ ଆଇବିସିରେ ଏକ ନୂଆ ଧାରା '୧୦ଏ' ଯୋଡ଼ାଯାଇଛି। କଂପାନିଗୁଡ଼ିକୁ ଅତି କମ୍‌ରେ ଛଅ ମାସର ଆଶ୍ବସ୍ତି ମିଳିଛି। ଦରକାର ପଡ଼ିଲେ ସେହି ଅବଧି ୨୦୨୧ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଅର୍ଥାତ ମୋଟ ଉପରେ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

Advertisment

ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ସଂଶୋଧନ କରାଯାଇଥିବାରୁ ଋଣ ଶୁଝିପାରିନଥିବା ଗ୍ରାହକମାନଙ୍କ ବିରୋଧରେ ଋଣ ଦେଇଥିବା ଆର୍ଥିକ ସଂସ୍ଥା ଦେବାଳିଆ ମାମଲା ରୁଜୁ କରିପାରିବେ ନାହିଁ। ଦେଶରେ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଲାଗୁ କରାଯାଇଥିଲା। ଏହା ପରେ ଯେଉଁ କଂପାନିଗୁଡ଼ିକ ଋଣ ଶୁଝିପାରିନାହାନ୍ତି ସେମାନଙ୍କୁ ଛଅ ମାସ ପର୍ଯ୍ୟନ୍ତ କୋର୍ଟକୁ ଟଣାଯାଇପାରିବ ନାହିଁ। ତେବେ ଲକ୍‌ଡାଉନ୍ ପୂର୍ବରୁ ବିଭିନ୍ନ କଂପାନି ନାମରେ ଯେଉଁ ମାମଲା ରୁଜୁ ହୋଇଥିଲା ତାହାର ବିଚାର ଆଇନ ଅନୁସାରେ ଜାରି ରହିବ। ସେହି ବିଚାର ପ୍ରକ୍ରିୟା ଅଟକିବ ନାହିଁ। ଆଜି ଆଇବିସି ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତ ଯେ କଂପାନିଗୁଡ଼ିକୁ ବନ୍ଦ କରିବା ନୁହେଁ ବରଂ ସେଗୁଡ଼ିକ ଚାଲୁ ରଖିବା ଲାଗି ଉଦ୍ୟମ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। ଆଇବିସି ପ୍ରକ୍ରିୟାରେ ୨୫୮ଟି କଂପାନିକୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି।

କଂପାନିଗୁଡ଼ିକ ଋଣ ନେବା ବେଳେ ଗ୍ୟାରେଣ୍ଟର୍‌ ମଧ୍ୟ ସେହି ପ୍ରକ୍ରିୟା ସହ ଜଡ଼ିତ ଥାଆନ୍ତି। କର୍ପୋରେଟ୍ ଇନସଲ୍‌ଭେନ୍ସି ପ୍ରକ୍ରିୟାରେ ଉଭୟ ଋଣ ନେଇଥିବା ସଂସ୍ଥା ଓ ଏହାର ଗ୍ୟାରେଣ୍ଟରଙ୍କ ବିରୋଧରେ ଏକକାଳୀନ ମାମଲା ଆରମ୍ଭ କରାଯିବା ଉଚିତ ବୋଲି ନିର୍ମଳା କହିଛନ୍ତି। ଗତ ଜୁନ୍ ୨୪ରେ ଆଇବିସିକୁ ନେଇ ସରକାର ଅଧ୍ୟାଦେଶ ଆଣିଥିଲେ। କଂପାନିଗୁଡ଼ିକ ବିରୋଧରେ ଅତି କମ୍‌ରେ ଲକ୍‌ଡାଉନ୍ ପରେ ଛଅ ମାସ ପର୍ଯ୍ୟନ୍ତ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି ପ୍ରକ୍ରିୟା ଆରମ୍ଭ କରାଯାଇପାରିବ ନାହିଁ ବୋଲି ସେଥିରେ ବ୍ୟବସ୍ଥା ରହିଥିଲା। ମାର୍ଚ୍ଚ ୨୫ ପରେ ଯେଉଁ ସଂସ୍ଥା ଋଣ କିସ୍ତି ଦେବାରେ ବିଫଳ ହୋଇଥିବେ ସେହି ଆଧାରରେ ସେମାନଙ୍କ ବିରୋଧରେ ଇନ୍‌ସଲ୍‌ଭେନ୍ସି ବା ଦେବାଳିଆ ମାମଲା ଆରମ୍ଭ କରାଯାଇପାରିବ ନାହିଁ। ଏତେ ଶୀଘ୍ର ଏହି ଅଧ୍ୟାଦେଶ ଆଣିବାର କ'ଣ ଆବଶ୍ୟକତା ଥିଲା ବୋଲି ଗୃହର ସଦସ୍ୟମାନେ ପ୍ରଶ୍ନ କରିବାରୁ ତାହାର ଉତ୍ତରରେ ନିର୍ମଳା କହିଥିଲେ ଯେ ସଂସଦର ଦୁଇଟି ଅଧିବେଶନ ଭିତରେ ଯଦି କିଛି ଆଇନର ଆବଶ୍ୟକତା ରହୁଛି ସେତେବେଳେ ଅଧ୍ୟାଦେଶ ଅଣାଯାଉଛି। ଏହା ଜରିଆରେ ଆମେ ଅନ୍ତତଃ ଦେଶର ଲୋକମାନଙ୍କୁ ଜଣାଉଛୁ ଯେ ଆମେ ଆପଣମାନଙ୍କ ସହିତ ଅଛୁ। ଏହା ହେଉଛି ଏକ ସରକାରର ଦାୟିତ୍ବ ବୋଲି ସେ କହିଛନ୍ତି।

୨୦୧୬ରେ ଦେଶରେ ଆଇବିସି ଲାଗୁ ହୋଇଥିଲା। ଏହା ପରଠାରୁ ସେଥିରେ ପାଞ୍ଚ ଥର ସଂଶୋଧନ ହୋଇସାରିଛି। ଆଇବିସି ପ୍ରକ୍ରିୟାରେ ୨୫୮ଟି କଂପାନିକୁ ଉଦ୍ଧାର କରାଯାଇଥିବା ବେଳେ ୯୬୫ଟି ସଂସ୍ଥାକୁ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ସଂସ୍ଥା ମଧ୍ୟରୁ ଦୁଇ ତୃତୀୟାଂଶ ଅଚଳ ହୋଇ ପଡ଼ିରହିଥିଲା। ଉଦ୍ଧାର ହୋଇଥିବା ୨୫୮ଟି କଂପାନି ପାଖରେ ୯୬ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ବନ୍ଦ କରାଯାଇଥିବା ୯୬୫ଟି ସଂସ୍ଥା ପାଖରେ ୩୮ ହଜାର କୋଟି ଟଙ୍କାର ସମ୍ପତ୍ତି ଥିଲା।