ଜାନୁଆରିରେ ୬ ନୂଆ କାର୍‌

ନୂଆଦିଲ୍ଲୀ : ଦୁଇବର୍ଷ କଠିନ ସମୟ ଦେଇ ଗତି କରିବା ପରେ ୨୦୨୧କୁ ଗାଡ଼ି କଂପାନିଗୁଡ଼ିକ ସମ୍ଭାବନାର ବର୍ଷ ଭାବେ ଦେଖୁଛନ୍ତି। ନୂଆବର୍ଷର ପ୍ରଥମ ମାସରେ କଂପାନିଗୁଡ଼ିକ ୬ଟି ନୂଆ ମଡେଲ୍‌ ବଜାରକୁ ଆଣିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ଏଥି ମଧ୍ୟରୁ କିଛି ଗାଡ଼ି ଉନ୍ମୋଚିତ ହୋଇସାରିଥିବା ବେଳେ ଆଉ କିଛି କାର୍ ବଜେଟ୍‌ ଉପସ୍ଥାପନ ହେବା ପୂର୍ବରୁ ବଜାରକୁ ଆସିବ।

୨୦୨୧ ଅଡି ଏ୪: ଲକ୍‌ଜୁରି କାର୍ ନିର୍ମାତା ଅଡି ଏହାର ନୂଆ କାର୍ ଅଡି ଏ୪ ଫେସ୍‌ଲିଫ୍ଟକୁ ଉନ୍ମୋଚନ କରିଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୪୬ ଲକ୍ଷ ଟଙ୍କା। ବଜାରରେ ଏହା ମର୍ସିଡିସ୍‌-ବେଞ୍ଜ୍‌ର ସି-କ୍ଲାସ୍‌, ବିଏମ୍‌ଡବ୍ଲୁର ୩ ସିରିଜ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ। ଏଥିରେ ସାତ ସ୍ପିଡ୍‌ ଟ୍ବିନ୍ କ୍ଲଚ୍‌ ଡିଏସ୍‌ଜି ଟ୍ରାନ୍ସମିସନ୍ ରହିଛି।

ଟ‌ୟୋଟା ଫର୍ଚୁନର୍‌ ଫେସ୍‌ଲିଫ୍ଟ: ଟୟୋଟା ଫର୍ଚୁନର୍‌ ଫେସ୍‌ଲିଫ୍ଟ ଚଳିତ ମାସରେ ଉନ୍ମୋଚିତ ହୋଇଛି। ବଜାରରେ ଏହା ଫୋର୍ଡ ଏଣ୍ଡେଭର୍‌, ଏମ୍‌ଜି ଗ୍ଲୋଷ୍ଟର୍‌, ମହିନ୍ଦ୍ରା ଆଲ୍‌ଟ୍ରସ୍‌ ଜି୪ ଓ ଆଇସୁଜୁ ଏମ୍‌ୟୁ-ଏକ୍ସ ସହ ପ୍ରତିଦ୍ବନ୍ଦ୍ବିତା କରିବ। ଏଥିରେ ୨.୮ ଲିଟର୍‌ ଟର୍ବୋ ଡିଜେଲ୍ ଇଞ୍ଜିନ ବ୍ୟବହାର କରାଯାଇଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହୋଇଥିବା ବେଳେ ଗ୍ରାହକମାନେ ଅଟୋମେଟିକ୍ ଓ ମାନୁଆଲ୍ ଟ୍ରାନ୍ସମିସନ୍ ମଧ୍ୟରୁ ନିଜ ପସନ୍ଦକୁ ଚୟନ କରିପାରିବେ।

ଏମ୍‌ଜି ହେକ୍ଟର ପ୍ଲସ୍‌
ଏହି ଗାଡ଼ିର ବଜାର ପ୍ରବେଶ ତାରିଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ କଂପାନି ସୂତ୍ରରୁ କୁହାଯାଇଛି ଯେ ଜାନୁଆରିରେ ଏହାକୁ ଉନ୍ମୋଚନ କରାଯିବ। ୭ ସିଟ୍ ବିଶିଷ୍ଟ ହେକ୍ଟର ପ୍ଲସ୍‌ରେ ୨.୦ ଲିଟର ଟର୍ବୋ ଡିଜେଲ୍ ଇଞ୍ଜିନ ଓ ୧.୫ ଲିଟର ପେଟ୍ରୋଲ୍ ଇଞ୍ଜିନ ରହିବ। ପେଟ୍ରୋଲ୍ ଇଞ୍ଜିନ ସହିତ ୪୮-ଭି ମାଇଲ୍ଡ ହାଇବ୍ରିଡ୍ ସିଷ୍ଟମ୍ ଓ ୭ ସ୍ପିଡ୍‌ ଡିସିଟି ରହିବ।

ବିଏମ୍‌ଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋସିନ୍
ଏହି କାର୍‌କୁ ଚଳିତ ମାସ ୨୧ରେ ଉନ୍ମୋଚନ କରାଯିବ। ବଜାରରେ ଏହା ୨୦୨୧ ଅଡି ଏ୪, ମର୍ସିଡିସ୍‌ ବେଞ୍ଜ ସି-କ୍ଲାସ୍‌, ଜାଗୁଆର ଏକ୍ସଇ ଓ ଭଲ୍‌ଭୋ ଏସ୍‌୬୦ ସହ ପ୍ରତିଦ୍ବନ୍ଦ୍ବିତା କରିବ। ଏଥିରେ ବ୍ୟବହାର କରାଯାଇଥିବା ଟର୍ବୋ ଚାର୍ଜଡ୍‌ ଇଞ୍ଜିନ ୨୫୫ ବିଏଚ୍‌ପି ଶକ୍ତି ଓ ୪୦୦ ଏନ୍‌ଏମ୍‌ ଟର୍କ ସୃଷ୍ଟି କରିବ। ଏଥିରେ ୮ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିବ ବୋଲି ଆଶା କରାଯାଉଛି।

୨୦୨୧ ଜିପ୍ କମ୍ପାସ୍‌: ଚଳିତ ମାସରେ ବଜାରକୁ ଆସିଥିବା ୨୦୨୧ ଜିପ୍ କମ୍ପାସ୍‌ ବଜାରରେ ହୁଣ୍ଡାଇ ଟସ୍‌କନ୍, ସ୍କୋଡା କୋରାକ୍, ଟାଟା ହାରିୟର ଓ ଏମ୍‌ଜି ହେକ୍ଟର ସହିତ ପ୍ରତିଦ୍ବନ୍ଦ୍ବିତା କରିବ। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପ ସହ ଆସିଛି। ଏଥିରେ ୬ ସ୍ପିଡ୍ ମାନୁଆଲ୍‌ ଟ୍ରାନ୍ସମିସନ୍‌ ରହିଛି। ଗ୍ରାହକମାନେ ୭ ସ୍ପିଡ୍‌ର ଡୁଆଲ୍ କ୍ଲଚ୍‌ ଅଟୋମେଟିକ୍ ମଡେଲ୍‌ ମଧ୍ୟ କିଣିପାରିବେ।

ଟାଟା ଆଲ୍‌ଟ୍ରୋଜ୍ ଟର୍ବୋ: ଟାଟା ମୋଟର୍ସର ଆଲ୍‌ଟ୍ରୋଜ୍ ଟର୍ବୋ ମଡେଲ୍‌ ଚଳିତ ମାସରେ ବଜାରକୁ ଆସିଛି। ଏହାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏଥିରେ ଡୁଆଲ୍ କ୍ଲଚ୍‌ ଅଟୋମେଟିକ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ରହିଛି। ଏହ‌ା ୧୧୦ ଏଚ୍‌ପି ଶକ୍ତି ଓ ୧୪୦ ଏନ୍‌ଏମ୍‌ ଟର୍କ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର