୬ରୁ ୧୨ ଘଣ୍ଟା ଭିତରେ ଦ୍ୱିତୀୟ ଥର ଏଟିଏମ୍‌ରୁ ଟଙ୍କା ଉଠାଇବା ଉପରେ ଲାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଏଟିଏମ୍‌ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏଟିଏମ୍‌ ଠକେଇ ମାମଲାକୁ ହ୍ରାସ କରିବା ପାଇଁ ଦିଲ୍ଲୀ ଷ୍ଟେଟ ଲେବଲ୍‌ ଓ୍ଵାକର୍ସ କମିଟି (ଏସ୍‌ଏଲ୍‌ବିସି) କିଛି ଉପାୟ ଆପଣାଇଛନ୍ତି। ଦିଲ୍ଲୀ ଏସ୍‌ଏଲ୍‌ବିସି ଦୁଇଟି ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ ମଧ୍ୟରେ ୬ରୁ ୧୨ ଘଣ୍ଟାର ଅନ୍ତର ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଯଦି ଏହି ପ୍ରସ୍ତାବକୁ ମାନି ନିଆଯାଏ ତେବେ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ। ଏହି ଯୋଜନା ବିଷୟରେ ଗତ ସପ୍ତାହରେ ୧୮ଟି ବ୍ୟାଙ୍କ ପ୍ରତିନିଧିଙ୍କ ବୈଠକରେ ଚର୍ଚ୍ଚା ହୋଇଥିଲା।

ଦିଲ୍ଲୀ ଏସ୍‌ଏଲବିସି ଆୟୋଜକ ଓ ଓରିଏଣ୍ଟଲ ବ୍ୟାଙ୍କ ଅଫ୍‌ କମର୍ସର ଏମ୍‌ଡି ଓ ସିଇଓ ମୁକେଶ କୁମାର ଜୈନ୍‌ଙ୍କ କହିବାନୁସାରେ, ଏଟିଏମ୍‌ ସହିତ ଜଡ଼ିତ ଅଧିକାଂଶ ଠକେଇ ରାତି ସମୟରେ ଅର୍ଥାତ୍‌ ଅଧାରାତିରୁ ନେଇ ସକାଳ ଭିତରେ ହୋଇଥାଏ। ଦୁଇଟି ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ ମଧ୍ୟରେ ୬ରୁ ୧୨ ଘଣ୍ଟାର ବ୍ୟବଧାନ ରଖାଯିବ ତେବେ ଏହି ଠକେଇ ମାମଲାକୁ କିଛି ମାତ୍ରାରେ ହ୍ରାସ କରାଯାଇ ପାରିବ। କେବଳ ଏତିକି ନୁହେଁ, ଓ୍ଵାକର୍ସ ଅନ୍ୟ ପ୍ରସ୍ତାବ ବି ଦେଇଛନ୍ତି। ଯେଉଁଥିରେ ଅନାଧିକୃତ ଭାବେ ଟଙ୍କା ବାହାର କରିବା ପାଇଁ ଚେଷ୍ଟା କରୁଥିବା ଜମାକାରୀଙ୍କୁ ଅଲର୍ଟ କରିବା ପାଇଁ ଓଟିପି ପଠାଯିବ। ଏହି ବ୍ୟବସ୍ଥା କ୍ରେଡିଟ ଓ ଡେବିଟ କାର୍ଡ ଦ୍ୱାରା ହେଉଥିବା ଥିବା ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍‌ସନ୍‌ ଭଳି ହେବ।

ବର୍ଷ ୨୦୧୮-୧୯ ସମୟରେ ମହାରାଷ୍ଟ୍ରରେ ୨୩୩ଟି ଓ ଦିଲ୍ଲୀରେ ୧୭୯ଟି ଏଟିଏମ୍‌ ଠକେଇ ମାମଲା ରୁଜୁ କରାଯାଇଥିଲା। ୨୦୧୮-୧୯ରେ ସମଗ୍ର ଦେଶରେ ଏହି ଠକେଇ ମାମଲା ବୃଦ୍ଧି ପାଇ ୯୮୦ଟି ହୋଇଯାଇଛି।  ପୂର୍ବ ବର୍ଷ ଏହି ମାମଲା ସଂଖ୍ୟା ୯୧୧ଟି ଥିଲା।

ସମ୍ବନ୍ଧିତ ଖବର