ବଜାରରେ ସ୍ଲିଙ୍ଗ୍‌ ଡିଜାଇନ୍‌:ହ୍ୟାଣ୍ଡ୍‌ବ୍ୟାଗ୍‌

ଯୁବତୀ ଓ ମହିଳାମାନେ ଦିନକୁ ଦିନ ଘରେ କମ୍‌ ସମୟ ଓ ଅଫିସ୍‌ ଓ ବଜାରରେ ଅଧିକ ସମୟ ବିତାଉଛନ୍ତି। ବାହାରକୁ ବାହାରିବା ସମୟରେ ପୁଅମାନେ ଯେଭଳି ସାଥିରେ ମନିପର୍ସ ନେଇଥାନ୍ତି ଯୁବତୀ ଓ ମହିଳାମାନେ ସେହିଭଳି ଭ୍ୟାନିଟି ବା ହ୍ୟାଣ୍ଡବ୍ୟାଗ୍‌ ନେଇଥାନ୍ତି। ଯୁବତୀ ଓ ମହିଳାଙ୍କ ମଧ୍ୟରୁ କେତେକ ହ୍ୟାଣ୍ଡବ୍ୟାଗ୍‌କୁ ହାତରେ ଧରି ଚାଲୁଥିବାବେଳେ ଆଉ କେତେକ କାନ୍ଧରେ ପକାଇ ଯା’ଆସ କରୁଛନ୍ତି। ମହିଳାଙ୍କ ଚାହିଦାକୁ ଦେଖି ହ୍ୟାଣ୍ଡବ୍ୟାଗ୍‌ର ବଜାର ମଧ୍ୟ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି। ଛୋଟ ସୋ’ରୁମ୍‌ ଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ବିଭିନ୍ନ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ ମିଳିଯାଉଛି। ଅଧିକାଂଶ ଗ୍ରାହକ ଚମଡ଼ା ନିର୍ମିତ ହ୍ୟାଣ୍ଡବ୍ୟାଗ୍‌ ବା ଭ୍ୟାନିଟି କିଣିବାକୁ ଆଗ୍ରହ ଦେଖାଉଥିବାବେଳେ ଆଉ କେତେକ ଫ୍ୟାନ୍ସି ହ୍ୟାଣ୍ଡବ୍ୟାଗ୍‌ କିଣୁଛନ୍ତି। ରାଜଧାନୀର ହ୍ୟାଣ୍ଡ୍‌ବ୍ୟାଗ୍‌ ବଜାରକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା:-
ଆବଶ୍ୟକତା ଅନୁସାରେ ପସନ୍ଦ
ମହିଳାମାନେ ସାଧାରଣତଃ ବୟସ ଅନୁସାରେ ଭିନ୍ନ ଭିନ୍ନ ଆକାର, ଷ୍ଟାଇଲ୍‌ ଓ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ ପସନ୍ଦ କରୁଛନ୍ତି। ସ୍କୁଲ ଏବଂ କଲେଜରେ ପଢ଼ୁଥିବା କିଶୋରୀମାନେ ଛୋଟ ହ୍ୟାଣ୍ଡବ୍ୟାଗ୍‌ ଧରୁଛନ୍ତି। ମୋବାଇଲ ସହିତ ଅଳ୍ପ କିଛି ଜିନିଷ ରଖିବା ସେମାନଙ୍କର ଆବଶ୍ୟକତା ହୋଇଥିବାରୁ କିଶୋରୀ ଏବଂ ଅଳ୍ପ ବୟସର ଛାତ୍ରୀମାନେ ଛୋଟ ହ୍ୟାଣ୍ଡବ୍ୟାଗ କିଣିବାକୁ ପସନ୍ଦ କରୁଛନ୍ତି ବୋଲି ଭୁବନେଶ୍ୱରର ହ୍ୟାଣ୍ଡବ୍ୟାଗ୍‌ ବ୍ୟବସାୟୀମାନେ ମତ ଦେଇଛନ୍ତି। ତେବେ କର୍ମଜୀବୀ ମହିଳାମାନେ ସାଧାରଣତଃ ମଧ୍ୟମ ଆକାର ଏବଂ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ କିଣିବାକୁ ପସନ୍ଦ କରୁଛନ୍ତି। ସେମାନେ ମୋବାଇଲ, ଟଙ୍କା ପଇସା ସହିତ ପାଣିବୋତଲ ଏବଂ ଛତା ଆଦି ବ୍ୟାଗ୍‌ରେ ନେଇଥାନ୍ତି। ସେଥିପାଇଁ ଏ ପ୍ରକାର ହ୍ୟାଣ୍ଡବ୍ୟାଗ୍‌ର ଆବଶ୍ୟକତା ରହିଥାଏ ବୋଲି ଜଣେ ବ୍ୟବସାୟୀ କହିଛନ୍ତି।
ଷ୍ଟାଇଲ୍‌ ଓ ଡିଜାଇନ୍‌କୁ ଗୁରୁତ୍ୱ
ଦେଶର ଅନ୍ୟ ବଡ଼ ସହର ଭଳି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ପ୍ରାୟ ସବୁ ନାମୀଦାମୀ ବ୍ରାଣ୍ଡ୍‌ର ହ୍ୟାଣ୍ଡବ୍ୟାଗ ମିଳିଯାଉଛି। ଛୋଟ ଛୋଟ ସୋ’ରୁମ୍‌ ଠାରୁ ଆରମ୍ଭ କରି ବିଗ୍‌ ବଜାର, ପାଣ୍ଟାଲୁନ୍‌ ଆଦି ବଡ଼ ଫର୍ମାଟ ଷ୍ଟୋରରେ ମହିଳାଙ୍କ ପାଇଁ ହ୍ୟାଣ୍ଡବ୍ୟାଗ୍‌ ମିଳିଯାଉଛି। ବଡ଼ ସୋ’ରୁମ୍‌ ଗୁଡ଼ିକରେ ଏଥିପାଇଁ ସ୍ୱତନ୍ତ୍ର ଭାବେ ହ୍ୟାଣ୍ଡବ୍ୟାଗ୍‌ ସେକ୍ସନ ରହିଛି। ଏଠାରେ ମହିଳାମାନେ ସହଜରେ ବିଭିନ୍ନ ଭେରାଇଟିର ହ୍ୟାଣ୍ଡବ୍ୟାଗ୍‌ ଚୟନ କରିବା ସହିତ କିଣିପାରୁଛନ୍ତି। ସେହିଭଳି ରାଜଧାନୀରେ ଅନ୍ୟ କେତେକ ଜାତୀୟ ସ୍ତରର ରିଟେଲ ଷ୍ଟୋର ଖୋଲିଲାଣି ଯେଉଁଠି ମହିଳାଙ୍କ ଜୋତା, ବେଲ୍ଟ ସହିତ ସ୍ୱତନ୍ତ୍ର ଭାବେ କେବଳ ହ୍ୟାଣ୍ଡବ୍ୟାଗ୍‌ ବିକ୍ରି କରାଯାଉଛି। ଏଠାରେ ବିବାହ ସମ୍ଭାର ଭଳି ଫ୍ୟାନ୍‌ସି ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ ସହଜରେ ଗ୍ରାହକଙ୍କୁ ମିଳିଯାଉଛି।
ଶାଢ଼ି,ଡ୍ରେସ୍‌ ସହ ମ୍ୟାଚ୍‌ କରି ଗ୍ରାହକ କିଣୁଛନ୍ତି
ବଜାରରେ ଏବେ ଶାଢ଼ି ଏବଂ ଡ୍ରେସ୍‌ର ପ୍ରିଣ୍ଟ ସହିତ ମିଶିବା ଭଳି ହ୍ୟାଣ୍ଡବ୍ୟାଗ୍‌ ମଧ୍ୟ ବିକ୍ରି କରାଯାଉଛି। ଯେଉଁମାନେ ଭାରତର ପାରମ୍ପରିକ ପ୍ରିଣ୍ଟେଡ ଶାଢ଼ି ପିନ୍ଧୁଛନ୍ତି ସେମାନେ ସେମାନଙ୍କ ଶାଢ଼ିର ପ୍ରିଣ୍ଟକୁ ଭଲ ଦେଖାଯିବା ଭଳି ହ୍ୟାଣ୍ଡବ୍ୟାଗ୍‌ କିଣୁଛନ୍ତି। ତେବେ ଯେଉଁମାନେ ପାଶ୍ଚାତ୍ୟ ପୋଷାକ ଯଥା ଜିନ୍ସ, ଟି-ସାର୍ଟ ଆଦି ପିନ୍ଧୁଛନ୍ତି ସେମାନେ ଟିକେ ଭିନ୍ନ ଡିଜାଇନ୍‌ ଓ ଷ୍ଟାଇଲ୍‌ର ହ୍ୟାଣ୍ଡବ୍ୟାଗ୍‌ ପସନ୍ଦ କରୁଛନ୍ତି। ତେବେ ଅଧିକ ସଂଖ୍ୟାରେ ଗ୍ରାହକ ସ୍ଲିଙ୍ଗ୍‌ ଡିଜାଇନ୍‌ର ହ୍ୟାଣ୍ଡବ୍ୟାଗ୍‌ କିଣୁଛନ୍ତି ଏବଂ ଏହାର ଚାହିଦା ବଢ଼ିବାରେ ଲାଗିଛି। ଏ ପ୍ରକାର ବ୍ୟାଗର ଫିତାକୁ ମହିଳାମାନେ ଗୋଟେ ପଟ କାନ୍ଧରେ ପକାଉଥିବାବେଳେ ବ୍ୟାଗଟି ବୀପରିତ ପଟର ଅଣ୍ଟା ପାଖରେ ରହୁଛି।
ଫିକା ରଙ୍ଗ
ଅଧିକ ବିକ୍ରି
ଜନପଥରେ ଅବସ୍ଥିତ ଏକ ସୋ’ରୁମ୍‌ର ଅଧିକାରୀଙ୍କ କହିବା ଅନୁଯାୟୀ, ଫିକା ରଙ୍ଗର ହ୍ୟାଣ୍ଡବ୍ୟାଗ୍‌ ମହିଳାମାନେ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଯଦିଓ ଗୋଲାପି, ହଳଦିଆ, ନୀଳ ଆଦି ରଙ୍ଗର ହ୍ୟାଣ୍ଡବ୍ୟାଗ୍‌ ମହିଳାମାନେ ପସନ୍ଦ କରୁଛନ୍ତି ତଥାପି ଗାଢ଼ ପରିବର୍ତେ ସେମାନେ ଫିକା ରଙ୍ଗର ହ୍ୟାଣ୍ଡବ୍ୟାଗ୍‌କୁ ଅଧିକ କିଣୁଛନ୍ତି।

ସମ୍ବନ୍ଧିତ ଖବର