ଭୁବନେଶ୍ବର: ସୁନା ମହଙ୍ଗା ହେଉଥିବାରୁ ଲୋକମାନେ ବେଶ୍ ଚିନ୍ତିତ ହୋଇପଡ଼ିଥିଲେ। ଏବେ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇବାକୁ ଯାଉଛି ରୁପା। ରୁପା ଦାମ୍ ଇତିମଧ୍ୟରେ ରେକର୍ଡ କରିସାରିଲାଣି ଯାହାକୁ ନେଇ ସେଭଳି ବଡ଼ ଧରଣର ଆଲୋଚନା ହେଉନାହିଁ। ସୋମବାର ଭୁବନେଶ୍ବରରେ ରୁପାର କେଜି ପିଛା ଦାମ୍ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ଗୋଟିଏ ଦିନରେ ଏହାର ଦାମ୍ ୪୫୦୦ ଟଙ୍କା ବୃଦ୍ଧି ପାଇଛି। ଗୁଡ୍ରିଟର୍ଣ୍ଣସ୍ ତଥ୍ୟ ଅନୁଯାୟୀ ଭୁବନେଶ୍ବରରେ ରୁପା କେଜି ୧,୦୧,୦୦୦ ଟଙ୍କା ହୋଇଛି। ଗତକାଲି ଏହି ଦର ୯୬,୫୦୦ ଟଙ୍କା ଥିଲା। ମାସକ ପୂର୍ବରୁ (ଏପ୍ରିଲ୍ ୨୦) ରୁପାର କେଜି ପିଛା ଦାମ୍ ଭୁବନେଶ୍ବରରେ ୯୦ ହଜାର ଟଙ୍କା ଥିଲା। ଇତିମଧ୍ୟରେ ସେଥିରେ ୧୧,୦୦୦ ଟଙ୍କାର ବୃଦ୍ଧି ଘଟିଛି। ଆଜି ସବୁଠୁ ବଡ଼ ଧରଣର ବୃଦ୍ଧି ହୋଇଛି।
ସୋମବାର ଭୁବନେଶ୍ବରରେ ସୁନା ମଧ୍ୟ ମହଙ୍ଗା ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦୦ ଟଙ୍କା ବୃଦ୍ଧି ପାଇ ୬୮,୯୦୦ ଟଙ୍କା ହୋଇଛି। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୫୪୦ ଟଙ୍କା ବୃଦ୍ଧି ପାଇ ୭୫,୧୬୦ ଟଙ୍କା ହୋଇଛି। ରୁପା ଦାମ୍ରେ ହୋଇଥିବା ବୃଦ୍ଧି ସମ୍ପର୍କରେ ଲାଲ୍ଚାନ୍ଦ୍ ଜୁଏଲର୍ସର ନିର୍ଦ୍ଦେଶକ ଅନିସ ହଂସ କହିଛନ୍ତି ଯେ ଶିଳ୍ପ ଜଗତରେ ଚାହିଦା ବଢ଼ୁଥିବାରୁ ରୁପା ମୂଲ୍ୟରେ ବୃଦ୍ଧି ହେଉଛି। ନିବେଶକମାନେ ମଧ୍ୟ ରୁପାରେ ଅଧିକ ନିବେଶ କରୁଛନ୍ତି ଯେଉଁଥିପାଇଁ ଏହି ଧାତବ ପଦାର୍ଥ ମହଙ୍ଗା ହେବାରେ ଲାଗିଛି। ଦାମ୍ରେ ହୋଇଥିବା ବୃଦ୍ଧି ରୁପାରେ ତିଆରି ଜିନିଷର ବିକ୍ରିକୁ ବିଶେଷ ପ୍ରଭାବିତ କରିବ ବୋଲି ମୁଁ ଭାବୁନାହିଁ। କାରଣ ସୋ’ରୁମ୍କୁ ଆସୁଥିବା ଗ୍ରାହକମାନେ ସୁନା କିଣିବାରେ ଯେତିକି ଟଙ୍କା ଖର୍ଚ୍ଚ କରନ୍ତି ତାହାର ୧୦ ପ୍ରତିଶତ ରାଶିରେ ରୁପା ଜିନିଷ ମଧ୍ୟ କିଣିଥାନ୍ତି। ବିଶେଷ କରି ରୁପା ପାଉଁଚି, ଝୁଣ୍ଟିଆ, ଥାଳି, ଗିନା, ଗ୍ଲାସ୍, ପ୍ଲେଟ୍, ଉପହାର ସାମଗ୍ରୀ, ରୁପା ଗହଣା ଆଦିକୁ କିଣିଥାନ୍ତି। ଯେହେତୁ ଜଣେ ଗ୍ରାହକ ୧୦-୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୁପା ଜିନିଷ କିଣାରେ ଖର୍ଚ୍ଚ କରନ୍ତି, ତେଣୁ ରୁପା ଦାମ୍ରେ ହେଉଥିବା ବୃଦ୍ଧି ସେମାନଙ୍କୁ ବିଶେଷ ପ୍ରଭାବିତ କରିବ ନାହିଁ। ବିକ୍ରି ଉପରେ ଦରବୃଦ୍ଧିର କୌଣସି ପ୍ରଭାବ ଆମେ ଦେଖୁନାହୁଁ ବୋଲି ସେ କହିଛନ୍ତି।
ଜୟଆଲୁକ୍କାସ ସୋ’ରୁମ୍ର ଶାଖା ପ୍ରବନ୍ଧକ ସୁଭାଷ ଏମ୍ କହିଛନ୍ତି ଯେ ରୁପା ସାମଗ୍ରୀ ବିକ୍ରିରେ ଦରବୃଦ୍ଧିର କୌଣସି ପ୍ରଭାବ ନାହିଁ। ଗ୍ରାହକମାନେ ଆସୁଛନ୍ତି ଓ ସେମାନଙ୍କ ପସନ୍ଦର ରୁପା ଜିନିଷ କିଣୁଛନ୍ତି। ସେମାନେ ପାଉଁଚି, ଝୁଣ୍ଟିଆ, ବାସନକୁସନ ଓ ଅନ୍ୟାନ୍ୟ ଜିନିଷ କିଣୁଛନ୍ତି। ବିବାହ କାର୍ଯ୍ୟରେ ଯେଉଁ ରୁପା ଜିନିଷ ଦରକାର ସେମାନେ ତାହା ନିଶ୍ଚିତ ରୂପେ କିଣୁଛନ୍ତି ବୋଲି ସେ କହିଛନ୍ତି।