ନୂଆଦିଲ୍ଲୀ: ଜାତୀୟ ରାଜପଥ ନିର୍ମାଣର ଗତି ମନ୍ଥର ହୋଇଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦୈନିକ ମାତ୍ର ୧୯ କିମି ରାଜପଥ ତିଆରି ହୋଇଛି। ୨୦୨୦-୨୧ରେ ଦୈନିକ ୩୭ କିମି ରାଜପଥ ନିର୍ମାଣ ହୋଇଥିଲା ଓ ୨୦୨୧-୨୨ରେ ତାହା ୨୮.୬୪ କିମିକୁ ଖସିଯାଇଥିଲା। ୨୦୨୨-୨୩ରେ ରାଜପଥ ନିର୍ମାଣର ଗତି ଆହୁରି ମନ୍ଥର ହୋଇପଡ଼ିଛି। ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୨,୯୧୨ କିମି ରାଜପଥ ତିଆରି ହୋଇଛି ଯାହା ଗତବର୍ଷ ଏହି ସମୟରେ ୩,୩୫୫ କିମି ଥିଲା। ଏହି ସମୟରେ ୨୭୦୬ କିମି ରାସ୍ତା ତିଆରି ପାଇଁ କାର୍ଯ୍ୟ ବରାଦ ଦିଆଯାଇଥିଲା ଯାହା ପୂର୍ବବର୍ଷର ୩,୨୬୧ କିମି ତୁଳନାରେ ମଧ୍ୟ କମ୍। ଭାରତରେ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଓ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍‌ (ଏନ୍‌ଏଚ୍‌ଆଇଡିସିଏଲ୍‌) ରାଜପଥ ଓ ଏକ୍ସପ୍ରେସ୍‌ୱେ ନିର୍ମାଣ ଦାୟିତ୍ବରେ ରହିଛନ୍ତି।

Advertisment

ଚଳିତ ଆର୍ଥିକ ବର୍ଷରେ ୧୨,୦୦୦ କିମି ରାଜପଥ ନିର୍ମାଣ କରିବାର ଲକ୍ଷ୍ୟ ନିର୍ଧାରଣ କରାଯାଇଛି। ଯେଉଁ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ଏହି ଲକ୍ଷ୍ୟ ହାସଲ ହେବ ନା ନାହିଁ ତାହା ଏବେଠାରୁ ଆକଳନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ୨୦୨୦-୨୧ରେ ଅଧିକ ସଡ଼କ ନିର୍ମାଣ ହୋଇଥିବାର ଏକ ପ୍ରମୁଖ କାରଣ ହେଉଛି ସେହି ବର୍ଷ କରୋନା ମହାମାରୀ ବ୍ୟାପିବା ଯୋଗୁଁ ଗମନାଗମନ ଉପରେ କଟକଣା ଲଗାଯାଇଥିଲା। ଲକ୍‌ଡାଉନ୍ ଘୋଷଣା ହେବା ପରେ ଲୋକମାନଙ୍କୁ କାମଧନ୍ଦା ମିଳିନଥିଲା। ବହୁ ଶ୍ରମିକ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯେହେତୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ତେଣୁ କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିଥିଲା।