ନୂଆଦିଲ୍ଲୀ: କ୍ଷୁଦ୍ର ଜମାକାରୀଙ୍କୁ ଏକ ନୂଆ ନିବେଶ ସୁଯୋଗ ଯୋଗାଇ ଦିଆଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ନୂଆ ଯୋଜନାରେ ସଡ଼କ ପରିବହନ ମନ୍ତ୍ରାଳୟ ସେବି ସହିତ ଭିତ୍ତିଭୂମି ନିବେଶ ଟ୍ରଷ୍ଟ୍ ଭଳି ଏକ ମଡେଲ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଆଣିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସହିତ ତାଙ୍କ ମନ୍ତ୍ରାଳୟ ଆଲୋଚନା କରିବ ବୋଲି ଶୁକ୍ରବାର ଗଡ଼କରୀ କହିଛନ୍ତି। ଏଥିରେ ବିରଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ସଞ୍ଚୟରାଶିକୁ କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ପ୍ରକଳ୍ପରେ ନିବେଶ କରିପାରିବେ।

Advertisment

ବ୍ୟାଙ୍କରେ ଜମାକାରୀମାନେ ଯେତିକି ସୁଧ ପାଉଛନ୍ତି ତାହା ତୁଳନାରେ ଅଧିକ ୨ରୁ ୩ ପ୍ରତିଶତ ସୁଧ ନିବେଶକମାନଙ୍କୁ ପ୍ରଦାନ କରାଯିବ। ସଡ଼କ ପରିବହନ ମନ୍ତ୍ରାଳୟର ଏଭଳି ଯୋଜନାକୁ ମନ୍ତ୍ରୀ ସମର୍ଥନ କରୁଛନ୍ତି। ଏଥିପାଇଁ ସେବିର ଅନୁମତି ନିଆଯିବ। ଆମେ ବ୍ୟାଙ୍କର କ୍ଷତି କରିବାକୁ ଚାହୁନା। କିନ୍ତୁ ଜମାକାରୀମାନଙ୍କୁ ମିଆଦୀ ଜମା ଉପରେ ବ୍ୟାଙ୍କ ଯେଉଁ ସୁଧ ଦେଇଥାଏ ତାହା ଠାରୁ ୨ରୁ ୩ ପ୍ରତିଶତ ସୁଧ ଆମେ ଦେବୁ ଏବଂ ଏହି ସୁଧ ପ୍ରତିମାସରେ ଦିଆଯିବ ବୋଲି ଗଡ଼କରୀ କହିଛନ୍ତି। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ବ୍ୟାଙ୍କରେ ଅର୍ଥ ଜମା ରଖନ୍ତି। କିନ୍ତୁ ସୁଧ ହାର ହ୍ରାସ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ କ୍ଷୁଦ୍ର ଜମାକାରୀମାନେ ଯଦି ଭିତ୍ତିଭୂମି ନିବେଶ ଟ୍ରଷ୍ଟରେ ନିବେଶ କରନ୍ତି ଦେଶରେ ଭିତ୍ତିଭୂମି ନିର୍ମାଣ ହୋଇପାରିବ। ଏଥିସହିତ ନିବେଶକମାନେ ଅଧିକ ରିଟର୍ଣ୍ଣ ମଧ୍ୟ ପାଇପାରିବେ ବୋଲି ଗଡ଼କରୀ କହିଛନ୍ତି।

ମୁମ୍ବାଇ,: ଗତ ଶତାବ୍ଦୀର ନବମ ଦଶକରେ ବିଜେପି-ଶିବସେନା ମେଣ୍ଟ ନୀତୀନ ଗଡ଼କରୀ ମହାରାଷ୍ଟ୍ରର ପୂର୍ତ୍ତମନ୍ତ୍ରୀ ରହିଥିଲେ। ସେ ସମୟରେ ମଧ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅର୍ଥର ଅଭାବ ନଥିଲା। ମୁମ୍ବାଇ ପୁଣେ ଏକ୍ସପ୍ରେସୱେ ନିର୍ମାଣ ପାଇଁ ସେ ଲୋକଙ୍କ ଠାରୁ ସଫଳତାର ସହ ପାଣ୍ଠି ସଂଗ୍ରହ କରିପାରିଥିଲେ। ସେହି ସମୟରେ ଭିତ୍ତିଭୂମି ପ୍ରକଳ୍ପକୁ ପାଣ୍ଠି ଯୋଗାଣ ନେଇ ତାହା ଏକ ମଡେଲ ପାଲଟିଥିଲା।

ତେବେ ଏହି ପ୍ରକଳ୍ପ ପାଇଁ ରିଲାଏନ୍ସ ଟେଣ୍ଡର ଦାଖଲ କରିଥିଲା। ତାହାକୁ ସେ ରଦ୍ଦ କରିଦେଇଥିଲେ। ସେଥିପାଇଁ ଧୀରୁଭାଇ ଅମ୍ବାନିଙ୍କ ମନ ଖରାପ ହୋଇଯାଇଥିଲା। ଏପରିକି ମୋର ସହଯୋଗୀ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ମଧ୍ୟ ତାଙ୍କ ଉପରେ ରାଗିଥିଲେ। ଟେଣ୍ଡର କାହିଁକି ରଦ୍ଦ କଲି ବୋଲି ବାଲାସାହେବ ଠାକ୍‌ରେ ମଧ୍ୟ ତାଙ୍କୁ ପଚାରିଥିଲେ। ‌ତେବେ ସେ ସେମାନଙ୍କୁ କହିଥିଲେ, ବଜାରରୁ ପାଣ୍ଠି ସଂଗ୍ରହ କରି ମୁମ୍ବାଇ-ପୁଣେ ରାସ୍ତା, ୱର୍ଲି-ବାନ୍ଦ୍ରା ସିଲିଙ୍କ ଏବଂ ସହରରେ ଅନ୍ୟ ୫୨ଟି ଫ୍ଲାଏଓଭର ନିର୍ମାଣ କରିବେ। ସେମାନେ ସମସ୍ତେ ତାଙ୍କ କଥାରେ ହସିଥିଲେ। ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁଜ ସଙ୍କେତ ଦେଇଥିଲେ। ଏଥିପାଇଁ ମହାରାଷ୍ଟ୍ର ସଡ଼କ ବିକାଶ ନିଗମ (ଏମଏସଆରଡିସି) ଗଠନ ହୋଇଥିଲା। ଏମଏସଆରଡିସି ପୁଞ୍ଜି ବଜାରରେ ପ୍ରବେଶ କରିଥିଲା। ପ୍ରଥମେ ୫୦୦ ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଥିବାବେଳେ ୧୧୬୦ କୋଟି ଆସିଥିଲା। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬୫୦ କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ୧୧୦୦ କୋଟି ଆସିପାରିଥିଲା। ଭିତ୍ତିଭୂମି ପ୍ରକଳ୍ପ ପାଇଁ ବଜାରରୁ ଏତେ ଅର୍ଥ ସଂଗ୍ରହ କରିପାରିଥିବାରୁ ରତନ ଟାଟା ମଧ୍ୟ ତାଙ୍କର ପ୍ରଶଂସା କରିଥିଲେ। ରାଜପଥ, ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆୟୋଜିତ ଏକ ଜାତୀୟସ୍ତରର ସମ୍ମିଳନୀରେ ଯୋଗଦେଇ ଗଡ଼କରୀ କହିଛନ୍ତି। ୯୦ ପ୍ରତିଶତ ମଞ୍ଜୁରି ମିଳିବା ପରେ ହିଁ ଯାଇ ଏନଏଚଏଆଇ ଟେଣ୍ଡର କରୁଥିବାରୁ ବର୍ତ୍ତମାନ ସଡ଼କ ପ୍ରକଳ୍ପ କାର୍ଯ୍ୟକାରୀ ନହେବାର ଆଶଙ୍କା କମ୍ ବୋଲି ସେ କହିଛନ୍ତି। ସଡ଼କ କ୍ଷେତ୍ରରେ ରିଟର୍ଣ୍ଣ ହାର ଅଧିକ। ତେଣୁ ଆର୍ଥିକ ସମ୍ଭାବନା ଦିଗକୁ ନେଇ ଚିନ୍ତିତ ହେବା ଉଚିତ ନୁହେଁ ବୋଲି‌ ‌ଗଡ଼କରୀ ମତ ଦେଇଛନ୍ତି।