ଛୋଟ ଡ୍ରୋନ୍‌ ନେଇ ବିମାନ ଯାତ୍ରା କରିବା ଅନୁମତି ମିଳିବ

ନୂଆଦିଲ୍ଲୀ: ‌ଦେଶ ଭିତରେ ଚଳାଚଳ କରୁଥିବା ବିମାନରେ ଅତି ଛୋଟ ଡ୍ରୋନ୍‌ ନେବା ଲାଗି ସୁଯୋଗ ମିଳିବ। ଯାତ୍ରୀମାନେ ନିଜ ହାଣ୍ଡ୍‌ ବ୍ୟାଗ୍‌ କିମ୍ବା ଲଗେଜ୍‌ ବ୍ୟାଗ୍‌ରେ ଡ୍ରୋନ୍‌ ନେଇପାରିବେ। ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ସେହି ଡ୍ରୋନ୍‌କୁ ନିଜ ସହିତ ବିଭିନ୍ନ ସ୍ଥାନକୁ ନେଇପାରିବେ। କେଉଁ ଉପାୟରେ ଏହି ଅନୁମତି ଦିଆଯିବ ସେ ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆନ୍ତର୍ଜାତିକ ବିମାନରେ ଡ୍ରୋନ୍ ନେଇ ଯାତ୍ରା କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ଲାଗୁ ହୋଇଥିବା ନିୟମ ପାଳନ କରିବାକୁ ପଡ଼ିବ। ଅତି କ୍ଷୁଦ୍ର ବା ନାନୋ ଡ୍ରୋନ୍‌ଗୁଡ଼ିକର ଓଜନ ହେଉଛି ୨୫୦ ଗ୍ରାମ୍‌ରୁ କମ୍।

ସେଥିରେ ଉନ୍ନତ ମାନର କ୍ୟାମେରା ବ୍ୟବହାର କରାଯାଉଛି। ଛୁଟି କଟାଇବା ଲାଗି ବିଭିନ୍ନ ସ୍ଥାନ ଯାତ୍ରା କରୁଥିବା ଲୋକମାନେ ତାହାକୁ ବ୍ୟବହାର କରି ନିଜ ଅନୁଭୂତିକୁ ସବୁଦିନ ପାଇଁ ଭିଡିଓ କିମ୍ବା ଫଟୋ ଜରିଆରେ ସାଇତି ରଖିପାରିବେ। ଗତ ମାସରେ କେନ୍ଦ୍ର ସରକାର ଡ୍ରୋନ୍ ନିୟମକୁ କୋହଳ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଡ୍ରୋନ୍ ନେଇ ବିମାନରେ ଯାତ୍ରା କରିବାର ଅନୁମତି ମିଳିନାହିଁ। ବ୍ୟକ୍ତିଗତ ବ୍ୟବହାର ଲାଗି ଲୋକମାନଙ୍କ ପାଖରେ ୨୫୧ ଗ୍ରାମ୍‌ରୁ ଆରମ୍ଭ କରି ୨ କେଜି ଓଜନ ପର୍ଯ୍ୟନ୍ତର ନାନୋ ଓ ମାଇକ୍ରୋ ଡ୍ରୋନ୍ ରହିଛି ଯାହାକୁ ବ୍ୟବହାର କରିବା ଲାଗି ଲାଇସେନ୍ସ ଦରକାର ନାହିଁ।

ସମ୍ବନ୍ଧିତ ଖବର