ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) ଉପରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ସବ୍ସିଡି ଅବଧି ଶେଷ ହେଉଥିବାରୁ ଆଗାମୀ ଦିନରେ ଇଭି କଂପାନିଗୁଡ଼ିକ ଲାଗି ପ୍ରକୃତ ପରୀକ୍ଷାର ସମୟ ଆସିବ। ଛୋଟ ଇଭି କଂପାନିଗୁଡ଼ିକ ଏବେଠାରୁ ସେଥିପାଇଁ ପ୍ରସ୍ତୁତ ହେଲେଣି। ସେମାନଙ୍କ ରଣନୀତିର ଏକ ବଡ଼ ଦିଗ ହେଉଛି ଦାମ୍ରେ କୌଣସି ବୃଦ୍ଧି ହେବନାହିଁ। ଜୟ ଇ-ବାଇକ୍, ସୀମା, ଆମୋ, ଇମୋବି, ଗୋଦାବରୀ ଓ ଲୋହିଆ ଭଳି ଇଭି ନିର୍ମାତା ନିଜ ଗାଡ଼ି ଦାମ୍ ବଢ଼ାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଗାଡ଼ି ମିଳିଲେ ବର୍ତ୍ତମାନର ବିକ୍ରି ଧାରା ବଜାୟ ରହିବ ବୋଲି ଛୋଟ ଇଭି କଂପାନିଗୁଡ଼ିକ ଭାବୁଛନ୍ତି।
ଅଧିକାଂଶ କଂପାନିର ଅଧିକାରୀ କହିଛନ୍ତି ଯେ ସେମାନେ ଲୋକଙ୍କ ପାଖରେ ଇଭି ପହଞ୍ଚାଇବାକୁ ଚାହୁଛନ୍ତି। ଦରବୃଦ୍ଧି କରିବା ନେଇ ସେମାନଙ୍କ କୌଣସି ଯୋଜନା ନାହିଁ। ନୂଆ ଗ୍ରାହକ ଯୋଡ଼ିବା ଲାଗି ଏହି କଂପାନିଗୁଡ଼ିକ ପୁରୁଣା ଦରରେ ଗାଡ଼ି ବିକିବାକୁ ଚାହୁଛନ୍ତି। ଅନ୍ୟ ପକ୍ଷରେ ଚଳିତ ମାସରେ ବହୁ ଇଲେକ୍ଟ୍ରିକ୍ ଯାନ ନିର୍ମାତା ସେମାନଙ୍କ ଷ୍ଟକ୍ ଶେଷ କରିବା ଲାଗି ଗ୍ରାହକମାନଙ୍କୁ ମନଲୋଭା ରିହାତି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଆସନ୍ତା ବର୍ଷ ଇଭି ଶିଳ୍ପର କେଉଁ ଆଡ଼କୁ ଗତି କରିବ ତାହା ଗାଡ଼ିର ମୂଲ୍ୟ ଉପରେ ନିର୍ଭର କରିବ।