କ୍ଷୁଦ୍ର, ମଧ୍ୟମ ଶିଳ୍ପ ଦେଇଛି ୧୪.୬୧ ଲକ୍ଷ ଲୋକଙ୍କୁ ନିଯୁକ୍ତି

ଓଡ଼ିଶା ଏମ୍ଏସ୍‌ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୧୯ ଆରମ୍ଭ:ଯୋଗଦେଲେ ୪୦୦ ସଂସ୍ଥା, ୪୦ ଷ୍ଟାର୍ଟଅପ୍

ଭୁବନେଶ୍ବର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଓଡ଼ିଶା ଏମ୍ଏସ୍‌ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୧୯ ଆରମ୍ଭ ହୋଇଛି। ଏହାକୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍‌ଘାଟନ କରି କହିଛନ୍ତି ଯେ, ଏମ୍ଏସ୍‌ଏମ୍‌ଇର ପ୍ରସାର ଏବଂ ଅଭିବୃଦ୍ଧି ଉପରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ରାଜ୍ୟରେ ଥିବା ୩.୬୭ ଲକ୍ଷ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍ଇ) ୧୪.୬୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ସବୁ ସଂସ୍ଥା କ୍ରମବର୍ଦ୍ଧିଷ୍ଣୁ ଭାବେ ୧୭,୮୬୩ କୋଟି ଟଙ୍କାରୁ ଅଧିକ ନିବେଶ କରିସାରିଲେଣି। ୨୦୧୫ ଏପ୍ରିଲ୍ ପର ଠାରୁ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କମିଟି ଜରିଆରେ ୨୭୬୫ କୋଟି ଟଙ୍କାର ୭୨୪ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅବସରରେ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କୁ ରାଜ୍ୟରେ ଅନୁକୂଳ ପରିବେଶ ପ୍ରଦାନ କରାଯାଇଛି। ରାଜ୍ୟର ସ୍ବତନ୍ତ୍ର ଏମ୍ଏସ୍‌ଏମ୍ଇ ନୀତି ରହିଛି ଓ ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦେବା ଆଦି କ୍ଷେତ୍ରରେ ସରକାର ସହାୟତା ପ୍ରଦାନ କରୁଛନ୍ତି।
ଭାରତ ସରକାରଙ୍କ ଏମ୍ଏସ୍‌ଏମ୍ଇ ସଚିବ ଡକ୍ଟର ଅରୁଣ କୁମାର ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ଏମ୍ଏସ୍‌ଏମ୍ଇଗୁଡ଼ିକର ବିକାଶ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରସ୍ତୁତ। କ୍ଲଷ୍ଟର ଫଣ୍ଡିଂ, ଜେଡ୍‌ଇଡି, ଜିଇଏମ୍ ଓ ଡିଜିଟାଲ୍ ମାର୍କେଟିଂ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ଋଣ ପ୍ରବାହ ବଢ଼ାଇବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ରାଜ୍ୟର ଷ୍ଟାର୍ଟଅପ୍ ସ୍ଥିତି ଉପରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏମ୍ଏସ୍‌ଏମ୍ଇ) ଏଲ୍ ଏନ୍ ଗୁପ୍ତା କହିଛନ୍ତି ଯେ, ବିଗତ ୨୦ ମାସରେ ବିଭିନ୍ନ କ୍ଷେତ୍ରରେ ୩୫୦ ଷ୍ଟାର୍ଟଅପ୍ କାମ କରୁଛନ୍ତି। ଷ୍ଟାର୍ଟ ଅପ୍‌ ଓଡ଼ିଶା ନୀତି ଜରିଆରେ ୬୧ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୨୦୨୦ ସୁଦ୍ଧା ଓଡ଼ିଶା ୧୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ଏମ୍ଏସ୍‌ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ୪୦୦ ଏମ୍ଏସ୍‌ଏମ୍ଇ ଓ ୪୦ ଷ୍ଟାର୍ଟଅପ୍ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ବ୍ୟତୀତ ଇରାନ, ବାଲାଂଦେଶ, ଦକ୍ଷିଣ କୋରିଆ ଓ କାମ୍ବୋଡିଆର ୩୨ ଜଣ ଉଦ୍ୟୋଗୀ ଏଥିରେ ଭାଗ ନେଇଛନ୍ତି। ଏହି ଅବସରରେ ଏନ୍‌ଏସ୍‌ଆଇସିର ସିଏମ୍‌ଡି ସୁଧୀର ଗର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର