ସ୍ମାର୍ଟ ପୋଷାକ

ଲୋକମାନେ ସ୍ମାର୍ଟ ହେବା ପାଇଁ କେବଳ ସ୍ମାର୍ଟଫୋନ୍ ବା ସ୍ମାର୍ଟଟିଭି ବା ସ୍ମାର୍ଟ ରେଫ୍ରିଜରେଟର ବ୍ୟବହାର କରୁନାହାନ୍ତି, ସ୍ମାର୍ଟ ପୋଷାକ ମଧ୍ୟ ପିନ୍ଧୁଛନ୍ତି। ଏହି ସ୍ମାର୍ଟ ପୋଷାକଗୁଡ଼ିକରେ ପ୍ରଯୁକ୍ତିର ଉପଯୋଗ କରାଯାଇଛି। ବଜାରରେ ଏଗୁଡ଼ିକୁ ଇଲେକଟ୍ରୋନିକ ପୋଷାକ, ମନିଟର କ୍ଲଦିଂ ବା ସ୍ମାର୍ଟ ଫେବ୍ରିକ୍ସ ମଧ୍ୟ କୁହାଯାଉଛି। କେତେକ ସ୍ମାର୍ଟ ପୋଷାକରେ ଇଲେକଟ୍ରୋନିକ୍ସ ସର୍କିଟ ପୂର୍ବରୁ ରହିଥିବାବେଳେ ଆଉ କେତେକରେ ସେନସର ଏବଂ ଅନ୍ୟ କେତେକ ହାର୍ଡଓୟାରର ଉପଯୋଗ କରାଯାଉଛି। ଆପ୍‌ ମାଧ୍ୟମରେ ଏହି ପୋଷାକଗୁଡ଼ିକ ସହ ଯୋଗାଯୋଗ ସ୍ଥାପନ କରାଯାଇ ପାରୁଛି। ଅଧିକାଂଶ ଫେସନ ବର୍ଗର ପୋଷାକରେ ଏହି ସ୍ମାର୍ଟ ପୋଷାକ ମିଳୁଛି। ସେଗୁଡ଼ିକ ମଧ୍ୟରେ ସକ୍ସ ବା‌‌ ମୋଜା, ଜୋତା, ଶୋଇବାବେଳେ ପିନ୍ଧାଯାଉଥିବା ପୋଷାକ, କାଜୁଆଲ ପୋଷାକ, ବ୍ୟାୟାମ ପୋଷାକ ଆଦି ରହିଛି।

କମ୍ପାନି: ସ୍ମାର୍ଟ ପୋଷାକ ନିର୍ମାତାଙ୍କ ମଧ୍ୟରେ ଅଣ୍ଡର ଆର୍ମର, ଲିଭାଇସ, ଟମି ହିଲଫିଗର, ସାମସଙ୍ଗ, ରାଲ୍‌ଫ ଲୌରେନ, ଗୁଗୁଲ୍ ଆଦି ବଡ଼ କମ୍ପାନି ରହିଛନ୍ତି। ଏହାବ୍ୟତୀତ ସେନସୋରା, ଲୁମିଆ, କୋମୋଡ ଟେକ୍ନୋଲୋଜିଜ୍ ଏବଂ ହେକ୍ସୋସ୍କିନ ଭଳି କମ୍ପାନି ମଧ୍ୟରେ ଏ କ୍ଷେତ୍ରରେ ପାଦ ଥାପିଛନ୍ତି।
ଦାମ୍ ଅଧିକ: ସାଧାରଣ ପୋଷାକ ତୁଳନାରେ ଏହି ପୋଷାକଗୁଡ଼ିକର ଦାମ୍ ୨ରୁ ୫ ଗୁଣ ପର୍ଯ୍ୟନ୍ତ ଅଧିକ ରହିଥାଏ। ତେବେ ବ୍ରାଣ୍ଡ୍‌ ଏବଂ ପୋଷାକରେ ବ୍ୟବହୃତ ପ୍ରଯୁକ୍ତି ଉପରେ ଦାମ୍ ନିର୍ଭର କରିଥାଏ। ତେବେ ନୂଆ ପ୍ରଯୁକ୍ତିର ସ୍ମାର୍ଟ ପୋଷାକ ଆସିଲେ ପୁରୁଣା ପ୍ରଯୁକ୍ତିର ପୋଷାକ ଦାମ୍ କମ୍ ରହିଥାଏ।
କେଉଁଠି ମିଳେ: ସ୍ମାର୍ଟପୋଷାକଗୁଡ଼ିକ ସାଧାରଣତଃ ନିର୍ମାତା ବା ପ୍ରସ୍ତୁତକାରୀ କମ୍ପାନିର ‌ୱେବସାଇଟ୍‌ରୁ ମିଳିଥାଏ। କେତେକ ଷ୍ଟୋର୍ ଏବଂ ଆମାଜନ୍ ଭଳି ସାଇଟ୍‌ରୁ ମଧ୍ୟ ଏହା ମିଳିଥାଏ।

ସ୍ମାର୍ଟ ମୋଜା: ସେନସୋରିଆ ନାମକ ଏକ ସ୍ମାର୍ଟ ମୋଜା ଦୌଡ଼ିବା ସମୟରେ ଜଣେ ବ୍ୟକ୍ତିଙ୍କ ପାଦର କେଉଁ ଅଂଶରେ ଅଧିକ ମାତ୍ରାରେ ଚାପ ପଡ଼ୁଛି ତାହାର ତଥ୍ୟ ସ୍ମାର୍ଟଫୋନ ଆପ୍‌କୁ ପଠାଉଛି।
ସ୍ମାର୍ଟ ଜୋତା: ପିଜା ହଟ୍ ପକ୍ଷରୁ ଏକ ସୀମିତ ସଂସ୍କରଣ ସ୍ମାର୍ଟ ଜୋତାର ପରୀକ୍ଷା କରାଯାଇଛି। ଏଥିରେ ପିଜା କିଣିବା ପାଇଁ ଆଦେଶ ଦିଆଯାଇ ପାରୁଛି।
ସ୍ମାର୍ଟ ୱାର୍କ କ୍ଲଦେସ୍‌: ସାମସଙ୍ଗ ପକ୍ଷରୁ ଏକ ସ୍ମାର୍ଟ ବିଜନେସ୍‌ ସୁଟ୍ ପ୍ରସ୍ତୁତ କରାଯାଇଛି। ଏହି ପୋଷାକ ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କ ଡିଜିଟାଲ ବିଜନେସ୍ କାର୍ଡ ଅନ୍ୟ ସହିତ ବିନିମୟ କରିବା ସହିତ ଫୋନକୁ ଅନଲକ୍ କରିବା ଏବଂ ଅନ୍ୟ ସ୍ମାର୍ଟ ଡିଭାଇସ୍ ସହିତ କଥାବାର୍ତ୍ତା କରିପାରୁଛି।
ସ୍ମାର୍ଟ ସ୍ଲିପଓୟାର: ଅଣ୍ଡର ଆର୍ମର ନାମକ କମ୍ପାନି ପକ୍ଷରୁ ଆଥଲେଟ୍ ରିକଭରି ସ୍ଲିପଓୟାର ପ୍ରସ୍ତୁତ କରାଯାଇଛି। ଏହି ପୋଷାକକୁ ପିନ୍ଧୁଥିବା ବ୍ୟକ୍ତିର ଶରୀରରୁ ତାପମାତ୍ରାକୁ ଶରୀର ଶୋଷି ନେଉଛି। ‌ଉନ୍ନତ ମାନର ନିଦ୍ରା ଏବଂ ମାଂସପେଶୀକୁ ଆରାମ ଦେବାର ସୁବିଧା ମଧ୍ୟ ଏହି ପୋଷାକରେ ରହିଥିବା କୁହାଯାଉଛି।
ଅନ୍ୟ ସ୍ମାର୍ଟ ପୋଷାକ: ରାଲଫ ଲରେନ୍‌ର ପୋଲୋଟେକ୍ ଟି-ସାର୍ଟକୁ ପିନ୍ଧୁଥିବା ବ୍ୟକ୍ତିର ଫିଟନେସକୁ ସ୍ମାର୍ଟଫୋନ ମାଧ୍ୟମରେ ରେକର୍ଡ କରିପାରୁଛି।

ସମ୍ବନ୍ଧିତ ଖବର