ସ୍ମାର୍ଟ ଲିପ୍‌ଷ୍ଟିକ୍‌ ପର୍‌ଫ୍ୟୁମ୍‌

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସୋ’ ଆମେରିକାର ଲାସ ଭେଗାସ୍‌ଠାରେ ନିକଟରେ ଶେଷ ହୋଇଛି। ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁ ଏହି ପ୍ରଦର୍ଶନୀ ଅନଲାଇନ୍‌ରେ ଏହା ହୋଇଥିଲା। ତେବେ ୨୦୨୧ ମସିହାର ଏହି ପ୍ରଦର୍ଶନୀରେ ଏଭଳି ଅନେକ ସାମଗ୍ରୀ ପ୍ରଦର୍ଶନ କରାଯାଇଛି ଯାହା କି ଚର୍ଚ୍ଚାର ବିଷୟ ପାଲଟିଛି। ସ୍ମାର୍ଟ ଯୁଗରେ ସ୍ମାର୍ଟ ଲୋକଙ୍କ ପାଇଁ କମ୍ପାନି ଗୁଡ଼ିକ ସ୍ମାର୍ଟ ଉତ୍ପାଦ ଆଣିଛନ୍ତି। ସେହି ସ୍ମାର୍ଟ ଉତ୍ପାଦ ମଧ୍ୟରେ ଲୋରିଏଲ୍‌ର ସ୍ମାର୍ଟ ଲିପ୍‌ଷ୍ଟିକ୍‌, ନିନୁ କମ୍ପାନିର ସ୍ମାର୍ଟ ପର୍‌ଫ୍ୟୁମ୍ ଏବଂ ରେଜର୍‌ କମ୍ପାନିର ସ୍ମାର୍ଟ ମାସ୍କ ପ୍ରଦର୍ଶନ କରାଯାଇଛି।

ସ୍ମାର୍ଟ ଲିପ୍‌ଷ୍ଟିକ୍‌
ସ୍ମାର୍ଟ ଲିପ୍‌ଷ୍ଟିକ୍‌ରେ ମନ ପସନ୍ଦର କଲର ସେଡ୍‌ ପ୍ରସ୍ତୁତ କରାଯାଇ ପାରୁଛି। ଏହାକୁ ଏକପ୍ରକାର କଲର ପ୍ରିଣ୍ଟର ମଧ୍ୟ କୁହାଯାଇପାରେ। ଏହାସହିତ ୧୨ଟି କଲର୍‌ କ୍ୟାଟ୍ରିଜ୍‌ ବି ମିଳିବ। ଲିପ୍‌ଷ୍ଟିକ୍‌ରେ ୩ଟି କଲର କ୍ୟାଟ୍ରିଜ୍‌କୁ ଲଗାଇ ସେଡ୍‌ସ ପ୍ରସ୍ତୁତ କରାଯାଇ ପାରିବ। ଏଥିପାଇଁ ଲୋରିଏଲ ଆପ୍‌ରେ କଲର୍‌ ଚୟନ କରିବାକୁ ହେବ। ଏଥିସହିତ ୩ଟି କଲର କ୍ୟାଟ୍ରିଜ୍‌କୁ ମିଶାଇ ନୂଆ ସେଡ୍‌ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଏହି ଉତ୍ପାଦ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ତେବେ କେଉଁଠି କେଉଁଠି ଏହା ମିଳିବ ତାହା ଜଣାପଡ଼ୁନାହିଁ। କିନ୍ତୁ ଏହାର ମୂଲ୍ୟ ପ୍ରାୟ ୨୧ ହଜାର ୮୦୦ ଟଙ୍କା ରହିବ।

ସ୍ମାର୍ଟ ପର୍‌ଫ୍ୟୁମ୍‌
ନିନୁ କମ୍ପାନି ପକ୍ଷରୁ ସ୍ମାର୍ଟ ପର୍‌ଫ୍ୟୁମ୍ ଉପସ୍ଥାପିତ କରାଯାଇଛି। ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ରହିଛି। ଏହାର ବିଶେଷତ୍ବ ହେଲା ଜଣେ ବ୍ୟକ୍ତି ତାଙ୍କର ମୁଡ୍‌ ଅନୁସାରେ ପର୍‌ଫ୍ୟୁମ୍‌ର ସୁଗନ୍ଧରେ ପରିବର୍ତ୍ତନ ଆଣିପାରିବେ। ଏଥିରେ ୩ଟି ଅଲଗା ଅଲଗା ସୁଗନ୍ଧର ଉପାଦାନ ରଖାଯାଇ ପାରୁଛି। ତାହାକୁ ମିଶାଇ ମନ ପସନ୍ଦର ସୁଗନ୍ଧ ବାଲା ପରର୍ଫ୍ୟୁମ ପ୍ରସ୍ତୁତ ହୋଇପାରୁଛି। ପର୍‌ଫ୍ୟୁମ୍‌ ଉପକରଣଟିକୁ ସ୍ମାର୍ଟଫୋନ ଆପ୍‌ରେ ନିୟନ୍ତ୍ରିତ କରାଯାଇ ପାରୁଛି। ପରଫ୍ୟୁମ ପ୍ରସ୍ତୁତ ହୋଇଗଲାପରେ ବଟନ ଚିପି ବ୍ୟବହାର କରାଯାଇ ପାରିବ। ରିଫିଲ ଶେଷ ହୋଇଗଲେ ଏଲଇଡି ଲାଇଟ୍‌ରେ ଆଲର୍ଟ ସୂଚନା ଏଥିରେ ମିଳୁଛି। ତେବେ ବଜାରରେ ଏବେ କେବେଠାରୁ ଏବଂ କେତେ ଦରରେ ମିଳିବ ତାହାର ସୂଚନା ଦିଆଯାଇ ନାହିଁ।

ସ୍ମାର୍ଟ ମାସ୍କ
ଇଲେକ୍‌ଟ୍ରୋନିକ୍ସ ସୋ’ରେ ସ୍ମାର୍ଟ ମାସ୍କର କନସେପ୍ଟକୁ ଉପସ୍ଥାପିତ କରାଯାଇଛି। ଏହି ପ୍ରକଳ୍ପର ନାମ ପ୍ରୋଜେକ୍ଟ ହେଜଲ ଦିଆଯାଇଛି। ଏହା ଏନ୍‌୯୫ କ୍ଲାସର ଫେସ୍‌ ମାସ୍କ। ଏଥିରେ ଭେଣ୍ଟିଲେସନ ସୁବିଧା ରହିଛି। ଏଥିସହିତ ଇଣ୍ଟରନାଲ ଲାଇଟ୍ ବି ରହିଛି ଯାହା ଅନ୍ଧାର ହେବା ମାତ୍ରେ ଆପେ ଆଲୋକିତ ହୋଇଯିବ। ଏହାବ୍ୟତୀତ ଉକ୍ତ ମାସ୍କଟି ଟ୍ରାନ୍ସପରେଣ୍ଟ ମଧ୍ୟ ହୋଇଯାଉଛି ଯାହାଦ୍ବାରା ଲୋକର ମୁହଁ ଦେଖାଯାଇ ପାରୁଛି। ଏଥିରେ ଲୋ-ଲାଇଟ୍ ମୋଡ୍‌, ଇନ୍‌ବିଲ୍‌ଟ ମାଇକ୍ ଏବଂ ଆମ୍ପ୍ଲିଫାୟର ମଧ୍ୟ ରହିଛି। ତେବେ ଏହା କେବେ ବଜାରକୁ ଆସିବ ତାହା ସ୍ପଷ୍ଟ ହୋଇନାହିଁ।

 

ସମ୍ବନ୍ଧିତ ଖବର