ସ୍ବାସ୍ଥ୍ୟର ଯତ୍ନ ନେବ ସ୍ମାର୍ଟ ପାଇଖାନା: ରୋଗ ନିଦାନ ପାଇଁ ତଥ୍ୟ ଯୋଗାଇବ

ରକ୍ତ ଚାପ ଏବଂ ହାର୍ଟ ରେଟ୍ ମାପିବ, ପ୍ରତିବନ୍ଧକ ହୋଇପାରେ ବ୍ୟକ୍ତିଗତ ଗୋପନୀୟତା

ୱାସିଂଟନ୍‌: ଲୋକମାନେ ସ୍ବାସ୍ଥ୍ୟର ଯତ୍ନ ପାଇଁ ସ୍ମାର୍ଟ ୱାଚ୍ ଏବଂ ସ୍ମାର୍ଟଫୋନ୍‌ ଭଳି ଉପକରଣର ବ୍ୟବହାର କରୁଛନ୍ତି। ତେବେ ଗବେଷକମାନେ ସେମାନଙ୍କ ଗବେଷଣାକୁ ଏଠାରେ ସୀମିତ ରଖିନାହାନ୍ତି। ସ୍ମାର୍ଟ ଟଏଲେଟ ବା ଅତ୍ୟାଧୁନିକ ପାଇଖାନା ପ୍ରସ୍ତୁତି ପାଇଁ କାର୍ଯ୍ୟ ଚାଲିଛି। ସ୍ମାର୍ଟ ପାଇଖାନା ସ୍ବାସ୍ଥ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂରକ୍ଷିତ କରି ରଖିବ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ରୋଗ ନିଦାନ କ୍ଷେତ୍ରରେ ସହାୟକ ହେବ। ଷ୍ଟାନଫୋର୍ଡ ସ୍କୁଲ ଅଫ୍ ମେଡିସିନର ଗବେଷକମାନେ ଏଭଳି ଏକ ସ୍ମାର୍ଟ ପାଇଖାନା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଏକ କ୍ୟାମେରା ଲାଗିଛି। ଏଥିସହିତ ନିଦାନ ଚାର୍ଟକୁ ବିଶ୍ଳେଷଣ କରିବା ଲାଗି ଏଥିରେ ଏକ ମେସିନ ଲର୍ଣ୍ଣିଂ ଆଲଗରିଦମ ଫିଟ୍ କରାଯାଇଛି। ମହିଳାମାନେ ଗର୍ଭବତୀ ଅଛନ୍ତି କି ନାହିଁ ତାହାକୁ ଯେଭଳି ଏକ କିଟ୍ ମାଧ୍ୟମରେ ଜାଣି ପାରୁଛନ୍ତି ସେହିଭଳି ସ୍ମାର୍ଟ ପାଇଖାନାରେ ଏକ ୟୁରିନ ଟେଷ୍ଟ ଷ୍ଟ୍ରିପ୍ ଖଞ୍ଜା ଯାଇଛି। ଏଥିରେ ପରିସ୍ରାରେ ନିର୍ଗତ ହେଉଥିବା ବିଭିନ୍ନ ଅଣୁଜୀବକୁ ଚିହ୍ନଟ କରାଯାଇପାରିବ। ଷ୍ଟାନଫୋର୍ଡର ଗବେଷକମାନେ ଏଥିପାଇଁ କୋରିଆର ଏକ ପାଇଖାନା ନିର୍ମାତା ଆଇଜେନ୍ ସହିତ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଗବେଷକମାନଙ୍କ ଜ୍ଞାନ ଆଧାରରେ ଏହି କମ୍ପାନି ପାଇଖାନା ନିର୍ମାଣ କରିବ। ଆମେରିକାର ୱାର୍ଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି।

ଡ୍ୟୁକ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ୟ ଏକ ସ୍ମାର୍ଟ ପାଇଖାନାର ବିକାଶ କାର୍ଯ୍ୟ ଚାଲିଛି। ମଳରେ ପଡ଼ୁଥିବା ରକ୍ତ, ପ୍ରୋଟିନ ଆଦିର ତଥ୍ୟର ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଗବେଷଣାକୁ ପଠାଯିବାର ସୁବିଧା ଏଥିରେ ରହିଛି। ମୋଟା ହେବାରୁ ବର୍ତ୍ତିବା ପାଇଁ କେଉଁସବୁ ଖାଦ୍ୟ ଛାଡ଼ିବେ କିମ୍ବା ସ୍ବାସ୍ଥ୍ୟରେ ସୁଧାର ଆଣିବା ଲାଗି କ’ଣ ସବୁ ଖାଇବେ ସେ ସଂପର୍କରେ ଆଲର୍ଟ ମଧ୍ୟ ଏଥିରୁ ମିଳିପାରିବ। ଡ୍ୟୁକ ସ୍ମାର୍ଟ ଟଏଲେଟ ଲାବ୍ ଏବଂ ଷ୍ଟାର୍ଟଅପ୍ ସଂସ୍ଥା କୋପରାଟା ଏଥିପାଇଁ ପ୍ରୟାସ ଚଳାଇଛନ୍ତି। ରକ୍ତ ଚାପ ଏବଂ ହାର୍ଟ ରେଟ୍ ସ୍ମାର୍ଟ ଟଏଲେଟ ସିଟ୍‌ ମାପିପାରିବ। ଏଥିପାଇଁ କାସାନା ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି କାର୍ଯ୍ୟ ଚଳାଇଛି। ମେଡିକ ଡଟ୍ ଲାଇଫ୍ ମଧ୍ୟ ଏକ ସ୍ମାର୍ଟ ପାଇଖାନା ନିର୍ମାଣ କରିଛି। ଏଫଡିଏର କ୍ଲିୟରାନ୍ସ ବା ଅନୁମତି ପାଇଁ ଏହି କମ୍ପାନି ପ୍ରକ୍ରିୟା ଆରମ୍ଭ କରିଛି। ଏହା ଲୋକଙ୍କ ସ୍ବାସ୍ଥ୍ୟ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଯଥା ପରିସ୍ରାରେ ସୋଡିୟମ ଏବଂ ସୁଗାର ସ୍ତର କ’ଣ ରହିଛି ତାହାର ସୂଚନା ଦେବ।

ଟୋଟୋ ପକ୍ଷରୁ ଏକ ପାଇଖାନାର ଡିଜାଇନ କରାଯାଉଛି। ମଣିଷର ବର୍ଜ୍ୟ ବସ୍ତୁ ଯଥା ମଳମୂତ୍ରକୁ ବିଶ୍ଳେଷଣ କରି ଶରୀର ପାଇଁ ଅନ୍ୟ କ’ଣ କରିବାର ଆବଶ୍ୟକତା ରହିଛି ତାହା ଏହି ପାଇଖାନାରୁ ଜଣାପଡ଼ିବ। ଆସନ୍ତା କିଛିବର୍ଷ ମଧ୍ୟରେ କମ୍ପାନି ଏହି ପାଇଖାନା ବଜାରକୁ ଆଣିବ ବୋଲି ଆଶା ରଖିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏ କ୍ଷେତ୍ରରେ ବ୍ୟକ୍ତିଗତ ଗୋପନୀୟତା ପ୍ରକାଶ ଏକ ବଡ଼ ପ୍ରତିବନ୍ଧକ । ଏହି ସମସ୍ୟାକୁ ଦୂର କରାଯାଇ ପାରିଲେ ସ୍ମାର୍ଟ ପାଇଖାନା ପାଇଁ ବାଟ ଫିଟି ପାରିବ ।

ସମ୍ବନ୍ଧିତ ଖବର