ଯୁବପିଢ଼ିଙ୍କ ପସନ୍ଦ ସ୍ମାର୍ଟଓ୍ଵାଚ୍‌

ମୋବାଇଲ୍‌ ବଜାରର ବ୍ୟାପକ ପ୍ରସାର ଘଟିଥିଲେ ମଧ୍ୟ ଘଣ୍ଟା ବଜାରକୁ ଏହା ସେତେଟା କ୍ଷତି ପହଞ୍ଚାଇ ପାରିନାହିଁ। ବାହାଘରରେ ବନ୍ଧୁଙ୍କୁ ଘଣ୍ଟା ପ୍ରଦାନକୁ ଏବେ ବି ଏକ ମୂଲ୍ୟବାନ ଉପହାର ଭାବେ ବିବେଚନା କରାଯାଉଛି। ସେହିଭଳି ଅନେକ ଉଚ୍ଚଶିକ୍ଷିତା ଯୁବତୀ ଓ ମହିଳା ସୁନା ଗହଣା ପିନ୍ଧିବା ପରିବର୍ତ୍ତେ ହାତରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଘଣ୍ଟା ପ୍ରତି ଗ୍ରାହକଙ୍କ ରୁଚି ଓ ଚାହିଦାକୁ ଦେଖି ଭୁବନେଶ୍ୱରରେ କେତୋଟି ବଡ଼ ଘଣ୍ଟା ସୋ’ରୁମ୍‌ ଖୋଲିଛି। ଏତଦ୍‌ବ୍ୟତୀତ ଗହଣା ଦୋକାନଗୁଡ଼ିକରେ ମଧ୍ୟ ବିଭିନ୍ନ ବ୍ରାଣ୍ଡ୍‌ର ଦାମୀ ଘଣ୍ଟା ବିକ୍ରି ହେଉଛି। ଭୁବନେଶ୍ୱରରେ ଭାରତୀୟ କମ୍ପାନି ଟାଇଟାନ୍‌ ସମେତ ଜାପାନ କମ୍ପାନି ସିଟିଜେନ୍‌, ସିକୋ, ଡେନମାର୍କର ସ୍କାଗେନ୍‌, ଇଟାଲରି ଅର୍‌ମାନି, ଡିଜେଲ୍‌, ପୋଲିସ୍‌, ଆମେରିକାର ମାଇକେଲ କୋର୍ସ, ଗେସ୍‌, ଟମି ହିଲ୍‌ଫିଗର ଓ ଫସିଲ୍‌ ଏବଂ ସ୍ୱିଜରଲାଣ୍ଡର ରାଡୋ ଆଦି ଘଣ୍ଟା ମିଳୁଛି। ଯଦିଓ ଯୁବକ ଏବଂ ମହିଳାମାନେ ବିଭିନ୍ନ ବ୍ରାଣ୍ଡ୍‌ର ଘଣ୍ଟା କିଣୁଛନ୍ତି ତଥାପି ସେମାନେ ସ୍ମାର୍ଟଓ୍ଵାଚ୍‌କୁ ଅଧିକ ପସନ୍ଦ କରୁଛନ୍ତି। ବ୍ରାଣ୍ଡ୍‌ ସଚେତନ ଗ୍ରାହକମାନେ ବ୍ରାଣ୍ଡ୍‌ ଅନୁସାରେ ଘଣ୍ଟା ଚୟନ କରୁଛନ୍ତି। ତେବେ ରାଜଧାନୀରେ ଫସିଲ୍‌ କ୍ୟୁ ବ୍ରାଣ୍ଡ୍‌ର ଘଣ୍ଟା ଅଧିକାଂଶ ଯୁବକଯୁବତୀଙ୍କ ପସନ୍ଦ ପାଲଟିଥିବା ଜଣାଯାଇଛି। ଏହି ସ୍ମାର୍ଟଓ୍ଵାଚ୍‌ଟି ୨୨ ହଜାରରୁ ୨୩ ହଜାର ଟଙ୍କା ମଧ୍ୟରେ ମିଳୁଛି। ଯୁବବର୍ଗ ଏହି ହାତଘଣ୍ଟାକୁ ପସନ୍ଦ କରିବାର ମୁଖ୍ୟ କାରଣ ହେଲା ଏହା ଏକ ସ୍ମାର୍ଟଓ୍ଵାଚ୍‌ ବୋଲି ସୋରୁମ୍‌ ଗୁଡ଼ିକ ମତ ଦେଇଛନ୍ତି। ଏହି ସ୍ମାର୍ଟଓ୍ଵାଚ୍‌ରେ ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ଫୋନ୍‌ ରିସିଭ କରିପାରିବେ। କଲ୍‌ କରି କଥା ହୋଇପାରିବେ। ଏତଦ୍‌ବ୍ୟତୀତ ଏଥିରେ ୬୦୦ ପ୍ରକାର ଡାଏଲ ପରିବର୍ତ୍ତନ ସୁବିଧା ରହିଛି। ସେହିଭଳି ମ୍ୟୁଜିକ୍‌ ମଧ୍ୟ ଶୁଣି ହେଉଛି। ମଲ୍ଟିମିଡିଆ ସୁବିଧା, ହ୍ଵାଟସ୍‌ଆପ୍‌ ଏବଂ ଇମେଲ୍‌ ନୋଟିଫିକେସନ୍‌ ସହିତ ଫିଟ୍‌ନେସ୍‌ ଆକ୍ଟିଭିଟି ଟ୍ରାକ୍‌ କରିବା ସୁବିଧା ଏଥିରେ ବି ରହିଛି। ଏଥିପାଇଁ ଏହି ସ୍ମାର୍ଟଓ୍ଵାଚକୁ ଆମେ ପସନ୍ଦ କରୁଛୁ ବୋଲି ରାଜଧାନୀର କେତେଜଣ ଗ୍ରାହକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର