ଯୁବପିଢ଼ିଙ୍କୁ ଟାଣୁଛି ସ୍ମାର୍ଟ ୱାଚ୍‌: ଫୋନ୍‌ ସହ ଯୋଗାଯୋଗ, ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ବର: ଘଣ୍ଟା ଆଉ ସମୟ, ତାରିଖ କିମ୍ବା ବାର ଜାଣିବାର ଏକମାତ୍ର ମାଧ୍ୟମ ହୋଇ ରହିନାହିଁ। ଏସବୁ ସୁବିଧା ଲୋକମାନେ ସେମାନଙ୍କ ମୋବାଇଲ ଫୋନ୍‌ ଓ ଟିଭି ଆଦିରୁ ମଧ୍ୟ ପାଇ ପାରୁଛନ୍ତି। କିନ୍ତୁ ଘଣ୍ଟା ପିନ୍ଧିବା ସଉକ ପୂରଣ ସହିତ ଅନ୍ୟାନ୍ୟ ପ୍ରଯୁକ୍ତିଗତ ଆବଶ୍ୟକତା ପୂରଣ ପାଇଁ ଯୁବପିଢ଼ିଙ୍କ ପସନ୍ଦ ଏବେ ସ୍ମାର୍ଟ ୱାଚ୍‌ ପାଲଟିଛି। ଫଳରେ ସ୍ମାର୍ଟ ୱାଚ୍‌ ବଜାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶବିଦେଶର ନାମୀଦାମୀ ଘଣ୍ଟା ନିର୍ମାତାଙ୍କ ସମେତ କେତେକ ମୋବାଇଲ ଫୋନ ନିର୍ମାତାମାନେ ଏହି ବଜାରରେ ପ୍ରବେଶ କରି ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ଲାଗିଛନ୍ତି। ବିଶେଷକରି ଫ୍ୟାସନ ଏବଂ ‌ପ୍ରଯୁକ୍ତିପ୍ରିୟ ଯୁବବର୍ଗ ଏହି ସ୍ମାର୍ଟ ୱାଚ୍‌ କିଣୁଛନ୍ତି। ଓଡ଼ିଶାରେ ଦିନକୁ ଦିନ ଏହି ଉତ୍ପାଦ ଅଧିକରୁ ଅଧିକ ସ୍ଥାନରେ ମିଳୁଛି। ବିଶେଷକରି ମୋବାଇଲ ଫୋନ ଦୋକାନ, ଇଲେକଟ୍ରୋନିକ୍ସ ଏବଂ ଘଣ୍ଟା ସୋ’ରୁମ୍‌ ଆଦିରେ ସ୍ମାର୍ଟ ୱାଚ୍‌ ଗୁଡ଼ିକ ଗ୍ରାହକମାନେ ପାଇ ଯାଇ ପାରୁଛନ୍ତି। ଏଥିସହିତ ଅନ୍ୟାନ୍ୟ ଉତ୍ପାଦ ଭଳି ଅନଲାଇନ୍‌ରେ ମଧ୍ୟ ଏହି ଉତ୍ପାଦକୁ ଗ୍ରାହକମାନେ କିଣୁଛନ୍ତି।

ଫୋନ୍‌ ସହ ଯୋଗାଯୋଗ
ଜଣେ ବ୍ୟକ୍ତି ଦିନକୁ କେତେ ଷ୍ଟେପ୍‌ ଚାଲୁଛି, କେମିତିଆ ନିଦ ହେଉଛି, କେତେ କ୍ୟାଲୋରି ଜଣଙ୍କ ଶରୀରରୁ ଖର୍ଚ୍ଚ ହେଉଛି, ହାର୍ଟ ବିଟ୍‌ କିଭଳି ରହିଛି ଆଦି ସୁବିଧା ସ୍ମାର୍ଟ ୱାଚରେ ମିଳିଥାଏ। ଏଥିସହିତ ଏସ୍‌ଓଏସ୍‌ ସୁବିଧା ସେଟିଂ ଅନୁସାରେ ମଧ୍ୟ ମିଳିଥାଏ। କେବଳ ସେତିକି ନୁହେଁ ସ୍ମାର୍ଟ ୱାଚ୍‌ ମାଧ୍ୟମରେ ଜଣେ ବ୍ୟକ୍ତି ନିଜର ଫୋନ୍‌କୁ ଆସୁଥିବା କଲ୍‌କୁ ରିସିଭ/ରିଜେକ୍ଟ କରିପାରିଥାନ୍ତି, କଥା ହୋଇପାରିଥାନ୍ତି, ପାଣିପାଗ ପାରିଥାନ୍ତି, ଡିଜିଟାଲ ପେମେଣ୍ଟ ମଧ୍ୟ କରିପାରିଥାନ୍ତି। ଏଥିସହିତ ମେସେ‌ଜ ନୋଟିଫିକେସନ, ଟଚ୍‌ସ୍କ୍ରିନ ଆଦି ସୁବିଧା ଏଥିରେ ରହିଥାଏ। ଏଥିସହ ସ୍ବିମିଂ ପ୍ରୁଫ, ୱାଲ ପେପର ପରିବର୍ତ୍ତନ ଭଳି ସୁବିଧା ମଧ୍ୟ ସ୍ମାର୍ଟ ୱାଚ୍‌ରେ ରହିଥାଏ। ଏସବୁ କାରଣରୁ ଯୁବପିଢ଼ି ସ୍ମାର୍ଟ ୱାଚ ପ୍ରତି ଆକର୍ଷିତ ହେଉଛନ୍ତି। ବଡ଼ ବଡ଼ ସହରରେ ଅଧିକ ସଂଖ୍ୟାରେ ସ୍ମାର୍ଟ ୱାଚ୍‌ ବିକ୍ରି ହେଉଥି‌ବାବେଳେ ଧୀରେ ଧୀରେ ଓଡ଼ିଶାର ବିଭିନ୍ନ ସହରରେ ମଧ୍ୟ ସ୍ମାର୍ଟ ୱାଚ୍‌ ବିକ୍ରି ବଢ଼ିବାରେ ଲାଗିଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ସୋ’ରୁମ୍‌ ବ୍ୟତୀତ ଅନଲାଇନରେ ମଧ୍ୟ ଗ୍ରାହକମାନେ ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟ ୱାଚ୍‌ କିଣୁଛନ୍ତି।

ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ
ସୋ’ରୁମ୍‌ ଗୁଡ଼ିକରେ ବିକ୍ରି ହେଉଥିବା ସ୍ମାର୍ଟ ୱାଚ୍‌ର ମୂଲ୍ୟ ପାଖାପାଖି ୧୫୦୦ ଟଙ୍କାରୁ ଆରମ୍ ହୋଇଯାଉଛି। ହେଲିକ୍ସ ଗଷ୍ଟୋ ଘଣ୍ଟାର ମୂଲ୍ୟ ୧୪୯୫ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ଟାଇମେକ୍ସ ସ୍ମାର୍ଟ ୱାଚ୍‌ ମୂଲ୍ୟ ୪୯୯୫ ଟଙ୍କାରୁ ଆରମ୍ଭ ହେଉଛି। ନାମୀଦାମୀ ସୋ’ରୁମ୍‌ରେ ବିକ୍ରି ହେଉଥିବା ଫସିଲ୍‌ ହାଇବ୍ରିଡ୍‌ ସ୍ମାର୍ଟ ୱାଚ୍‌ର ମୂଲ୍ୟ ୧୬୪୯୫ ଟଙ୍କା ଥିବାବେଳେ ଡିଜେଲ୍ ସ୍ମାର୍ଟ ୱାଚ୍‌ ୨୫,୯୯୫ ଟଙ୍କା, ମାଇକେଲ କୋର୍ସ ୨୩ ହଜାର ଟଙ୍କା, ଅର୍‌ମାନି ୧୬ ହଜାର ଟଙ୍କା, ଗାର୍‌ମିନି ୧୬ ହଜାର ଟଙ୍କାରେ ମିଳିଯାଉଛି। ସେହିଭଳି ଫିଟ୍‌ବିଟ୍‌ ସ୍ମାର୍ଟ ୱାଚ୍‌ ୬୯୯୯ ଟଙ୍କାରେ ମିଳିପାରୁଛି। ତେବେ ଘଣ୍ଟାରେ ମିଳୁଥିବା ସୁବିଧା ଏବଂ ମାନ ଅନୁସାରେ ମଡେଲ ଗୁଡ଼ିକର ଦାମ୍‌ ମଧ୍ୟ ଅଧିକ ରହିଛି। ଉଭୟ ଗୋଲାକାର ଓ ଚାରିକୋଣିଆ ଡାଏଲ୍‌ ଓ ଆକର୍ଷଣୀୟ ବ୍ୟାଣ୍ଡ୍‌ରେ ଏହି ଘଣ୍ଟାଗୁଡ଼ିକ ମିଳୁଛି।

ବଜାରରେ ମିଳୁଥିବା ପ୍ରମୁଖ ବ୍ରାଣ୍ଡ୍‌
ଏକ୍ସକ୍ଲୁସିଭ ମୋବାଇଲ ସୋ’ରୁମ୍‌ ଗୁଡ଼ିକରେ କମ୍ପାନି ଗୁଡ଼ିକ ସେମାନଙ୍କ ନିଜସ୍ବ ବ୍ରାଣ୍ଡ୍‌ର ସ୍ମାର୍ଟ ୱାଚ୍‌ ବିକ୍ରି କରୁଛନ୍ତି। ତେବେ ଘଣ୍ଟା ସୋ’ରୁମ୍‌ ଗୁଡ଼ିକରେ ଅନେକ ନାମୀଦାମୀ ସ୍ମାର୍ଟ ୱାଚ୍‌ ବିକ୍ରି ହେଉଛି। ଭୁବନେଶ୍ବର ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହରରେ ଫାଷ୍ଟଟ୍ରାକ୍‌, ଟାଇମେକ୍ସ, ଟାଇଟନ, ହିଲିୟସ ଭଳି ସୋରୁ’ମ୍‌ରେ ଏହି ଘଣ୍ଟା ମିଳୁଛି। ହିଲିୟସ୍‌ରେ ମିଳୁଥିବା ସ୍ମାର୍ଟ ୱାଚ୍‌ ବ୍ରାଣ୍ଡ୍‌ ମଧ୍ୟରେ ମା‌ଇକେଲ କୋର୍ସ, ଅର୍‌ମାନି, ଫସିଲ, ଗାର୍‌ମିନ୍‌, ଟାଇଟନ, ଫିଟ୍‌ବିଟ୍‌ ଆଦି ବ୍ରାଣ୍ଡ୍‌ ରହିଛି। ଏଥିସହିତ ଆପଲ୍‌ ଭଳି ବ୍ରାଣ୍ଡ୍‌ର ସ୍ମାର୍ଟ ୱାଚ୍‌ ମଧ୍ୟ ବଜାରରେ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର