ନୂଆଦିଲ୍ଲୀ: ଦେଶରେ ୧୦ ହଜାର ଟଙ୍କାରୁ କମ୍ ଦାମ୍ର ସ୍ମାର୍ଟଫୋନ୍ ଚାହିଦା ହ୍ରାସ ପାଇବାରେ ଲାଗିଛି। ଏହା ଦ୍ବାରା ଚୀନ୍ର ଫୋନ୍ ନିର୍ମାତାମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏହି ବର୍ଗରେ ସେମାନଙ୍କ ଫୋନ୍ ଅଧିକ ମାତ୍ରାରେ ବିକ୍ରି ହେଉଥିଲା। ଏବେ ଚାହିଦାରେ ରହିଛି ୫ଜି ସ୍ମାର୍ଟଫୋନ୍। ଫୋନ୍ ତିଆରିରେ ବ୍ୟବହାର ହେଉଥିବା ଉପକରଣ ଦାମ୍ ବଢ଼ିଥିବାରୁ ସୁଲଭ ମୂଲ୍ୟର ଫୋନ୍ ବିକ୍ରିରୁ ବିଶେଷ ଲାଭ ହେଉନାହିଁ। ଭାରତରେ ବିକ୍ରି ହେଉଥିବା ଫୋନ୍ର ହାରାହାରି ମୂଲ୍ୟ ୧୭,୦୩୨ ଟଙ୍କାକୁ ବୃଦ୍ଧି ପାଇଛି ଯାହା ପୂର୍ବବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ।
ଦିନ ଥିଲା ୧୦ ହଜାର ଟଙ୍କାରୁ କମ୍ ଦାମ୍ ସ୍ମାର୍ଟଫୋନ୍ର ଚାହିଦା ଅଧିକ ଥିଲା। ୨୦୨୧ରେ ମୋଟ ଫୋନ୍ ବିକ୍ରିରେ ଏହି ବର୍ଗର ସ୍ମାର୍ଟଫୋନ୍ ଭାଗ ୪୬ ପ୍ରତିଶତ ଥିଲା। ୨୦୨୨ରେ ସେହି ଭାଗ ୩୧ ପ୍ରତିଶତକୁ ଖସିଆସିଛି ବୋଲି ଆଇଡିସି ଇଣ୍ଡିଆ ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଏହି ବର୍ଗରେ କଂପାନିଙ୍କ ୧୯ ପ୍ରତିଶତ ଆୟ ହେଉଥିଲା। ୨୦୨୨ରେ ସେହି ହାର ୧୩ ପ୍ରତିଶତକୁ ହ୍ରାସ ପାଇଛି। ଏବେ ଦେଶରେ ବିକ୍ରି ହେଉଥିବା ପ୍ରାୟ ୩୭ ପ୍ରତିଶତ ଫୋନ୍ର ଦାମ୍ ୧୫ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି। ୨୦୨୨ରେ କଂପାନିଗୁଡ଼ିକର ମୋଟ୍ ଆୟରେ ୫ଜି ସ୍ମାର୍ଟଫୋନ୍ର ଭାଗ ୪୪ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି।
ଶାଓମି ନିକଟରେ ୬,୪୯୯ ଟଙ୍କିଆ ରେଡ୍ମି ଏ୧ ସ୍ମାର୍ଟଫୋନ୍ ଉନ୍ମୋଚନ କରିଥିଲା। ସୁଲଭ ସ୍ମାର୍ଟଫୋନ୍ ବର୍ଗରେ ବିଭିନ୍ନ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ଲାଗି କଂପାନି ଭିନ୍ନ ଭିନ୍ନ ଉତ୍ପାଦ ଆଣିବାକୁ ଚାହୁଛି। ପ୍ରଥମ ଥର ସ୍ମାର୍ଟଫୋନ୍ କିଣୁଥିବା କିମ୍ବା ୨ଜିରୁ ୪ଜି କିମ୍ବା ୫ଜିକୁ ଆସୁଥିବା ଗ୍ରାହକମାନେ ୧୦ ହଜାର ଟଙ୍କାରୁ କମ୍ ଦାମ୍ର ସ୍ମାର୍ଟଫୋନ୍ କିଣିବାକୁ ପ୍ରାଥମିକତା ଦେଇଥାନ୍ତି। ତେଣୁ ଏହି ବର୍ଗର ଫୋନ୍ଗୁଡ଼ିକର ଗୁରୁତ୍ବ ରହିବ। କିନ୍ତୁ ପୂର୍ବଭଳି କଂପାନିଗୁଡ଼ିକ ଅଧିକ ମାର୍ଜିନ୍ ପାଇବେ ନାହିଁ।