ନୂଆଦିଲ୍ଲୀ: ଭାରତର ସ୍ମାର୍ଟଫୋନ ରପ୍ତାନି ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏପରିକି ପେଟ୍ରୋଲିୟମ ଉତ୍ପାଦ ଏବଂ ହୀରା ରପ୍ତାନିକୁ ଟପି ସ୍ମାର୍ଟଫୋନ ଭାରତର ଶୀର୍ଷ ରପ୍ତାନି ସାମଗ୍ରୀର ସ୍ଥାନ ହାସଲ କରିଛି। ସରକାରଙ୍କ ଏକାଧିକ ଅନୁକୂଳ ନୀତି ସହିତ ବଜାରରେ ଚାହିଦା ବୃଦ୍ଧି କାରଣରୁ ଭାରତର ସ୍ମାର୍ଟଫୋନ ରପ୍ତାନି ୨୦୨୪-୨୫ ଆର୍ଥିକବର୍ଷରେ ୫୫ ପ୍ରତିଶତ ବୃଦ୍ଧି ଘଟି ୨୪.୧୪ ବିଲିଅନ ଡଲାରରେ ପହଞ୍ଚିଛି। ୨୦୨୩-୨୪ରେ ଏହା ୧୫.୫୭ ବିଲିଅନ ଡଲାର ଏବଂ ୨୦୨୨-୨୩ରେ ୧୦.୯୬ ବିଲିଅନ ଡଲାରରେ ରହିଥିଲା। 

Advertisment

ଭାରତର ସ୍ମାର୍ଟଫୋନ ରପ୍ତାନି ବୃଦ୍ଧି ସଫଳତାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନର ପ୍ରମୁଖ ଭୂମିକା ରହିଛି। କେବଳ ଯୁକ୍ତରାଷ୍ଟ୍ର ଆମେରିକାକୁ ଭାରତର ସ୍ମାର୍ଟଫୋନ ରପ୍ତାନି ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୫ ଗୁଣା ବୃଦ୍ଧି ଘଟିଛି। ୨୦୨୨-୨୩ରେ ଏହା ୨.୧୬ ବିଲିଅନ ଡଲାର ରହିଥିବାବେଳେ ୨୦୨୩-୨୪ରେ ୫.୫୭ ବିଲିଅନ ଡଲାର ଏବଂ ୨୦୨୪-୨୫ରେ ୧୦.୬ ବିଲିଅନ ଡଲାର ରହିଛି। ସେହିଭଳି ଏହି ଅବଧି ମଧ୍ୟରେ ଜାପାନକୁ ଭାରତର ସ୍ମାର୍ଟଫୋନ ରପ୍ତାନି ୩ ଗୁଣା ବଢ଼ିଛି। ୩ ବର୍ଷ ତଳେ ଜାପାନକୁ ଭାରତର ସ୍ମାର୍ଟଫୋନ ରପ୍ତାନି ୧୨୦ ନିୟୁତ ଡଲାର ଥିବାବେଳେ ୨୦୨୪-୨୫ରେ ଏହା ୫୨୦ ନିୟୁତ ଡଲାରରେ ପହଞ୍ଚିଛି।

ଏଥିଯୋଗୁ ଭାରତର ରପ୍ତାନି ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନର ଭାଗ ବଢ଼ିଯାଇଛି। ପେଟ୍ରୋଲିୟମ ଉତ୍ପାଦ ଏବଂ ହୀରା ଭଳି ପାରମ୍ପରିକ ସାମଗ୍ରୀକୁ ପ୍ରଥମ ଥର ପାଇଁ ସ୍ମାର୍ଟଫୋନ ରପ୍ତାନି ଅତିକ୍ରମ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନ ବ୍ୟତୀତ ନେଦରଲ୍ୟାଣ୍ଡ୍‌, ଇଟାଲୀ, ଚେକ୍‌ ଗଣତନ୍ତ୍ରକୁ ମଧ୍ୟ ଭାରତର ସ୍ମାର୍ଟଫୋନ ରପ୍ତାନି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ନେଦରଲ୍ୟାଣ୍ଡସକୁ ସ୍ମାର୍ଟଫୋନ ରପ୍ତାନି ୧.୦୭ ବିଲିଅନ ଡଲାରରୁ ବୃଦ୍ଧି ପାଇ ୨.୨ ବିଲିଅନ ଡଲାରରେ, ଇଟାଲୀକୁ ୭୨୦ ନିୟୁତ ଡଲାରରୁ ବୃଦ୍ଧି ପାଇ ୧.୨୬ ବିଲିଅନ ଡଲାରରେ ଏବଂ ଚେକ୍‌ ଗଣତନ୍ତ୍ରକୁ ‌ସ୍ମାର୍ଟ‌ଫୋନ ରପ୍ତାନି ୬୫୦ ନିୟୁତ ଡଲାରରୁ ବୃଦ୍ଧି ପାଇ ୧.୧୭ ବିଲିଅନ ଡଲାରରେ ପହଞ୍ଚିଛି।