ସ୍ମାର୍ଟୱାଚ୍‌ରେ ଅକ୍ସିଜେନ୍ ମାପିବା ସୁବିଧା

ଦାମ୍ ୨୧୯୯ ଟଙ୍କାରୁ ଆରମ୍ଭ

କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହରକୁ ସାରା ଦେଶ ସାମ୍ନା କରୁଛି। ଅସୁସ୍ଥତା ଅନୁଭବ କରୁଥିବା ଲୋକମାନେ ନିଜ ଶରୀରର ଅକ୍ସିଜେନ୍ ସ୍ତର ମାପିବା ଲାଗି ଅକ୍ସିମିଟର କିଣୁଛନ୍ତି। ଅକ୍ସିମିଟର ଚାହିଦା ଏତେ ବଢ଼ିଯାଇଛି ଯେ ବଜାରରେ ତାହାର ଅଭାବ ଅନୁଭୂତ ହୋଇଛି। ତେବେ ଅକ୍ସିମିଟର ବିନା ମଧ୍ୟ ଅକ୍ସିଜେନ୍ ସ୍ତର ମାପିବାର ଅନ୍ୟାନ୍ୟ ବିକଳ୍ପ ରହିଛି। ‌ଲୋକମାନେ ସ୍ମାର୍ଟୱାଚ୍‌ ଓ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ ଜରିଆରେ ଏହି କାର୍ଯ୍ୟ କରିପାରିବେ। ସବୁ ସ୍ମାର୍ଟୱାଚ୍‌ରେ ଏହି ସୁବିଧା ନାହିଁ। କିନ୍ତୁ ନିର୍ଦିଷ୍ଟ କିଛି କଂପାନିର ସ୍ମାର୍ଟୱାଚ୍‌ରେ ଅକ୍ସିଜେନ୍ ମାପିବାର ସୁବିଧା ରହିଛି। ଆପଲ୍‌, ଓପୋ, ୱାନ୍‌ପ୍ଲସ୍‌, ସମାସଙ୍ଗ୍‌ ଭଳି କଂପାନି ଏହି ସ୍ମାର୍ଟୱାଚ୍‌ଗୁଡ଼ିକୁ ବିକ୍ରି କରୁଛନ୍ତି।

ଆପଲ୍‌ ୱାଚ୍‌ ସିରିଜ୍ ୬: ଏହା ଦୁଇଟି ଆକାରରେ ଉପଲବ୍ଧ ହୋଇଛି। ଏଥିରେ ଅକ୍ସିଜେନ୍ ସ୍ତର ମାପିବା ବ୍ୟତୀତ ଇସିଜି, ହାର୍ଟ ରେଟ୍ ମନିଟର, ନିଦ୍ରା ଟ୍ରାକିଂ ଆଦି ସୁବିଧା ରହିଛି। ଆପଲ୍‌ ୱାଚ୍‌ ସିରିଜ୍‌ର ମୂଲ୍ୟ ୪୩,୯୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସାମସଙ୍ଗ୍‌ ଗାଲାକ୍ସି ୱାଚ୍‌ ୩: ଏହା ଏବେ ରିହାତି ଦାମ୍‌ରେ ବିକ୍ରି ହେଉଛି। ସାମସଙ୍ଗ୍‌ ଗାଲାକ୍ସି ୱାଚ୍‌ ୩ର ଦାମ୍ ୪୫,୯୯୦ ଟଙ୍କା ଥିଲା। କିନ୍ତୁ କଂପାନି ତରଫରୁ ତାହା ଉପରେ ୧୭,୩୪୦ ଟଙ୍କାର ରିହାତି ଘୋଷଣା କରାଯାଇଥିବାରୁ ତାହା ୨୮,୬୫୦ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ଅକ୍ସିଜେନ୍ ସ୍ତର ମାପିବା, ନିଦ୍ରା ଟ୍ରାକିଂ, ହାର୍ଟ ରେଟ୍‌ ମନିଟର ସୁବିଧା ରହିଛି। ଏହା ହେଉଛି ଜଳ ଓ ଧୂଳିକଣା ନିରୋଧୀ।

ୱାନ୍‌ପ୍ଲସ୍‌ ୱାଚ୍‌: ୱାନ୍‌ପ୍ଲସ୍‌ର ସ୍ମାର୍ଟୱାଚ୍‌ରେ ମଧ୍ୟ ଅକ୍ସିଜେନ୍ ସ୍ତର ମାପିବା ସୁବିଧା ରହିଛି। ଏଥିରେ ୧୧୦ ୱାର୍କଆଉଟ୍‌ ମୋଡ୍‌ ଥିବା ବେଳେ ଏହା ମଧ୍ୟ ଜଳ ଓ ଧୁଳିକଣା ନିରୋଧୀ। ୱାନ୍‌ପ୍ଲସ୍‌ ୱାଚ୍‌ର ଦାମ୍ ହେଉଛି ୧୨,୯୯୯ ଟଙ୍କା।

ଆମାଜ୍‌ଫିଟ୍‌ ସ୍ମାର୍ଟୱାଚ୍‌: ଏଥିରେ ଅନେକ ପ୍ରକାର ସୁବିଧା ରହିଛି। ଗ୍ରାହକମାନେ ନିଜ ଶରୀରର ଅକ୍ସିଜେନ୍ ସ୍ତରର ସୂଚନା ଏଥିରୁ ଜାଣିପାରିବେ। ଏହା ବ୍ୟତୀତ ନିଦ୍ରା ଓ ଚାପ ଟ୍ରାକିଂ, ହାର୍ଟ ରେଟ୍ ମନିଟର ଭଳି ସୁବିଧା ଏଥିରେ ରହିଛି। ଗ୍ରାହକମାନେ ଏହାକୁ ଆମାଜନ୍‌ରୁ ୯,୪୯୯ ଟଙ୍କାରେ କିଣିପାରିବେ। ଏହାକୁ ଥରେ ଚାର୍ଜ କଲେ ବ୍ୟାଟେରି ୧୪ ଦିନ ପର୍ଯ୍ୟନ୍ତ ଚାଲିବ। କଂପାନିର ଆମାଜ୍‌ଫିଟ୍‌ ଜିଟିଏସ୍‌୨ ମିନି ସ୍ମାର୍ଟୱାଚ୍‌ ମଧ୍ୟ ରହିଛି ଯାହାର ଦାମ୍ ହେଉଛି ୬,୯୯୯ ଟଙ୍କା। ଏଥିରେ ୧.୫୫ ଇଞ୍ଚ୍‌ ଡିସ୍‌ପ୍ଲେ ରହିଛି। ଗ୍ରାହକମାନେ ସେଥିରେ ମଧ୍ୟ ଅକ୍ସିଜେନ୍ ସ୍ତର ମାପିପାରିବେ। ଆମାଜ୍‌ଫିଟ୍‌ ବିପିୟୁ ନାମକ ଆଉ ଏକ ମଡେଲ୍‌ର ଦାମ୍ ହେଉଛି ୩,୫୯୯ ଟଙ୍କା। ସେଥିରେ ମଧ୍ୟ ଅକ୍ସିଜେନ୍ ସ୍ତର ମାପିହେବ। ଆମାଜ୍‌ଫିଟ୍‌ ବ୍ୟାଣ୍ଡ୍‌ ୫ ମଡେଲ୍‌ର ଦାମ୍ ୯,୩୦୬ ଟଙ୍କା ରହିଛି।

ଓପୋ ବ୍ୟାଣ୍ଡ୍‌ ଷ୍ଟାଇଲ୍‌: ଓପୋର ହାଲୁକା ଓ ଷ୍ଟାଇଲିସ୍‌ ଫିଟ୍‌ନେସ୍ ଟ୍ରାକର ହେଉଛି ଓପୋ ବ୍ୟାଣ୍ଡ୍‌ ଷ୍ଟାଇଲ୍‌। ଏଥିରେ ମଧ୍ୟ ଶରୀରର ଅକ୍ସିଜେନ୍ ସ୍ତର ମାପିହେବ। ଏଥିରେ ଯୋଗ, କ୍ରିକେଟ୍, ସନ୍ତରଣ ଭଳି ୧୨ ପ୍ରକାର ୱାର୍କଆଉଟ୍‌ ମୋଡ୍‌ ରହିଛି। ଏହା ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌କୁ ସମର୍ଥନ କରୁଛି। ଏହାର ମୂଲ୍ୟ ହେଉଛି ୨,୩୯୯ ଟଙ୍କା। ସେହିପରି ୱାନ୍‌ପ୍ଲସ୍‌ ବ୍ୟାଣ୍ଡ୍‌ ନାମକ ଆଉ ଏକ ମଡେଲ୍‌ର ଦାମ୍ ହେଉଛି ୨,୪୯୯ ଟଙ୍କା। ସେଥିରେ ମଧ୍ୟ ଅକ୍ସିଜେନ୍ ସ୍ତର ମାପିହେବ।

ରିଅଲ୍‌ମି ୱାଚ୍‌ ଏସ୍‌: ଏହାର ମୂଲ୍ୟ ହେଉଛି ୪,୯୯୯ ଟଙ୍କା। ଏଥିରେ ହାର୍ଟ ରେଟ୍, ନିଦ୍ରା ଟ୍ରାକିଂ ଏବଂ ଅକ୍ସିଜେନ୍ ସ୍ତର ମାପିବା ସୁବିଧା ରହିଛି। ଏଥିରେ ୧.୩ ଇଞ୍ଚ୍‌ର ଡିସ୍‌ପ୍ଲେ ଥିବା ବେଳେ ଏହାର ବ୍ୟାଟେରି ଥରେ ଚାର୍ଜ କଲେ ୧୫ ଦିନ ଚାଲିବ।

ଫିଟ୍‌ବିଟ୍‌ ଚାର୍ଜ ୪: ଏହି ଫିଟ୍‌ନେସ୍ ବ୍ୟାଣ୍ଡ୍‌ର ଦାମ୍ ହେଉଛି ୧୦,୮୪୮ ଟଙ୍କା। ଏଥିରେ ଶରୀରର ଅକ୍ସିଜେନ୍ ସ୍ତର ମାପିବା ସୁବିଧା ରହିଛି। ଫିଟ୍‌ବିଟ୍ ଚାର୍ଜ ୩ ମଡେଲ୍‌ରେ ମଧ୍ୟ ଏହି ସୁବିଧା ରହିଛି। ଏଥିରେ ନିଦ୍ରାର ଟ୍ରାକିଂ, ହାର୍ଟ ରେଟ୍ ମନିଟର, ଜିପିଏସ୍‌ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି।

ଅନର୍‌ ବ୍ୟାଣ୍ଡ୍‌ ୫ଆଇ: ଏହା ଆମାଜନ୍‌ରେ ୨୧୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି। ଏଥିରେ ୦.୯୫ ଇଞ୍ଚ୍‌ର ଆମୋଏଲ୍‌ଇଡି ଡିସ୍‌ପ୍ଲେ ରହିଛି। ଏଥିରେ ଟ୍ରୁସ୍ଲିପ୍ ମନିଟର, ହାର୍ଟ ରେଟ୍ ମନିଟର ଏବଂ ବିଭିନ୍ନ ପ୍ରକାର କ୍ରୀଡ଼ା ମୋଡ୍ ଆଦି ରହିଛି। ଗ୍ରାହକମାନେ ଏଥିରେ ନିଜ ଶରୀରର ଅକ୍ସିଜେନ୍ ସ୍ତର ମାପିପାରିବେ। ସେହିପରି, ଅନର ବ୍ୟାଣ୍ଡ୍‌ ୫ ମଡେଲ୍‌ ଯାହା ସମାନ ମୂଲ୍ୟରେ ଉପଲବ୍ଧ ହେଉଛି ସେଥିରେ ମଧ୍ୟ ଗ୍ରାହକମାନ ଏହି ସବୁ ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର