ଫନି ପରେ ଏସ୍‌ଏମ୍‌ଇ ଶିଳ୍ପର ଦାବି, ଆମକୁ ରିଲିଫ୍ କୋଡ୍‌ରେ ସାମିଲ କର

ବାତ୍ୟାରେ ୧୦୦୦ କୋଟିର କ୍ଷତି, ବୀମା ରାଶି ମିଳୁନଥିବା ଅଭିଯୋଗ

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ (ଏସ୍‌ଏମ୍‌ଇ) ରିଲିଫ୍ କୋଡ୍‌ରେ ସାମିଲ କରିବାକୁ ଦାବି କରାଯାଇଛି। ଓଡ଼ିଶା ଆସୋସିଏସନ୍ ଅଫ ଏସ୍‌ଏମ୍‌ଇ (ଓସ୍‌ମି) ତରଫରୁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରାଯାଇଛି। ଓସ୍‌ମିର ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁ କହିଛନ୍ତି ଯେ, ବାତ୍ୟା ଫନି ଦ୍ବାରା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକରେ ଥିବା ୫୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା କ୍ଷତିଗ୍ରସ୍ତ ହୋଇଥିଲେ। କେବଳ ପୁରୀରେ ଥିବା ୭୦-୮୦ଟି ସଂସ୍ଥା କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କର ଭିତ୍ତିଭୂମି, କୋଠା, ମେସିନ, କଞ୍ଚାମାଲ ଓ ଫିନିସଡ୍‌ ଗୁଡସ୍‌ ନଷ୍ଟ ହୋଇଛି। ଓସ୍‌ମି ତରଫରୁ କରାଯାଇଥିବା କ୍ଷୟକ୍ଷତି ଆକଳନରୁ ଜଣାପଡ଼ିଛି ଯେ, ଏସ୍‌ଏମ୍‌ଇ କ୍ଷେତ୍ରରେ ୧୦୦୦ କୋଟି ଟଙ୍କା ପାଖାପାଖି କ୍ଷତି ହୋଇଛି। କିନ୍ତୁ ସରକାରୀ ଆକଳନ ଅନୁସାରେ କ୍ଷତି ପରିପା‌ଣ ୪୦୦ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଛି। ବାତ୍ୟା ଫନି ପରେ କିନ୍ତୁ ଶିଳ୍ପ ଜଗତକୁ ସହାୟତା ପ୍ରଦାନ କରିବାକୁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଓସ୍‌ମି ପକ୍ଷରୁ ଅଭିଯୋଗ କରାଯାଇଛି। ନିଜର ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରିବାକୁ ଓସ୍‌ମି ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ବାତ୍ୟା ଫନି ପରେ ବୀମା କଂପାନିଗୁଡ଼ିକ ବହୁତ ହଇରାଣ କରୁଥିବା ଓସ୍‌ମି ପକ୍ଷରୁ ଅଭିଯୋଗ କରାଯାଇଛି। ବାତ୍ୟାକୁ ବହୁ ମାସ ବିତି ଯାଇଥିଲେ ମଧ୍ୟ ମାତ୍ର ୨୦% ସଂସ୍ଥା ବୀମା ରାଶି ପାଇବାରେ ସଫଳ ହୋଇଛନ୍ତି। ଅନ୍ୟ ସଂସ୍ଥାଗୁଡ଼ିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଓଡ଼ିଶା ଏମ୍ଏସ୍‌ଏମଇ ମିଟ୍‌-୨୦୧୯ ବିଷୟରେ ଘୋଷଣା କରିବା ଲାଗି ଓସ୍‌ମି ପକ୍ଷରୁ ଆୟୋଜନ କରାଯାଇଥିବା ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହି ମିଟ୍‌ ଇଡ୍‌କଲ୍ ଅଡିଟୋରିୟମ୍‌ରେ ଚଳିତ ମାସ ୧୧-୧୨ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର