ସାବୁନ ବଜାରରେ ମାନ୍ଦାବସ୍ଥା, ବିକ୍ରି ବଢ଼ାଇବାକୁ ଦାମ୍ କମାଇଲେ କଂପାନି

ମୁମ୍ବାଇ : ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବ ସାବୁନ ଦାମ୍ ଉପରେ ପଡ଼ିଛି। ସାବୁନ ତିଆରି କରୁଥିବା କଂପାନିଗୁଡ଼ିକ ବିକ୍ରି ବଢ଼ାଇବା ଲାଗି ଦାମ୍ କମାଇବା ଆରମ୍ଭ କରିଛନ୍ତି। ଡୋଭ୍, ଲକ୍ସ ଓ ଲାଇଫ୍‌ବଏ ସାବୁନ ବିକ୍ରି କରୁଥିବା କଂପାନି ହିନ୍ଦୁସ୍ତାନ ୟୁନିଲିଭର୍‌ ଦାମ୍ କମ୍ କରିଛି। ସନ୍ତୁର ନାମରେ ସାବୁନ ବିକ୍ରି କରୁଥିବା କଂପାନି ୱିପ୍ରୋ କଞ୍ଜ୍ୟୁମର କେୟାର ମଧ୍ୟ ସାବୁନ ଦାମ୍ କମ୍ କରିଛି।

ହିନ୍ଦୁସ୍ତାନ ୟୁନିଲିଭର ପକ୍ଷରୁ ଲଏକ୍ସ ଏବଂ ଲାଇଫ୍‌ବଏ ଦାମ୍‌ ୪ରୁ ୬ ପ୍ରତିଶତ ଭିତରେ ହ୍ରାସ କରାଯାଇଛି। ଅନ୍ୟ କେତେକ ସାବୁନ୍‌ର ଦାମ୍‌ ୨୦-୩୦% ପର୍ଯ୍ୟନ୍ତ ହ୍ରାସ ପାଇଛି। କଂପାନି କହୁଛି ଯେ ସାବୁନ ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲର ଦାମ୍ କମିଥିବାରୁ ବିଭିନ୍ନ ସାବୁନର ଦାମ୍ କମିଛି। ଏହା ଜରିଆରେ କଂପାନି ଅଧିକ ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚାହୁଛି। ୟୁରୋମନିଟର ତଥ୍ୟରୁ ଜଣାପଡ଼ିଛି ଯେ, ଦେଶରେ ବର୍ଷକୁ ୨୦,୯୬୦ କୋଟି ଟଙ୍କାର ସାବୁନ ବିକ୍ରି ହୋଇଥାଏ। ଲାଇଫ୍‌ବଏ ଓ ଲକ୍ସ ସବୁଠୁ ଅଧିକ ବିକ୍ରି ହେଉଛି। ଦେଶର ଅଧିକାଂଶ ଘରେ ଲାଇଫ୍‌ବଏ ସାବୁନ ପହଞ୍ଚୁଛି।

ପର୍ସନାଲ୍ କେୟାର ଉତ୍ପାଦ ବଜାର ପ୍ରତି ସାବୁନର ଅବଦାନ ସର୍ବାଧିକ। ଏହାକୁ ଅଧିକାଂଶ ଗ୍ରାହକ କିଣିଥାନ୍ତି। ବଜାରରେ ଡୋଭ୍‌, ପିଅର୍ସ, ଆୟୁଷ ଏବଂ ଲକ୍ସ ବ୍ରାଣ୍ଡ୍‌ର ସାବୁନ ଚାହିଦା ବହୁତ ଅଧିକ ରହିଥିଲେ ମଧ୍ୟ ଗୋଦ୍‌ରେଜ୍, ୱିପ୍ରୋ ଓ ଆଇଟିସିର ସାବୁନ ଚାହିଦା ମଧ୍ୟ କିଛି କମ୍ ନାହିଁ। ଏହି କଂପାନିଗୁଡ଼ିକ ହିନ୍ଦୁସ୍ତାନ ୟୁନିଲିଭରକୁ ବଜାରରେ କଡ଼ା ଟକ୍କର ଦେଉଛନ୍ତି।

ସାବୁନ ବଜାରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ରହିଛି। ଯଦି କୌଣସି ଏକ କଂପାନିର ଏକ ନିର୍ଦିଷ୍ଟ ପ୍ରକାର ସାବୁନ ବିକ୍ରି ବଢ଼ିଯାଏ ତେବେ ଅନ୍ୟ କଂପାନିଗୁଡ଼ିକ ସେହି ଧରଣର ସାବୁନ ଆଣିବାକୁ ଉଦ୍ୟମ କରିଥାନ୍ତି। ବଜାରରେ ପ୍ରାକୃତିକ (ନାଚୁରାଲ) ସାବୁନର ଚାହିଦା ବଢ଼ିବା ପରେ ହିନ୍ଦୁସ୍ତାନ ୟୁନିଲିଭର ପକ୍ଷରୁ ଲକ୍ସ ବଟାନିକାଲ ଓ ପିଅର୍ସ ନାଚୁରାଲେ ସାବୁନ୍‌ର ବିକ୍ରି ଆରମ୍ଭ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ହିନ୍ଦୁସ୍ତାନ ୟୁନିଲିଭର ଏହାର ସାବୁନ ଦାମ୍ କମାଇଥିବା ବେଳେ ଫେସ୍‌ ୱାସ୍‌ ଦାମ୍‌ରେ ୪-୧୪% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି।

ସମ୍ବନ୍ଧିତ ଖବର