ଗରିବଙ୍କ ପାଇଁ ପ୍ୟାକେଜ୍‌ ଆଣିବାକୁ ଦାବି: ସ୍ବର ଉଠାଇଲେ ଅର୍ଥନୀତିଜ୍ଞ, ସାମାଜିକ କର୍ମୀ

ଗରିବ ପରିବାର ପିଛା ମାସିକ ୭୦୦୦ ଟଙ୍କା ଦିଅ, ଶୀଘ୍ର ପ୍ୟାକେଜ୍ ଆସିବ: ନିର୍ମଳା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଲକ୍‌ ଡାଉନ୍‌ (ତାଲା ବନ୍ଦ) ଘୋଷଣା କରାଯାଇଥିବାରୁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ମେରୁଦଣ୍ଡକୁ ଏହା ଦୋହଲାଇ ଦେଇଛି। ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ସରକାର ତୁରନ୍ତ ୩.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ୫୩ ଜଣ ସାମାଜିକ କର୍ମୀ ଓ ଅର୍ଥନୀତିଜ୍ଞ ସରକାରଙ୍କୁ ଚିଠି ଲେଖି ଦାବି କରିଛନ୍ତି। ପ୍ୟାକେଜ୍‌ ରାଶିର ହିସାବ ଦେଇ ସେମାନେ ଜଣାଇଛନ୍ତି ଯେ, ଦେଶର ଜନସଂଖ୍ୟା ୧୩୪ କୋଟି ହୋଇଥିବା ବେଳେ ଯଦି ଚାରି ଜଣଙ୍କୁ ନେଇ ଗୋଟିଏ ପରିବାର ରହିଛି ବୋଲି ଧରାଯିବ ତେବେ ଦେଶରେ ୩୩.୫୦ କୋଟି ପରିବାର ଥିବା କୁହାଯାଇପାରିବ। ସେଥିରୁ ୮୦% ପରିବାର ଆର୍ଥିକ ଦୁର୍ବଳ ଶ୍ରେଣୀରେ ଅଛନ୍ତି ଯାହାଙ୍କ ସଂଖ୍ୟା ହେଉଛି ୨୬.୮୦ କୋଟି। ସେଥିମଧ୍ୟରୁ ପ୍ରାୟ ୨୩ କୋଟି ପରିବାର ପାଖରେ ରାସନ କାର୍ଡ ଭଳି ସୁବିଧା ରହିଛି। ପ୍ରତି ପରିବାରକୁ ମାସିକ ୭୦୦୦ ଟଙ୍କାର ପ୍ୟାକେଜ୍ ପ୍ରଦାନ କରିବାକୁ ‌ଦାବି କରାଯାଇଛି।

ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀରେ ବସବାସ କରୁଥିବା କୋଟି କୋଟି ଲୋକଙ୍କ ଆୟ ଓ ଜୀବନଜୀବିକାକୁ ସୁରକ୍ଷା ଦେବା ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଆର୍ଥିକ ପ୍ୟାକେଜ୍ ଘୋଷଣା କରିନାହାନ୍ତି। ଶୀଘ୍ର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି। କିଛି ଦିନ ତଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କହିଥିଲେ ଯେ କେନ୍ଦ୍ର ସରକାର ତୁରନ୍ତ ୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ଦରକାର। ଆର୍ଥିକ ପ୍ୟାକେଜ୍ ଉପରେ କାର୍ଯ୍ୟ ଚାଲୁ ରହିଛି ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଓ ଖୁବ୍‌ଶୀଘ୍ର ତାହା ଘୋଷଣା ହେବ ବୋଲି ମଧ୍ୟ କହିଛନ୍ତି। ଇତି ମଧ୍ୟରେ, ରାଜ୍ୟଗୁଡ଼ିକ ଭିତରେ କେରଳ ତରଫରୁ ରାଜ୍ୟବାସୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି।

ଅର୍ଥନୀତିଜ୍ଞ ଓ ସାମାଜିକ କର୍ମୀମାନେ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ, କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, କୃଷି ଶ୍ରମିକ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମନରେଗାରେ କାର୍ଯ୍ୟ କରୁଥିବା ଶ୍ରମିକ, ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ପାଉଥିବା ଲୋକ, ବସ୍ତି ବାସିନ୍ଦା, ଦିବ୍ୟାଙ୍ଗ ଓ ବାସହୀନମାନେ ଅଧିକ ପ୍ରଭାବିତ ପ୍ରଭାବିତ ହୋଇଛନ୍ତି। ଉଭୟ ‌କେନ୍ଦ୍ର ଓ ରାଜ୍ୟ ସରକାର ଦାୟିତ୍ବ ନେଇ ଗରିବ ଲୋକମାନଙ୍କୁ ମାଗଣାରେ ଖାଇବା ତେଲ, ଡାଲି, ମସଲା, ଲୁଣ ଏବଂ ସାବୁନ ତିନି ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ତିନି ମାସର ଭତ୍ତା ଆଗୁଆ ଦେବା ଏବଂ ମନରେଗାରେ ଯେତେ ଟଙ୍କା ବାକି ପଡ଼ିଛି ତାହାକୁ ତୁରନ୍ତ ଶ୍ରମିକମାନଙ୍କୁ ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର