ଭୁବନେଶ୍ବର: ଦେଶର ଅଗ୍ରଣୀ ସୋଲାର ମଡ୍ୟୁଲ୍ ନିର୍ମାତା ଆଇକନ୍ ସୋଲାର ନୂଆ ନିବେଶ ପାଇଁ ଓଡ଼ିଶାର ଗୋପାଳପୁରକୁ ଚୟନ କରିଛି। କମ୍ପାନି ସେଠାରେ ଏକ ୨ ଗିଗାୱାଟ୍ର ସୋଲାର୍ ସେଲ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ଆସନ୍ତା ୧୪ ମାସ ଭିତରେ ତାହା କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ କମ୍ପାନି ଆଶାବାଦୀ ରହିଛି।
‘ସୌର ଏନର୍ଜି’ ସହ କଥାବାର୍ତ୍ତା ବେଳେ କମ୍ପାନିର ନିର୍ଦ୍ଦେଶକ ଶକ୍ତି ଦୁବେ ଦେଇଥିବା ସୂଚନା ଅନୁସାରେ ଗୋପାଳପୁରର ପ୍ରସ୍ତାବିତ ସ୍ଥାନରେ କାରଖାନା କାମ ଆରମ୍ଭ କରିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏନେଇ କମ୍ପାନି ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିଛି। ଗୋପାଳପୁର କାରଖାନାରେ ଏହା ସୋଲାର୍ ସେଲ୍ ଉତ୍ପାଦନ କରିବ। କମ୍ପାନି ଟପ୍କନ୍ ପ୍ରଯୁକ୍ତିକୁ ବ୍ୟବହାର କରିବାକୁ ଯୋଜନା ରଖିଛି। ଗୋପାଳପୁରରେ ସବୁ ପ୍ରକାର ମଞ୍ଜୁରି ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧାସୁଯୋଗର ବ୍ୟବସ୍ଥା କରାଯାଇଛି।
ଏହା ନିବେଶକମାନଙ୍କୁ ପ୍ଲଗ୍ ଆଣ୍ଡ୍ ପ୍ଲେ ସୁବିଧା ପ୍ରଦାନ କରୁଥିବାରୁ କମ୍ପାନି ଏହି ଅଞ୍ଚଳକୁ ନିଜର ନୂଆ କାରଖାନା ପାଇଁ ଚୟନ କରିଛି। ସବ୍ସିଡି, ସହଜ ବ୍ୟବସାୟ ବାତାବରଣ, ସିଙ୍ଗଲ ୱିଣ୍ଡୋ ମଞ୍ଜୁରି ଓ ଜମି ଉପଲବ୍ଧତା ଓଡ଼ିଶାକୁ ସୋଲାର ସେଲ୍ ନିର୍ମାତାଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରଣତ କରିଥିବା ଶ୍ରୀ ଦୁବେ କହିଛନ୍ତି। ଓଡ଼ିଶାରେ ବିଦ୍ୟୁତ୍ ଟାରିଫ୍ କମ୍ ନଥିବା ବିଷୟକୁ ସେ ସ୍ବୀକାର କରିଥିଲେ ମଧ୍ୟ ଦକ୍ଷ ମାନବ ସମ୍ବଳର ଉପଲବ୍ଧତା, କମ୍ ପରିଚାଳନା ଆହ୍ବାନ ଏବଂ ୩୦ କିଲୋମିଟର ଭିତରେ ବନ୍ଦର ଭଳି ସୁବିଧା ରହିଥିବା ଦୁବେ କହିଛନ୍ତି। ନିକଟବର୍ତ୍ତୀ ବନ୍ଦର ଉଭୟ ଆମଦାନି ଓ ରପ୍ତାନି ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି।