ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ବିଦ୍ୟୁତ୍ ଯୋଜନା ଯୋଜନା ତୃଣମୂଳରେ ଆଣ୍ଠେଇ ଥିବା ସହ ବିଫଳତାର ଶିକାର ହୋଇଛି। ୨୦୧୦ରେ କେନ୍ଦ୍ର ସରକାର ଜାତୀୟ ସୋଲାର ମିସନ୍ କାର୍ଯ୍ୟକାରୀ କରିଥିଲେ। ମାତ୍ର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ପ୍ରତିଷ୍ଠା କରିବା ବ୍ୟୟବହୁଳ ହୋଇଥିବାରୁ ଏହା ଘରୋଇ ବିଦ୍ୟୁତ ଉପଭୋକ୍ତାକୁ ଆକର୍ଷିତ କରିପାରିଲାନାହିଁ। ଏହି ମିସନ୍ ବିଫଳତାକୁ ସୁଧାରିବା ପାଇଁ ୨୦୧୬ରେ ରୁଫ୍ଟପ୍ ସୋଲାର (ଆରଟିଏସ୍) କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଠବର୍ଷ କାର୍ଯ୍ୟକାରୀ ହେଲା ପରେ ବି ସଫଳତା ମିଳିଲା ନାହିଁ। ସାଧାରଣ ନିର୍ବାଚନ-୨୦୨୪ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଏକ ନୂତନ ଦୁଇ ବର୍ଷୀୟ ଆରଟିଏସ୍ ସ୍କିମ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରଣୟନ କଲେ। ଯୋଜନାର ତ୍ରୁଟିକୁ ସୁଧାରିବା ସହିତ ଦୁଇବର୍ଷ ପାଇଁ ୭୫,୦୨୧ କୋଟି ଟଙ୍କା ମଞ୍ଜୁର କରାଗଲା। ବଳକା ବିଦ୍ୟୁତ ବିକ୍ରୟ ପାଇଁ ଆର୍ଟିଏସ୍ ଉପଭୋକ୍ତାଙ୍କୁ ସୁଯୋଗ ଦିଆଗଲା। ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ବଳକା ବିଦ୍ୟୁତ ବିକ୍ରୟ ପାଇଁ ସୁଯୋଗ ଦେଇପାରିଲେନାହିଁ। ସୂର୍ଯ୍ୟ ଘର ଉପଭୋକ୍ତା ବଳକା ବିଦ୍ୟୁତ ମାସିକ ବିକ୍ରୟ କରି କିଛି ଆୟ କରିପାରିବ।
ଜାତୀୟସ୍ତରରେ ୨୦, ଓଡ଼ିଶାରେ ୫ ପ୍ରତିଶତ ଲକ୍ଷ୍ୟ ହାସଲ
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏପର୍ଯ୍ୟନ୍ତ ନିୟମକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେଇନାହାନ୍ତି। କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁସାରେ ୩ କିଲୋୱାଟ ସୂର୍ଯ୍ୟ ଘର ପ୍ରକଳ୍ପର ବେଞ୍ଚମାର୍କ କଷ୍ଟ (ମାନଦଣ୍ଡ ମୂଲ୍ୟ) ୧ ଲକ୍ଷ ୪୫ ହଜାର ଟଙ୍କା ଥିଲାବେଳେ ଘରୋଇ ଉପଭୋକ୍ତା ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡୁଛି। ପ୍ରକଳ୍ପ ବ୍ୟୟ ଅଟକଳ ୧ ଲକ୍ଷ ୪୫ ହଜାର ଟଙ୍କା ଉପରେ କେନ୍ଦ୍ରୀୟ ସହାୟତା ରାଶି ୭୮ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଉପଭୋକ୍ତାଟି ଯେଉଁ ୫୫ ହଜାର ଟଙ୍କା ଅଧିକ ଖର୍ଚାନ୍ତ ହେଉଛି ତାହା ଉପରେ ଅତିରିକ୍ତ କେନ୍ଦ୍ରୀୟ ସହାୟତା ୨୫ ହଜାର ଟଙ୍କା ପାଇବାର ବ୍ୟବସ୍ଥା ଥିଲେବି ତାହାକୁ ଦିଆଯାଉନାହିଁ। କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ୭.୬.୨୦୨୪ରେ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସୋଲାର ପାନେଲ କିମ୍ବା ଏହାର ଆନୁଷଙ୍ଗିକ ଯନ୍ତ୍ରପାତିର ବଜାର ମୂଲ୍ୟ ବୃଦ୍ଧି ଘଟିଲେ ମଧ୍ୟବର୍ତ୍ତିକାଳୀନ ସମୀକ୍ଷା କରାଯାଇ ବେଞ୍ଚମାର୍କ ମୂଲ୍ୟରେ ସଂଶୋଧନ କରାଯିବ ବ୍ୟବସ୍ଥା ଅଛି। ଆଜି ପର୍ଯ୍ୟନ୍ତ ଅକ୍ଷୟଶକ୍ତି ମନ୍ତ୍ରଣାଳୟ ଆବଶ୍ୟକୀୟ ପଦକ୍ଷେପ ନେଇନାହାନ୍ତି। ଯାହା ଫଳରେ ଗତ ଫେବ୍ରୁଆରି ସୁଦ୍ଧା ସୂର୍ଯ୍ୟ ଘର ଯୋଜନାରେ ସାମିଲ ହେବା ପାଇଁ ୮୯,୪୮୨ ପରିବାର ଆବେଦନ କରିଥିବା ବେଳେ ମାତ୍ର ୨୨୯୭ ପରିବାର ଉପଭୋକ୍ତ ହୋଇଛନ୍ତି। ରାଜ୍ୟରେ ସର୍ବାଧିକ ସୂର୍ଯ୍ୟ ଘର ଉପଭୋକ୍ତା ଖୋର୍ଦ୍ଧାରେ ୯୩୧ଟି ପରିବାର, କଟକରେ ୧୯୧ଟି, ସୁନ୍ଦରଗଡ଼ ଜିଲ୍ଲାରେ ୧୪୮ଟି ପରିବାର ସାମିଲ ହୋଇଥିବା ବେଳେ ଅନ୍ୟ କୌଣସି ଜିଲ୍ଲା ଶହେ ପରିବାର ଅତିକ୍ରମ କରିନାହାନ୍ତି। କନ୍ଧମାଳରେ ମାତ୍ର ଗୋଟିଏ ପରିବାର ଏଥିରେ ସାମିଲ ହୋଇଛି। ଜାତୀୟ ପୋର୍ଟାଲ୍ ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ଭାରତବର୍ଷରେ ୫୨,୭୬,୪୦୩ଟି ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ପାଇଁ ଆବେଦନ କରିଥିବା ବେଳେ ୧୦,୭୭,୫୮୫ ଉପଭୋକ୍ତାଙ୍କ ଘରେ ସୌର ପ୍ଲାଣ୍ଟ ବସିଛି। ଯାହାକି ଆବେଦନକାରୀ ସଂଖ୍ୟାର ୨୦ ପ୍ରତିଶତ। ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧,୧୪,୯୧୧ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୬୨୩୦ ପରିବାର ଉପଭୋକ୍ତା ହୋଇଛନ୍ତି, ଯାହାକି ୫ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି।