ଭୁବନେଶ୍ବର: ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଲାଗି ରାଜ୍ୟରେ ସୌର ଶକ୍ତି ଉତ୍ପାଦନ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୨ ସୁଦ୍ଧା ୧୫୦୦ ମେଗାୱାଟ୍ର ସୌର ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି। ସବୁଜ ଶକ୍ତି ବିକାଶ ନିଗମ (ଗେଡ୍କଲ୍) ଓ ଓରେଡା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୫୭୪ ମେଗାୱାଟର ଅନ୍-ଗ୍ରିଡ୍ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ଗେଡ୍କଲ୍ ୩୬୨ ମେଗାୱାଟ୍ ଏବଂ ଓରେଡା ତରଫରୁ ୧୧୨ ମେଗାୱାଟର ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଓରେଡା ତରଫରୁ ଆଉ ୪୬୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଗେଡ୍କଲ୍ର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ କହିଛନ୍ତି, ଏବେ ସୌର ଶକ୍ତିର ୟୁନିଟ୍ ପିଛା ଦାମ୍ ୨ ଟଙ୍କା ୭୧ ପଇସା ରହିଛି। ତେଣୁ, ବାଣିଜ୍ୟିକ ଉପାୟରେ ରାଜ୍ୟରେ ସୌର ଶକ୍ତିର ଉତ୍ପାଦନ ବଢ଼ାଇବା ଲାଗି ବିଶେଷ ସୁଯୋଗ ରହିଛି ବୋଲି ସେ କହିଛନ୍ତି।
ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ଯେ, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ୨୭୫ ମେଗାୱାଟ୍ର ସୌର ପାର୍କ ବିକଶିତ କରାଯିବ। ଜଳାଶୟ ଉପରେ ଭାସମାନ ପ୍ରକଳ୍ପ ଭାବେ ୫୦୦ ମେଗାୱାଟର ପ୍ରକଳ୍ପ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଏଚ୍ପିସି ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ସ୍ଥାନରେ ଗେଡ୍କଲ୍ ସ୍ଥାପନ କରୁଥିବା ୧୯ ମେଗାୱାଟ୍ର ଅନ୍-ଗ୍ରିଡ୍ ରୁଫ୍ଟପ୍ ସୌର ପ୍ରକଳ୍ପ ଓ ୮ ମେଗାୱାଟର ଭୂପୃଷ୍ଠ ସୌର ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିଛି। ଓରେଡା ପାଇଁ ମେଗାୱାଟ୍କୁ ନେଇ ଯେଉଁ କଟକଣା ରହିଥିଲା ତାହାକୁ ଆଜିର ବୈଠକରେ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/solar-1.jpg)