ନୂଆଦିଲ୍ଲୀ,: ଭାରତୀୟ ସେନା ଏହାର ଦୁଧିଆଳୀ ଗାଈ ଗୁଡ଼ିକୁ ବିକ୍ରି କରିଦେବ। ଏହି ଗାଈ ଗୁଡ଼ିକର ମୂଲ୍ୟ ପ୍ରାୟ ଲକ୍ଷେ ଟଙ୍କା ହୋଇଥିବାବେଳେ ଭାରତୀୟ ସେନା ଏଗୁଡ଼ିକୁ ହଜାରେ ଟଙ୍କାରେ ଦେଇଦେବ। ୩୯ଟି ଗାଈ ଫାର୍ମ ଗୁଡ଼ିକୁ ବନ୍ଦ କରିବା ଲାଗି ସେନା ଏଭଳି ନିଷ୍ପତ୍ତି ନେଇଛି। ସେନାର ଏହି ଗାଈ ଫାର୍ମ ଗୁଡ଼ିକ ଲକ୍ଷ୍ନୌ, ମିରଟ, ଅମ୍ବଲା, ଶ୍ରୀନଗର ଏବଂ ଝାନ୍ସୀ ଆଦି ସ୍ଥାନରେ ରହିଛି।
ସୂଚନାଯୋଗ୍ୟ ଯେ, ଗାଈ ବିକିବା ପାଇଁ ଭାରତୀୟ ସେନା ଗତବର୍ଷ ଅଗଷ୍ଟ ମାସରେ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୩ ମାସ ସମୟସୀମା ରଖାଯାଇଥିଲା। କିନ୍ତୁ ଏତେସଂଖ୍ୟକ ଦାମୀ ଗାଈକୁ କିଣିବା ଲାଗି କେହି ଗ୍ରାହକ ମିଳିଲେ ନାହିଁ। ଫଳରେ ସେନାର ଗାଈ ବିକ୍ରି ଉଦ୍ୟମ ବିଫଳ ହୋଇଥିଲା।
ଏକ ରିପୋର୍ଟ ମୁତାବକ ସେନା ଏସବୁ ଗାଈକୁ ରାଜ୍ୟ ଦୁଗ୍ଧ ସମବାୟ ସମିତି ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ହଜାରେ ଟଙ୍କା ଲେଖାଏଁର ପ୍ରତୀକ ମୂଲ୍ୟରେ ଦେବାକୁ ସ୍ଥିର କରିଛି। ଗତମାସରେ ଏନେଇ ନିର୍ଦ୍ଦେଶନାମା ସେନା ଫାର୍ମଗୁଡ଼ିକୁ ପଠାଯାଇଛି। ତେବେ ଗାଈକୁ ଯିଏ କିଣିବ ସେ ପରିବହନ ବାବଦ ଖର୍ଚ୍ଚ ବହନ କରିବ।
ସୂଚନା ଅନୁଯାୟୀ ସେନାର ଫାର୍ମ ଗୁଡ଼ିକରେ ଫ୍ରିସ୍ଓ୍ଵାଲ ପ୍ରଜାତିର ଉନ୍ନତ ତଥା ଦୁଧିଆଳୀ ଗାଈ ଅଛନ୍ତି। ଥରେ ବାଛୁରି ଜନ୍ମ ଦେବା ପରେ ଏହି ଗାଈଗୁଡ଼ିକ ହାରାହାରି ପ୍ରାୟ ୩୬୦୦ ଲିଟର କ୍ଷୀର ହୋଇଥାନ୍ତି। କିନ୍ତୁ ଜାତୀୟ ସ୍ତରରେ ଅନ୍ୟ ଦୁଧିଆଳି ଗାଈଗୁଡ଼ିକ ଗୋଟିଏ ବାଛୁରି ଜନ୍ମ କରିବା ପରେ ହାରାହାରି ୨୦୦୦ ଲିଟର କ୍ଷୀର ଦେଇଥାନ୍ତି।
ଘରୋଇ ବ୍ୟକ୍ତିଙ୍କୁ ଏହି ଗାଈଗୁଡ଼ିକୁ ବିକ୍ରି କରିବାରେ ଏକ ସମସ୍ୟା ରହିଛି। ଘରୋଇ ଲୋକଙ୍କ ହାତକୁ ଗଲେ ଏହି ଗାଈ ଗୁଡ଼ିକ କଂସେଇ ଖାନାକୁ ଶୀଘ୍ର ଯିବାର ଆଶଙ୍କା ରହିଛି। କାରଣ ଏଗୁଡ଼ିକୁ ପାଳନ କରିବା ଲାଗି ଦୈନିକ ଯେତିକି ଅର୍ଥ ଆବଶ୍ୟକ ଜଣେ ସାଧାରଣ ଲୋକ ପକ୍ଷେ ତାହା କଷ୍ଟକର।
୩୯ଟି ଫାର୍ମରେ ଥିବା ଗାଈ ଗୁଡ଼ିକୁ ବିକ୍ରି କରି ଦିଆଗଲେ ସେନାର ପ୍ରାୟ ୨୦ ହଜାର ଏକର ଜମି ଖାଲି ହୋଇଯିବ। ୨୦ ହଜାର ଏକର ଜମିରେ ଏହି ଗାଈଗୁଡ଼ିକୁ ରଖାଯାଇ ଥିଲେ ମଧ୍ୟ ସେନାରେ ସୈନିକଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା କ୍ଷୀର ଚାହିଦାର ମାତ୍ର ୧୪ ପ୍ରତିଶତ ଏମାନେ ମେଣ୍ଟାଇ ପାରୁଛନ୍ତି। ତେଣୁ ସେନାର ଗାଈଗୁଡ଼ିକୁ ବିକ୍ରି କରିଦେବାକୁ ସରକାର ଗତବର୍ଷ ନିଷ୍ପତ୍ତି ନେଇଥିଲେ। ଗତ ବଜେଟରେ ଏହି ଫାର୍ମ ପରିଚାଳନା ପାଇଁ ୩୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା।
ସେନା ବିକିବ ୨୫ ହଜାର ଗାଈ: ଲକ୍ଷେ ଟଙ୍କିଆ ଗାଈ ହଜାର ଟଙ୍କାରେ ମିଳିବ
/sambad/media/post_attachments/wp-content/uploads/2018/07/cow.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)