କିଛି ସରକାରୀ ବ୍ୟାଙ୍କ ବନ୍ଦ ହେବ!

ଖବରକୁ ସରକାର, ରିଜର୍ଭ ବ୍ୟାଙ୍କର ଖଣ୍ଡନ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିରୋଧରେ ‘ପ୍ରମ୍ପଟ୍‌ କରେକ୍ଟିଭ୍‌ ଆକ୍ସନ (ତତ୍କାଳ ପ୍ରତିଷେଧକ ପଦକ୍ଷେପ-ପିସିଏ)’ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିଷ୍ପତ୍ତି ନେଇଛି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହେଉଛି ଯେ, ସରକାର କିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ କରିବାକୁ ଯାଉଛନ୍ତି। ଏଭଳି ଖବରରେ କୌଣସି ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।କୌଣସି ସରକାରୀ ବ୍ୟାଙ୍କ ବନ୍ଦ କରାଯିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ କହିଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ କେତେକ ଗଣମାଧ୍ୟମରେ ବ୍ୟାଙ୍କ ବନ୍ଦ କରାଯିବା ନେଇ ଭୁଲ ତଥ୍ୟ ପ୍ରଚାର କରାଯାଉଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚା ହେଉଛି। କିଛି ବ୍ୟାଙ୍କକୁ ପିସିଏ ଅଧୀନରେ ସାମିଲ କରାଯିବ ପରେ ଏଭଳି ଚର୍ଚା ହେଉଛି। ରିଜର୍ଭ ବ୍ୟାଙ୍କ ନିଜ ଆଡୁ ସ୍ପଷ୍ଟ କରିଦେଇଛି ଯେ ପିସିଏ ଅଧୀନରେ କୌଣସି ବ୍ୟାଙ୍କକୁ ସାମିଲ କରାଯିବାର ଅର୍ଥ ନୁହେଁ ଜନ ସାଧାରଣଙ୍କ ପାଇଁ ବ୍ୟାଙ୍କର ସେବା ବନ୍ଦ ହୋଇଯିବ। ଆର୍ଥିକ ସେବା ବିଭାଗର ସଚିିବ ରାଜୀବ କୁମାର ଟ୍ଵିଟର୍‌ ଜରିଆରେ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି ଯେ, କୌଣସି ବ୍ୟାଙ୍କ ବନ୍ଦ କରାଯିବାର ପ୍ରଶ୍ନ ଉଠୁନାହିଁ। ଦୁଇ ଲକ୍ଷ ଏଗାର ହଜାର କୋଟି ଟଙ୍କାର ପାଣ୍ଠି ସହାୟତା ଜରିଆରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଅପ୍ରଚାରକାରୀଙ୍କ କଥାରେ ବିଶ୍ୱାସ କର ନାହିଁ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ପୁଞ୍ଜି ଯୋଜନା ଏବଂ ସଂସ୍କାର ଠିକ୍‌ ବାଟରେ ରହିଛି ବୋଲି ସେ କହିଛନ୍ତି।

୨୦୦୨ ପରଠାରୁ ରିଜର୍ଭ ବ୍ୟାଙ୍କର ପିସିଏ ଫ୍ରେମ୍‌ଓ୍ଵର୍କ କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏପ୍ରିଲ୍‌ ୧୩ରେ ଯେଉଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି ତାହା ପୂର୍ବ ଫ୍ରେକ୍‌ଓ୍ଵର୍କର ଏକ ସଂଶୋଧିତ ରୂପ। ଜୁନ୍‌ ମାସରେ ଏ ନେଇ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ସୂଚନା ମଧ୍ୟ ପ୍ରଦାନ କରିଥିଲା। ନଅଟି ସରକାରୀ ବ୍ୟାଙ୍କ ବନ୍ଦ ହୋଇଯିବ ବୋଲି ଅପ୍ରଚାର ହେଉଛି। ସେଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ।

ତତ୍କାଳ ପ୍ରତିଷେଧକ ପଦକ୍ଷେପ କଣ?

ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଉତ୍ତମ ସ୍ତରରେ ବଜାୟ ରଖିବା ନିମନ୍ତେ ରିଜର୍ଭ ବ୍ୟାଙ୍କ କେତେକ ବ୍ୟବସ୍ଥା ଗ୍ରହଣ କରିଥାଏ। ସେଭଳି ଏକ ବ୍ୟବସ୍ଥା ହେଉଛି ‘ପ୍ରମ୍ପଟ୍‌ କରେକ୍ଟିଭ୍‌ ଆକ୍ସନ (ତତ୍କାଳ ପ୍ରତିଷେଦକ ପଦକ୍ଷେପ)। ଏହି ବ୍ୟବସ୍ଥାରେ ବ୍ୟାଙ୍କର କେତେକ ପ୍ରଦର୍ଶନକୁ ସଙ୍କେତ ଭାବେ ବିଚାରକୁ ନିଆଯାଇଥାଏ। ପୁଞ୍ଜି ଏବଂ ସମ୍ପତ୍ତି ମାନ ଆଦି ବିଭିନ୍ନ ପ୍ରଦର୍ଶନ ସୀମା ଧାର୍ଯ୍ୟ କରାଯାଇଛି। ଯଦି କୌଣସି ବ୍ୟାଙ୍କ ସେହି ସୀମାକୁ ଉଲ୍ଲଘଂନ କରନ୍ତି ତେବେ ସେଭଳି ବ୍ୟାଙ୍କଗୁଡ଼ିକୁ ପିସିଏ ଅଧୀନକୁ ଅଣାଯାଏ। ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କଗୁଡ଼ିକୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବା। ଏକ ଧାର୍ଯ୍ୟ ସମୟ ସୀମା ଭିତରେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଏ। ପିସିଏ ଫ୍ରେମ୍‌ଓ୍ଵର୍କ ଦୁର୍ବଳ ବ୍ୟାଙ୍କଗୁଡ଼ିକର ସ୍ଥିତି ସୁଧାରିବାରେ ସେହି ବ୍ୟାଙ୍କର ପରିଚାଳନା କର୍ତୃପକ୍ଷଙ୍କ ସହିତ ମିଳିମିଶି କାମ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ସୁଯୋଗ ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର