କିଛି ଟିକସଦାତା ଏବେବି ସମସ୍ୟା ଭୋଗୁଛନ୍ତି: ଇନ୍‌ଫୋସିସ୍‌

ନୂଆଦିଲ୍ଲୀ: ଆ‌ୟକର ପୋର୍ଟାଲ୍‌ରେ ରହିଥିବା ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ ସମାଧାନ ହୋଇଛି। ଏବେବି କିଛି ଟିକସଦାତା ସମସ୍ୟା ସାମ୍ନା କରୁଛନ୍ତି। କିନ୍ତୁ ଅନେକ ସମସ୍ୟାର ଦ୍ରୁତ ଗତିରେ ସମାଧାନ ହୋଇସାରିଛି ବୋଲି ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି। ଏହି ସଫ୍‌ଟଓୟାର କଂପାନି ଆୟକର ବିଭାଗର ‌ନୂଆ ପୋର୍ଟାଲ୍ ବିକଶିତ କରିଛି। ଟିକସଦାତାମାନଙ୍କୁ ସରଳ ଓ ସହଜ ଅନୁଭୂତି ଦେବା ଲାଗି ପ୍ରସ୍ତୁତ କରାଯାଇଥିବା ଏହି ପୋର୍ଟାଲ୍ ଆରମ୍ଭ ହେବା ଦିନରୁ ବିବାଦରେ ରହିଛି। ଟିକସଦାତାମାନେ ତ୍ରୁଟିଗୁଡ଼ିକ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଇନ୍‌ଫୋସିସ୍‌ର ବରିଷ୍ଠ ଅଧିକାରୀମାନଙ୍କୁ ଡକାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଗିଦ କରିଛନ୍ତି। ନିର୍ଦିଷ୍ଟ ସମୟ ଭିତରେ ତ୍ରୁଟି ସମାଧାନ କରିବା ଲାଗି କଡ଼ା ନିର୍ଦେଶ ଦେଇଛନ୍ତି।

ଆୟକର ବିଭାଗ ପୋର୍ଟାଲ୍‌ରେ ଥିବା ତ୍ରୁଟିଗୁଡ଼ିକୁ ସମାଧାନ କରିବା ଲାଗି ଇନ୍‌ଫୋସିସ୍‌ ୭୫୦ରୁ ଅଧିକ କର୍ମଚାରୀମାନଙ୍କ ଏକ ଟିମ୍ ଗଠନ କରିଛି। କଂପାନିର ବରିଷ୍ଠ ଅଧିକାରୀ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି। ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି ଯେ ଇତି ମଧ୍ୟରେ ୩୦ ନିୟୁତରୁ ଅଧିକ ଟିକସଦାତା ପୋର୍ଟାଲ୍‌ରେ ଲଗ୍‌ ଇନ୍ କରି ସଫଳତାର ସହ ଟିକସ ପଇଠ କରିଛନ୍ତି। ‌ସେପ୍ଟେମ୍ବରରେ ଦୈନିକ ହାରାହାରି ଦେଢ଼ ଲକ୍ଷ ଟିକସଦାତା ଲଗ୍ ଇନ୍ କରୁଛନ୍ତି। ଲଗ୍ ଇନ୍ କରୁଥିବା ୮୫% ଟିକସଦାତା ସଫଳତାର ସହ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ଆଧାର ଓଟିପି ଜରିଆରେ ଇ-ଯାଂଚ ସଫଳ ହେଉଛି। ପୋର୍ଟାଲ୍‌ରେ ଦୈନିକ ଅଢ଼େଇ ଲକ୍ଷରୁ ଅଧିକ ଆଇଟିଆର୍‌ ୧, ୨, ୩, ୪, ୫ ଓ ୭ ଦାଖଲ ହେଉଛି। ଫର୍ମ ୧୫ଜି, ୧୫ଏଚ୍‌, ଇକ୍ୟୁ୧, ୧୦ଏ, ୧୦ଇ, ୧୦ଆଇଇ, ଡିଟିଭିଏସ୍‌ଭି, ୧୫ସିଏ, ୧୫ସିବି, ୫୩ ଏବଂ ଟିଡିଏସ୍‌ ରିଟର୍ଣ୍ଣ ଆଦି ମଧ୍ୟ ସଫଳତାର ସହ ଦାଖଲ‌ ହେଉଛି ବୋଲି ଇନ୍‌ଫୋସିସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର